କନକ ବ୍ୟୁରୋ: କଠିନ ପରିଶ୍ରମ ଏବଂ ନିଷ୍ଠା ସଫଳତା ରାସ୍ତାରେ ବାଟ କଢେଇ ନିଏ । ସବୁ ପ୍ରତିବନ୍ଧକକୁ ଡେଇଁ ଆଗକୁ ବଢିବାକୁ ଶକ୍ତି ଯୋଗାଏ । ଦୃଢ ମନୋବଳ ଓ ସ୍ଥିର ଲକ୍ଷ୍ୟ ଯେ କୌଣସି ସ୍ତରରେ ସଫଳତା ଆଣିଦିଏ । ଏକଥା ଆମେ କହୁନୁ, ଏକଥା କହୁଛନ୍ତି ଚାକିରିରେ ଥାଇ ବି ପାଠ ପଢି ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀ କରୁଛନ୍ତି । ଆସନ୍ତୁ ଜାଣିବା ୩ ସଫଳ ଓଏଏସଙ୍କ କାହାଣୀ ।
ବିଶ୍ୱଜିତ୍, ଜୀବନରେ ଅନେକ ଦୁଃସମୟକୁ ସାମ୍ନା କରିଛନ୍ତି । ତଥାପି ସେ ଲକ୍ଷ୍ୟଚ୍ୟୁତ ହୋଇନାହାନ୍ତି । ଅବେଳରେ ବାପାଙ୍କ ବିୟୋଗ ପରେ ବିଧବା ମାଆ ଓ ଭଉଣୀର ଦାୟିତ୍ୱ ବିଶ୍ୱଜିତ୍ଙ୍କ ମୁଣ୍ଡରେ । ତେଣୁ ବିଟେକ୍ ପାସ କରିବା ପରେ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ବେଳେ ଇଚ୍ଛା ନଥାଇବି ପୂର୍ବତଟ ରେଳବାଇରେ ଗୁଡ୍ସ ଗାର୍ଡ ଭାବେ କାର୍ଯ୍ୟରେ ଯୋଗ ଦିଅନ୍ତି ବିଶ୍ୱଜିତ୍ । ଚାକିରି କରିବା ସହ ବାରମ୍ବାର ଓଡିଶା ପ୍ରଶାସନିକ ପରୀକ୍ଷା ଦେଇଛନ୍ତି । ଦୁଇ ଥର ବିଫଳ ହେବା ପରେ ତୃତୀୟ ଥରରେ ୧୯ ନମ୍ବର ରାଙ୍କରେ ରହିଛନ୍ତି ଯାଜପୁର ଦାନଗଦୀ ବ୍ଲକ୍ ଚିତ୍ରୀ ଗାଁର ବିଶ୍ୱଜିତ ସାହୁ ।
କେନ୍ଦ୍ରାପଡା ମହାକାଳପଡା ବ୍ଲକ ଯଦୁପୁର ଗାଁ କାହ୍ନୁ ଚରଣ ନାଥଙ୍କ ଝଅ ଦୀପ୍ତିମୟୀ ଜଣେ ସରକାରୀ କର୍ମଚାରୀ । ଚାକିରି କରିବା ସହ ଲକ୍ଷ୍ୟ ପଥରେ ପହଂଚିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଥିଲେ ଦୀପ୍ତି । କଟକ ଜିଲ୍ଲା ନିଶ୍ଚନ୍ତକୋଇଲି ପୋଷ୍ଟ ଅଫିସରେ ଚାକରି କରୁଥିବା ବେଳେ ଓଏଏସ୍ ପାଇଁ ପ୍ରସ୍ତୁତି ଜାରି ରଖିଥିଲେ । ଆଉ ପ୍ରଥମ ଚେଷ୍ଟାରେ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ହୋଇ ୯୪ ତମ ସ୍ତାନରେ ରହିଛନ୍ତି ଦୀପ୍ତିମୟୀ ।
ପୁଲିସ ଚାକିରିରୁ ଓ.ଏ.ଏସ । ନିଜ ଭିତରେ ଥିବା ଜିଦ, କଠିନ ପରିଶ୍ରମ ଏବଂ ନିରନ୍ତର ଉଦ୍ୟମ ବଳରେ ଓଏଏସ ପରୀକ୍ଷାରେ ସଫଳତା ପାଇଛନ୍ତି ଯାଜପୁର ଜିଲ୍ଲା କନ୍ତିଆ ଗାଁର ଆଶୁତୋଷ । କନେଷ୍ଟବଳରୁ ଓ.ଏ.ଏସ ହେବା ତାଙ୍କ ପାଇଁ ସଂଘର୍ଷ ନୁହେଁ ଏକ ସଂକଳ୍ପ ଥିଲା । ୨୦୦୮ରୁ ଓ.ଏସ.ଏ.ପିର ଜଣେ କନେଷ୍ଟବଳ ଭାବେ ନିଯୁକ୍ତି ପାଇ ଦୁର୍ଗମ ମାଲକାନଗିିରିରେ ଚାକିରି କରନ୍ତି ଆଶୁତୋଷ । ପରେ ଏସ-ଆଇକୁ ପଦୋନ୍ନତି ହୋଇଛି, ଜିଲ୍ଲା ପରେ ଜିଲ୍ଲା ବଦଳି ହୋଇଛି । କିନ୍ତୁ କର୍ମ ବ୍ୟସ୍ତତା ଭିତରେ ପ୍ରଶାସନିକ ଅଧିକାରୀ ହେବା ଲକ୍ଷ୍ୟ ଭୁଲି ନଥିଲେ ଆଶୁତୋଷ । ଦୃଢ଼ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ପଂଳରେ ଯେକୌଣସି ଅସାଧ୍ୟ କାର୍ଯ୍ୟକୁ ହାସଲ କରାଯାଇପାରେ ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ଓଏଏସ ବିଶ୍ୱଜିତ୍, ଦୀପ୍ତିମୟୀ ଓ ଆଶୁତୋଷ