କନକ ବ୍ୟୁରୋ: ସମୁଦ୍ରରୁ ଧିରେ ଧିରେ ଗୋପାଳପୁରର ନିକଟତର ହେଉଛି ବାତ୍ୟା ଗୁଲାବ । ଏବେ ଗୋପାଳପୁର ଠାରୁ ପୂର୍ବ ଦକ୍ଷିଣ-ପୂର୍ବ ଦିଗକୁ ୧୦୦ କିଲୋମିଟର ଦୂରରେ ରହିଛି ବାତ୍ୟା । ସେହିପରି କଳିଙ୍ଗପଟନମର ପୂର୍ବ ଉତର-ପୂର୍ବ ଦିଗକୁ ୧୦୫ କିଲୋମିଟର ଦୂରରେ ରହିଛି ଗୁଲାବ । ସମୁଦ୍ରରେ ଏବେ ୩ ଘଂଟା ହେଲା ୨୪ କିଲୋମିଟର ବେଗରେ ଉତରପଶ୍ଚିମ ଦିଗରେ ବାତ୍ୟା ଉପକୂଳ ମୁହାଁ ହେଉଛି ।
ସମୁଦ୍ରରେ ବାତ୍ୟା ଗୁଲାବର ଘଂଟା ପ୍ରତି ବେଗକୁ ଦେଖି ଆଜି ସନ୍ଧ୍ୟା ସୁଦ୍ଧା ଗୁଲାବର ସ୍ଥଳଭାଗ ପ୍ରବେଶ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି । ପାଣିପାଗ ବିଭାଗର ସୂଚନା ୨ରୁ ୩ ଘଂଟା ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ ଓ ଏହାର ପ୍ରଭାବ ୬ଘଂଟା ଯାଏଁ ରହିବ । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୭୫ରୁ ୮୫ କିଲୋମିଟର ରହିବ । ସମୟ ସମୟରେ ୯୫ କିଲୋମିଟର ବେଗରେ ପବନ ଝଟକା ଦେଇପାରେ ।
ବିଶେଷ କରି ଗଜପତି ଓ ଗଂଜାମ ଉପରେ ଅଧିକ ପ୍ରଭାବ ପଡିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବାତ୍ୟା ପାଇଁ ୭ ଜିଲ୍ଲାକୁ ରେଡ଼୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୭ ଜିଲ୍ଲାରେ ପବନର ବେଗ ୭୫ରୁ ୮୫ କିମି ରହିପାରେ, ଗୋଟିଏ ଦୁଇଟି ସ୍ଥାନରେ ୨୦ ସେଂଟିମିଟର ବର୍ଷା ହେବା ସମ୍ଭାବନା ରହିଛି । ଭୁସ୍ଖଳନ ଓ ଅକସ୍ମାତ ବନ୍ୟା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ସେହିପରି ୪ଜିଲ୍ଲା ପୁରୀ, ଖୋର୍ଦ୍ଧା, ନୟାଗଡ, କଳାହାଣ୍ଡି ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି ।