ବାତ୍ୟା ଗୁଲାବ ଆଣିପାରେ ଆଉ ଏକ ସାମୁଦ୍ରିକ ଝଡ଼ । ଓଡ଼ିଶାରେ ଛାପ ଛାଡି ହେଲା ଆରବସାଗର ମୁହାଁ

1,065

କନକ ବ୍ୟୁରୋ: ବାତ୍ୟା ଗୁଲାବ ଶ୍ରୀକାକୁଲମ ନିକଟରେ ଲ୍ୟାଣ୍ଡଫଲ କରିବା ପରେ ଦକ୍ଷିଣ ଓଡିଶା ଓ ଦକ୍ଷିଣ ଛତିଶଗଡରେ ପ୍ରଭାବ ପକାଇଛି । ଖାଲି ସେତିକି ନୁହେଁ ତେଲେଙ୍ଗାନାରେ ବି ବର୍ଷା କରିବା ପରେ ଆରବ ମହାସାଗର ଆଡକୁ ମୁହାଁଇଛି ବାତ୍ୟା ଗୁଲାବ । ଏହି ବାତ୍ୟାକୁ ନେଇ ଯେଉଁ ନୂଆ କଥା ସାମ୍ନାକୁ ଆସୁଛି- ତା ହେଉଛି ଏହି ବାତ୍ୟା ଦୁର୍ବଳ ହେବା ପରେ ପୁଣି ଥରେ ଶକ୍ତି ସଂଗ୍ରହ କରିବ ଏବଂ ସାଇକ୍ଲୋନ ହୋଇ ପୁଣି ୩ ଦିନ ପରେ ଗୁଜରାଟ ଉପକୂଳରେ ମାଡ କରିପାରେ ।

ଯଦି ପାଣିପାଗ ବିଭାଗର ଏହି ଆକଳନ ଠିକ ହୁଏ, ତେବେ ୧୯୯୬ ପରେ ଏହା ତୃତୀୟ ଘଟଣା ହେବ, ଯେତେବେଳେ ଏକ ବାତ୍ୟା ଦୁର୍ବଳ ହୋଇ ପୁଣି ଶକ୍ତି ସଂଗ୍ରହ କରି ପୁଣି ବାତ୍ୟାର ରୂପ ନେବ ।  ତେବେ ବାତ୍ୟା ପ୍ରଭାବରେ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ସୁଙ୍କି ଘାଟି ଅଞ୍ଚଳରେ ଧସିଛି ମାଟି ଅତଡା, ଆଉ ରାଜପଥ ଦୁଇ ପଟେ ଅଟକି ରହିଛି ଗାଡି । ବାତ୍ୟା ଗୁଲାବ ବିଶେଷ କ୍ଷୟକ୍ଷତି କରିନଥିଲେ ବି ଘାଟିରେ ମାଟି ଅତଡା ଖସିବା ଫଳରେ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଯାଇଛି ।

ସେହିପରି ଗୁଲାବର ପ୍ରଭାବରେ ଗଜପତି ଜିଲ୍ଲାରେ ବି ଭୂସ୍ଖଳନ ହୋଇଛି । ପାହାଡିଆ ଅଞ୍ଚଳ ଗୁମ୍ମା ବ୍ଲକର ଅଜୟଗଡଠାରୁ ନାସନଗଡ ପର୍ଯ୍ୟନ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଘଟଣାସ୍ଥଳରେ ଓଡ୍ରାଫ ଟିମ୍ ଉଦ୍ଧାର କାମ କରୁଛି । ଅନ୍ୟପଟେ ପାତ୍ରପୁର ବ୍ଲକର ୫ଟି ପାହାଡିଆ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ପାହାଡିଆ ଗାଁ ହୋଇଥିବାରୁ ପରିସ୍ଥିତିକୁ ସ୍ୱାଭାବିକ କରିବାକୁ ପ୍ରଶାସନ ଉଦ୍ୟମ ଚଳାଇଛି । ବାତ୍ୟା ପ୍ରଭାବରେ କୌଣସି ବଡ କ୍ଷୟକ୍ଷତି ହୋଇନାହିଁ । ତେବେ ସମସ୍ତ ଜିଲ୍ଲାପାଳଙ୍କୁ ୫ ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ କୁହାଯାଇଛି ।

ସେପଟେ ବଢୁଛି ବଂଶଧାରା ନଦୀର ଜଳସ୍ତର । ଉପରମୁଣ୍ଡରେ ବର୍ଷା ଯୋଗୁଁ ବଂଶଧାରା ନଦୀରେ ଜଳସ୍ତର ବଢିବାରେ ଲାଗିଛି । ଏହି ନଦୀର ଗୋଟିଏ ପାଶ୍ୱର୍ରେ ଆନ୍ଧ୍ରର ଗାଁ ରହିଥିବା ବେଳେ ଅନ୍ୟପଟେ ରହିଛି ଗଜପତି ଜିଲ୍ଲାର ୧୨ଟି ପଞ୍ଚାୟତ । ଯଦି ଆଗକୁ ଆନ୍ଧ୍ର ବ୍ୟାରେଜର ଗେଟ ବନ୍ଦ କରିଦିଏ ଓ ଉପର ମୁଣ୍ଡରେ ବର୍ଷା ବର୍ଷା ବଢିଯାଏ ତେବେ ଗଜପତି ଜିଲ୍ଲାରେ ବନ୍ୟା ସମ୍ଭାବନା ରହିଛି ।