କାରିଗରଙ୍କ ନିଖୁଣ କଳାରେ ଜୀବନ୍ତ ଦିଶୁଛି ପଥର ମୂର୍ତ୍ତି । ରାଜ୍ୟ ତଥା ରାଜ୍ୟ ବାହାରେ ରହିଛି ଏହି କଳାର ପ୍ରସିଦ୍ଧି

104

କନକ ବ୍ୟୁରୋ : କୁହାଯାଏ ଗୋଟିଏ ଚିତ୍ର ଶହେଟି ଶଦ୍ଦର କଥାକୁହେ । କଳାକାରଙ୍କ ନିଖୁଣ କଳାରେ ପଥର ମୂର୍ତି ବି ଜୀବନ୍ତ ଦିଶିଥାଏ । ବିଶାଳକାୟ ପଥର ଖଣ୍ଡକୁ ସୁନ୍ଦର ସୁନ୍ଦର ମୂର୍ତ୍ତିର ରୂପ ଦେବା କେବଳ କାରିଗରଙ୍କ ଦ୍ୱାରା ହିଁ ସମ୍ଭବ ହୋଇଥାଏ । ପଥର ଦେହରେ ନିହଣର ଠକ୍ ଠକ୍ ଶଦ୍ଦ ଆଉ କାରିଗରଙ୍କ ଯାଦୁଗରୀ ସ୍ପର୍ଶରେ ତିଆରି ହେଉଛି ପ୍ରତିମୂର୍ତ୍ତି । ଏଠାରେ ବିଭିନ୍ନ ପ୍ରକାରର ଦେବାଦେବୀଙ୍କ ପ୍ରତିମୂର୍ତି କରିବା ସହ ଅନେକ ଲୋକଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି । କାରିଗର ମାନେ ପ୍ରସ୍ତୁତ କରୁଥିବା ପ୍ରତିମୂର୍ତି ଗୁଡ଼ିକ ଦିଲ୍ଲୀ ଚେନ୍ନାଇ, କଲିକତା ଭଳି ସହରକୁ ବିକ୍ରି ପାଇଁ ପଠାଯାଉଛି । ପଥର ଶିଳ୍ପୀ ଗୋଲକ ପାତ୍ର ପଥରକୁ ଖୋଦେଇ କରି ଏଭଳି ସୁନ୍ଦର ସୁନ୍ଦର ପ୍ରତିମୂର୍ତି କରିବା ସହ ୪୦ରୁ ଅଧିକ କାରିଗରଙ୍କୁ ରୋଜଗାରର ରାସ୍ତା ଦେଖାଇଛନ୍ତି । ପାଖାପାଖି ୩୪ ବର୍ଷ ଏହି କଳା ସହିତ ଜଡ଼ିତ ଅଛନ୍ତି କାରିଗର ।

ତେବେ ଏହି ବ୍ୟବସାୟକୁ ନେଇ କାରିଗର କୁହନ୍ତି ପଥର କଳାର ଚାହିଦା ଆଗରୁ ଥିଲା । ଆଉ ଅଗକୁ ମଧ୍ୟ ରହିଥିବ । ଏହା ଲୋକଙ୍କ ଜୀବନଶୈଳୀ ସହିତ ଜଡ଼ିତ । ସ୍ଥାନୀୟ ବଜାର ସହ ବିଭିନ୍ନ ଅନୁଷ୍ଠାନରେ ଲାଗୁଛି ଏହି ପ୍ରତିମୂମୂର୍ତ୍ତି । ବିଭିନ୍ନ ପ୍ରଦର୍ଶନୀ ମେଳା ଓ ରାଜ୍ୟ ବାହାରେ ଏହାକୁ ବିକ୍ରି କରାଯାଉଛି । ବଜାରରେ ମଧ୍ୟ ଏହି ମୂର୍ତି ଗୁଡ଼ିକର ଭଲ ଚାହିଦା ରହିଛି । ରାଧାକୃଷ୍ଣ, ଗଣେଶ, ବୁଦ୍ଧ, ହନୁମାନ, ସରସ୍ୱତୀ, ଶିବଙ୍କ ଭଳି ଅନେକ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ଗଢ଼ୁଛନ୍ତି କାରିଗର । ପଥରରେ ହାତୀ, ଘୋଡ଼ା, ପଥର ବାସନ, ଗାନ୍ଧୀ, ବୁଦ୍ଧଙ୍କ ଭଳି ଅନେକ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଗଢ଼ୁଛନ୍ତି ଏହି କୁଶଳି କାରିଗର ।

ଛୋଟ ମୂର୍ତି ଠାରୁ ଆରମ୍ଭ କରି ୫ରୁ ୭ ଫୁଟ୍ ପର୍ଯ୍ୟନ୍ତ ମୂର୍ତି ଗଢ଼ି ଗ୍ରାହକଙ୍କୁ ବିକ୍ରି କରୁଛନ୍ତି କାରିଗର । ରାଜ୍ୟ ତଥା ଦେଶ, ବିଦେଶରେ ବି ମୂର୍ତି କଳାର ପ୍ରସିଦ୍ଧି ରହିଛି । ପୂର୍ବରୁ ଏହି ମୂର୍ତି ଗୁଡ଼ିକ ବିଦେଶରେ ବି ବିକ୍ରି ହେଉଥିଲା । ହେଲେ କରୋନା ମହାମାରୀ ପରଠାରୁ ଏଥିରେ ରୋକ ଲାଗିଛି । ଏବେ ଓଡ଼ିଶା ମାର୍କେଟ ସହିତ ପଡ଼ୋଶୀ ରାଜ୍ୟରେ ବିକ୍ରି କରାଯାଉଛି ।