ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ତାଙ୍କ ପତ୍ନୀ ମେଲାନିୟାଙ୍କ କୋଭିଡ ଟେଷ୍ଟ ପଜିଟଭ୍ ଆସିବା ପରେ ଏବେ ସେୟାର ବଜାରର ସ୍ଥିତି ଗମ୍ଭୀର : ଖବର ପ୍ରଚାରିତ ହେବା ପରେ ସାରା ବିଶ୍ୱର ସେୟାର ବଜାରରେ ଦେଖିବାକୁ ମିଳିଛି ପତନ  

243

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିୟାଙ୍କ କରୋନା ପଜିଟିଭ ଖବର ପ୍ରଚାରିତ ହେବା ପରେ ଏବେ ସାରା ବିଶ୍ୱର ସେୟାର ବଜାରରେ ପତନ ଦେଖିବାକୁ ମିଳିଛି । ଏସିଆ ବଜାରରେ ଜାପାନର ପ୍ରମୁଖ ବେଂଚମାର୍କ ଇଣ୍ଡେକ୍ସ ନିକୋଇର ଭାଉ ୧ ପ୍ରତିଶତ କମ୍ ହୋଇଥିବା ଜଣାପଡିଛି । ସେହିଭଳି ଚୀନର ପ୍ରମୁଖ ବେଂଚମାର୍କ ଇଣ୍ଡେକ୍ସ ସାଂଘାଇ ଓ ଅଷ୍ଟ୍ରେଲିଆର  ଏଏସଏକ୍ସ ଇଣ୍ଡେକ୍ସ ୨ ପ୍ରତିଶତରୁ ଅଧିକ ତଳମୁହାଁ ହୋଇଛି । କହିରଖୁ କି ଆଜି ଗାନ୍ଧୀ ଜୟନ୍ତୀ ପାଇଁ ଭାରତୀୟ ସେୟାର ବଜାର ବନ୍ଦ ରହିଛି । 

ଏସିଆ ବଜାର ବ୍ୟତିତ ୟୁରୋପିଅ ବଜାରରେ ବି ଘାଟା ହୋଇଛି । ଆମେରିକାର ପ୍ରମୁଖ ବେଂଚମାର୍କ ଦି ଡୋ ଜନ୍ସ ଫ୍ୟୁଚର,  ଏଥିରେ ୫ ଶହ ଅଙ୍କର ପତନ ହୋଇଥିବା ସୂଚନା ମିଳିଛି । ଏକ୍ସପର୍ଟ ମାନେ କହିଛନ୍ତି କି ୟୁରୋପିଅ ବଜାରର ଆରମ୍ଭରୁ ବିପଦ ସଂକେତ ଦେଖିବାକୁ ମିଳିଥିଲା । ବ୍ରିଟେନର ବେଂଚମାର୍କ ଇଣ୍ଡେକ୍ସ ଏଫଟିଏସଇ, ଫ୍ରାନ୍ସର ର ସିଏସି, ଓ ଜର୍ମାନୀର ଡିଏଏକ୍ସ ରେ ବି କ୍ଷତି ଦେଖା ଦେଇଛି । 

ଏକ୍ସପର୍ଟ ମାନେ କହିଛନ୍ତି କି ସାରା ବିଶ୍ୱରେ ଆମେରିକା ଏକ ସମୃଦ୍ଧ ଅର୍ଥ ବ୍ୟବସ୍ଥାର ରାଷ୍ଟ୍ର । ଏଠାରେ ସେୟାର ବଜାରରେ ପତନ ଦେଖାଦେଲେ ତା’ର ପ୍ରଭାବ ସାରା ବିଶ୍ୱର ସେୟାର ବଜାର ଉପରେ ପଡିବ । କହିରଖୁ କି ଗୁରୁବାର ଭାରତୀୟ ସେୟାର ବଜାର ଏକ ଉତ୍ଥାନ ସ୍ଥିତିରେ ବନ୍ଦ ହୋଇଥିଲା । କରବାର ଶେଷ ବେଳକୁ ସେନସେକ୍ସ ୬୨୯ ପଏଣ୍ଟ ବୃଦ୍ଧି ହୋଇ ୩୮.୬୯୭ ରେ ବନ୍ଦ ହୋଇଥିବା ବେଳେ ନିଫ୍ଟ ୧୬୯ ପଏଣ୍ଟ ବୃଦ୍ଧି ହୋଇ ୧୧.୪୧୭ ପଏଣ୍ଟରେ ବନ୍ଦ ହୋଇଥିଲା । ସେହିଭଳି ନିଫ୍ଟି ବ୍ୟାଙ୍କ ୭୯୪ ପଏଣ୍ଟ ବୃଦ୍ଧି ହୋଇ ୨୨.୨୪୬ ରେ ବନ୍ଦ ହୋଇଥିବା ବେଳେ ମିଡକ୍ୟାପ୍ ୧୪୨ ଅଙ୍କ ବୃଦ୍ଧି ପାଇ ୧୭.୧୨୫ ପଏଣ୍ଟରେ ବନ୍ଦ ହୋଇଥିଲା । ଆସନ୍ତାକାଲି ଭାରତୀୟ ସେୟାର ବଜାର ଖୋଲିବା ପରେ ଏଠାରେ ସ୍ଥିତି କ’ଣ ରହିବ ସେ ନେଇ କିଛି ଅନୁମାନ କରି ପାରି ନାହାନ୍ତି ଏକ୍ସପର୍ଟ ମାନେ ।