କନକ ବ୍ୟୁରୋ : ମ୍ୟୁଚୁଆଲ୍ ଫଣ୍ଡ୍ ସ୍କିମ୍ରେ ନିବେଶ ସାରା ଦେଶରେ ଲୋକପ୍ରିୟ । ଓଡ଼ିଶା ଏଥିରେ ବହୁ ପଛରେ ରହିଛି । ଓଡ଼ିଶାର ମୁଣ୍ଡପିଛା ମ୍ୟୁଚୁଆଲ୍ ଫଣ୍ଡ୍ ନିବେଶ ମାତ୍ର ୫୬୬୦ ଟଙ୍କା ରହିଛି। ଭାରତୀୟ ମ୍ୟଚୁଆଲ୍ ଫଣ୍ଡ୍ ସଂଘ (ଆମ୍ଫି)ର ଅକ୍ଟୋବର ତଥ୍ୟରୁ ଏହା ଜଣାପଡ଼ିଛି। ଅକ୍ଟୋବର ସୁଦ୍ଧା ଓଡ଼ିଶାର ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍ଡିପି) ପ୍ରତି ମ୍ୟୁଚୁଆଲ୍ ଫଣ୍ଡ୍ ଶିଳ୍ପର ଅବଦାନ ୫ ପ୍ରତିଶତ ରହିଥିବା ବେଳେ ରାଜ୍ୟରେ ବିଭିନ୍ନ ମ୍ୟୁଚୁଆଲ୍ ଫଣ୍ଡ୍ ସଂସ୍ଥାର ୪୩ଟି ଶାଖା ରହିଛି ।
ରିପୋର୍ଟ ଅନୁଯାୟୀ, ମ୍ୟୁଚୁଆଲ୍ ଫଣ୍ଡ୍ ସ୍କିମ୍ ଅଧୀନରେ ୨୮ ଲକ୍ଷ କୋଟିରୁ ଅଧିକ ଟଙ୍କା ରହିଛି। ଦେଶର କ୍ଷୁଦ୍ର ସହରଗୁଡ଼ିକର ଅବଦାନ ଏଥିପ୍ରତି ୧୬ ପ୍ରତିଶତ ରହିଛି। ପରିଚାଳନା ଅଧୀନ ସମ୍ପତ୍ତି (ଏୟୁଏମ) ପ୍ରତି ଅବଦାନ ଦୃଷ୍ଟିରୁ ମହାରାଷ୍ଟ୍ର ଶୀର୍ଷରେ (୪୩.୮%) ରହିଛି। ଏହା ପଛକୁ ନୂଆଦିଲ୍ଲୀ (୮.୪%), ଗୁଜରାଟ (୬.୯%), କର୍ଣ୍ଣାଟକ (୬.୯%) ଓ ପଶ୍ଚିମବଙ୍ଗ (୫.୨) ରହିଛନ୍ତି। ଦେଶର ୬୮ ପ୍ରତିଶତ ଖୁଚୁରା ନିବେଶକ ଇକ୍ବିଟି ଭିତ୍ତିକ ମ୍ୟୁଚୁଆଲ୍ ଫଣ୍ଡ୍ ସ୍କିମ୍ରେ ନିବେଶ କରିଥିବା ବେଳେ ସଂସ୍ଥାଗୁଡ଼ିକର ୭୫ ପ୍ରତିଶତ ସମ୍ପତ୍ତି ଲିକ୍ବିଡ୍, ମନି ମାର୍କେଟ୍ ଓ ଡେବ୍ଟ-ଭିତ୍ତିକ ସ୍କିମ୍ରେ ରହିଛି।