କନକ ବ୍ୟୁରୋ: କିଭ ଓ ବୁଚାରୁ ଚାଲିଯାଇଛନ୍ତି ଋଷ ସେନା ।ହେଲେ ଏବେବି ସେଠିକାର ପାଣି ପବନ କହୁଛି ସେଠାରେ ଋଷ ସେନା ରଚିଥିବା ବର୍ବରତାର କାହାଣୀ । ଏବେ ଏହି ଦୟନୀୟ କାହାଣୀକୁ ଜାତିସଂଘ ଆଗରେ ବଖାଣିଛନ୍ତି ୟୁକ୍ରେନର ମାନବାଧିକାର କର୍ମୀ ।ବିଭିନ୍ନ ଦେଶର ତଦନ୍ତକାରୀ ରିପୋର୍ଟରେ ମଧ୍ୟ ଋଷ ସେନାର ବର୍ବରୋଚିତ କାଣ୍ଡ ସବୁ ଗୋଟି ଗୋଟି କରି ଲେଖାହେବା ପରେ ଏବେ ଏହା ସର୍ବସମ୍ମୁଖକୁ ଆସିବାରେ ଲାଗିଛି,ଯାହା ଶୁଣିଲେ ଲୋମ ଟାଙ୍କୁରୀ ଉଠୁଛି ।
ବୁଚାରେ ଗଣହତ୍ୟା ଓ ରାସ୍ତାରେ ମାଳମାଳ ମୃତଦେହ ଖବରକୁ ନେଇ ସାରା ବିଶ୍ୱ ସ୍ତବ୍ଧ ହୋଇଥିବାବେଳେ ନିକଟରେ ପ୍ରକାଶ ପାଇଥିବା ୟୁକ୍ରେନର ଆଉ ଏକ ସଦ୍ୟ ତଥ୍ୟ ବିଶ୍ୱବାସୀଙ୍କ ଛାତି ଥରାଇ ଦେଇଛି । ତଥ୍ୟ ଅନୁସାରେ, ଋଷ ସୈନ୍ୟ ବୁଚା ବେସମେଣ୍ଟରେ ମହିଳା, ଯୁବତୀ ଏପରିକି ନାବାଳିକାଙ୍କୁ ବନ୍ଧକ ରଖି ଗଣଦୁଷ୍କର୍ମ କରିଥିଲେ । ଦିନେ କି ଦୁଇ ଦିନ ନୁହେଁ ପ୍ରାୟ ୨୫ ଦିନ ଧରି ସେମାନେ ୟୁକ୍ରେନ ମହିଳାଙ୍କୁ ଯୌନ ଶୋଷଣ କରିଥିବା ରିପୋର୍ଟରେ ପ୍ରକାଶ ପାଇଛି । ସେମାନଙ୍କ ମଧ୍ୟରୁ ୯ଜଣ ଏବେ ଗର୍ଭବତୀ ଅଛନ୍ତି । ଏନେଇ ୟୁକ୍ରେନ ମାନବାଧିକାର ଅଧିକାରୀ ଲ୍ୟୁଡମିଲା ଡେନିସୋଭା ସୂଚନା ଦେଇଛନ୍ତି ।
ଋଷ ସୈନ୍ୟ କେବଳ ବୁଚା ନୁହେଁ କିଭ୍ ଉପାନ୍ତ ଅଞ୍ଚଳ ଏବଂ ଅନ୍ୟ ସହରରେ ମଧ୍ୟ ଏଭଳି ବର୍ବର ବ୍ୟବହାର କରିଥିବା ସେ କହିଛନ୍ତି । ଋଷ ସେନା ୟୁକ୍ରେନର ୧୪ରୁ ୨୪ ବର୍ଷର ଝିଅ ଓ ମହିଳାଙ୍କୁ ଏକ ଘରେ ବନ୍ଦୀ ରଖିଥିଲେ । ପ୍ରାୟ ୨୫ ଦିନ ଧରି ସେମାନଙ୍କୁ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ ପୀଡିତାଙ୍କ ମଧ୍ୟରେ ଅନେକ ନାବାଳିକା ମଧ୍ୟ ଅଛନ୍ତି । ଏପରିକିଜଣେ ୧୧ ବର୍ଷୀୟ ନାବାଳିକାଙ୍କୁ ତାଙ୍କ ମା’ଙ୍କ ସମ୍ମୁଖରେ ହିଁ ଯୌନ ନିର୍ଯାତନା ଦିଆଯାଇଥିଲା । କେବଳ ଏତିକି ନୁହେଁ ବୟସ୍କ ମହିଳାଙ୍କୁ ବି ଛାଡିନଥିଲେ ଋଷ ସୈନ୍ୟ । ଜଣେ ୫୦ ବର୍ଷିୀୟା ମହିଳାଙ୍କ ସ୍ୱାମୀଙ୍କୁ ଗୁଳି କରିବା ପରେ ବନ୍ଧୁକ ମୁନରେ ତାଙ୍କୁୁ ଦୁଷ୍କର୍ମ କରିଥିଲେ ଋଷ ସୈନ୍ୟ । ଇନପିନରେ ଜଣେ ୨୦ ବର୍ଷିୀୟା ଯୁବତୀଙ୍କୁ ୩ଜଣ ଋଷ ସେନା ଦୁଷ୍କର୍ମ କରିଥିଲେ ।
ଯୁଦ୍ଧରେ ଦୁଷ୍କର୍ମକୁ ଅସ୍ତ୍ର ଭାବେ ବ୍ୟବହାର କରିଥିଲା ଋଷ ସେନା । ଜାତିସଂଘ ଆଗରେ ଏପରି ରିପୋର୍ଟ ରଖିଛନ୍ତି ୟୁକ୍ରେନ ହ୍ୟୁମାନ୍ ରାଇଟ୍ସ ଗ୍ରୁପର କାଟେରିନା ଚେରେପାଖା । ଏଭଳି ଘଟଣାର ନିରପେକ୍ଷ ତଦନ୍ତ ହେବା ଜରୁରୀ ବୋଲି ଜାତିସଂଘ ମହିଳା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୀମା ବାହୋସ୍ ଦାବି କରିଛନ୍ତି । ବୁଚାରେ ଘଟିଥିବା ନରସଂହାର ସାଙ୍ଗକୁ ଏପରି ନୂଆ ରିପୋର୍ଟ ବାସ୍ତବରେ ମାନବିକାର ହତ୍ୟାକୁ ପ୍ରମାଣ କରୁଛି ।