ବାତ୍ୟାକୁ ନେଇ ସ୍କାଏମେଟର ଆକଳନ: ଉପକୂଳ ଓଡ଼ିଶା ଦେଇ ପଶ୍ଚିମବଙ୍ଗ ଆଡ଼କୁ ଯାଇପାରେ ବାତ୍ୟା

563

କନକ ବ୍ୟୁରୋ: ଗତ କାଲି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ସଂଧ୍ୟାସୁଦ୍ଧା ଏକ ଅବପାତ ବା ଡିପ୍ରେସନରେ ପରିଣତ ହେବ । ଡିପ୍ରେସନର କେନ୍ଦ୍ରସ୍ଥଳ ଦୃଶ୍ୟମାନ ହେବା ପରେ ହିଁ  ବାତ୍ୟା ଜଓ୍ବାଦର ଏହାର ପ୍ରକୃତ ଗତିପଥ ଜଣାପଡ଼ିବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି ।

ସ୍କାଏମେଟର ଆକଳନ ଅନୁସାରେ ଆସନ୍ତା କାଲି (ଡିସେମ୍ବର ୩) ସଂଧ୍ୟା ସୁଦ୍ଧା ଜଓ୍ବାଦ ଉପକୂଳ ନିକଟରେ ପହଞ୍ଚିବ । ପୁଣି ଡିପ୍ରେସନରେ ପରିଣତ ହେବାର ୨୪ ଘଣ୍ଟା ମଧ୍ୟରେ ହିଁ ଏହା ଉପକୂଳରେ ପହଞ୍ଚିବ । ଏହାର ପ୍ରଭାବରେ ୩ ତାରିଖ ଅପରାହ୍ଣରୁ ବର୍ଷା ଆରମ୍ଭ ହୋଇ ୪ ତାରିଖ ପର୍ୟ୍ୟନ୍ତ ଚାଲିବ ।

ଏହି ବାତ୍ୟା ସମ୍ପର୍କରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପୂର୍ବାନୁମାନ କରିଛି ସ୍କାଏମେଟ୍ । ସ୍କାଏମେଟ କହିଛି ଯେ ବାତ୍ୟା ଜଓ୍ବାଦ ସ୍ଥଳଭାଗ ଅତିକ୍ରମ କରିବା ପରେ ଆଭ୍ୟନ୍ତରୀଣ ଅଞ୍ଚଳକୁ ଅଧିକ ପ୍ରବେଶ ନକରି ସମାନ୍ତରାଳଭାବେ ଉତ୍ତର ଆନ୍ଧ୍ରପ୍ରଦେଶ, ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଆଡକୁ ଯିବ । ଏହା ଫଳରେ ଉପକୂଳ ଜିଲ୍ଲାଗୁଡ଼ିକରେ ଏହି ବାତ୍ୟା ପ୍ରବଳ କ୍ଷୟକ୍ଷତି କରିବାର ଆଶଙ୍କା ରହିଛି । ବାତ୍ୟା ପ୍ରଭାବରେ ପବନର ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ପର୍ୟ୍ୟନ୍ତ ବୃଦ୍ଧି ପାଇପାରେ । ଏହି ବାତ୍ୟା ପ୍ରଭାବରେ ଓଡ଼ିଶା ଓ ପଶ୍ଚିମବଙ୍ଗର ଉପକୂଳ ଜିଲ୍ଲା ଗୁଡ଼ିକରେ ଆସନ୍ତା ୬ ତାରିଖ ପର୍ୟ୍ୟନ୍ତ ବର୍ଷା ଲାଗି ରହିପାରେ ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ସ୍କାଏମେଟ୍ କହିଛି ।