କନକ ବ୍ୟୁରୋ : ହାତୀ ଦାନ୍ତ ଚାଲାଣ ପାଇଁ ଯୋଜନା ଚାଲିଥିବା ବେଳେ ଏସ୍ଟିଏଫ୍ର ଚଢ଼ାଉ ହୋଇଛି। ଏସ୍ଟିଏଫ୍ ଆଜି ସମ୍ବଲପୁର ସହରର ଅଇଁଠାପାଲି ଥାନା ଅନ୍ତର୍ଗତ ବରେଇପାଲି ନିକଟରେ ଅତର୍କିତ ଭାବେ ଚଢ଼ାଉ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କର ଠାରୁ ବହୁ ମୂଲ୍ୟବାନ ୨ଟି ହାତୀ ଦାନ୍ତ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ କେଉଟିବାହାଲି ଗାଁର ଗୋପାଳ କୃଷ୍ଣ ବୁଡାକ ଓ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଚଢ଼େଇପଙ୍କ ନିକଟ ଦିଆପାଲି ଗାଁର ହୃଷିକେଶ କୁମ୍ଭାର।
ଦାତୀ ଦାନ୍ତ ଚାଲାଣ ପାଇଁ ଯୋଜନା ପ୍ରସ୍ତୁତ ହେଉଥିବା ବେଳେ ଏସ୍ଟିଏଫ୍କୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ ଏସ୍ଟିଏଫ୍ ଗୋପାଳ ଓ ହୃଷିକେଷଙ୍କୁ ଗିରଫ କରିବା ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଥିଲା। ଠିକ ସମୟରେ ଘଟଣାସ୍ଥଳରେ ପହଂଚି ଉଭୟଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୨ଟି ହାତୀ ଦାନ୍ତ ଜବତ କରିଥିଲା। ଏସ୍ଟିଏଫ୍ ଏକ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଘଟଣାର ତଦନ୍ତ କରୁଛି। ଜବତ ହାତୀ ଦାନ୍ତ ୨ଟିକୁ ଉତ୍ତରାଖଣ୍ଡରେ ଡେରାଡୁନରେ ଥିବା ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନକୁ ପରୀକ୍ଷା ପାଇଁ ପଠାଇବ।