ଜାତୀୟ ରାଜପଥରେ ଜାତିର ପିତାଙ୍କୁ ଅସମ୍ମାନ । ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି ଗାନ୍ଧୀ ପ୍ରତିମୂର୍ତି

68

କନକ ବ୍ୟୁରୋ : ଦେଶକୁ ସ୍ୱାଧୀନ କରାଇଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ । ତାଙ୍କୁ ସମସ୍ତେ ନିଜର ଆଦର୍ଶ ମାନି ଚାଲନ୍ତି । କିନ୍ତୁ ଅଧିକାଂଶ ସମୟରେ ମହାତ୍ମା ଗାନ୍ଧୀଙ୍କୁ ଅସମ୍ମାନ କରାଯାଉଥିବାର ଚିତ୍ର ସାମ୍ନାକୁ ଆସିଥାଏ । ଠିକ୍ ସେହିପରି କିଛି ଦୃଶ୍ୟ ପାଲଲହଡ଼ାରୁ ଆସିଛି । ୬୦ ବର୍ଷ ତଳେ ପଣ୍ଡରାବସାର ଗାନ୍ଧିନଗରଠାରେ ଗାନ୍ଧୀ ମୁର୍ତି ସ୍ଥାପନ କରିଥିବା ବେଳେ ବର୍ତମାନ ତାହା ଅବହେଳିତ ଅବସ୍ଥାରେ ରହିଛି । ଯାହାକୁ ନେଇ ସ୍ଥାନୀୟ ଅଂଳଚରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ପାଳଲହଡା ଟାଉନ ଠାରୁ ୫ କିମି ଦୂରରେ ଥିବା ୧୪୯ ନମ୍ବର ଜାତୀୟ ରାଜପଥ ପାଖ ପେଣ୍ଡରାବସା ଠାରେ ରହିଛି ଗାନ୍ଧିନଗର ଛକ । । ୧୯୬୪ ମସିହାରେ ତତକାଳୀନ ଉପମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଗଡଜାତ ଆନ୍ଦୋଳନର ସେନାପତି ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନ ଏଠାରେ ଗାନ୍ଧୀ ମୂର୍ତି ସ୍ଥାପନ କରିଥିଲେ । କିନ୍ତୁ ବର୍ତମାନ ତାହା ଜରାଜୀର୍ଣ୍ଣ ଅବସ୍ଥାରେ । ଏବେ ଏହି ଭଙ୍ଗା ମନ୍ଦିରର ପଥର ମୁକସାକ୍ଷୀ ହୋଇ ଛିଡା ହୋଇଛି । କଟକ ନ୍ୟୁଜରେ ଖବର ପ୍ରସାରଣ ପରେ ୨୦୧୬ ମସିହାରେ ପୂର୍ବତନ ବିଧାୟକ ତଥା ବର୍ତମାନର ସାଂସଦ ମହେଶ ସାହୁ ସେଠାରେ ଏକ ନୂତନ ଗାନ୍ଧୀମନ୍ଦିର ନିର୍ମାଣ କରି ମୁର୍ତି ସ୍ଥାପନ କରିଥିଲେ । ରକ୍ଷଣାବେକ୍ଷଣ ଅଭାବରୁ ଏହା ମଧ୍ୟ ଜରାଜୀର୍ଣ ହେଲାଣି, ଲେଖା ଲିଭିଗଲାଣି । ଦୁଇଦିନ ତଳେ ସାଧାରଣତନ୍ତ୍ର ଦିବସ ଅବସରରେ ମଇଳା ଜମିଥିବା ମୁର୍ତିରେ ପାଣି ଢାଳି ଫୁଲମାଳ ଦେଇ କାମ ଚଳାଇନେଲେ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ନେତା ।

ବର୍ତମାନ ଏହି ସ୍ଥାନ ଅସାମାଜିକ ଲୋକଙ୍କ ଆଡା ପାଲଟିଛି । ଏହାର ସାମ୍ନାରେ ଥିବା ଜାତୀୟ ରାଜପଥ ଉପରେ ପ୍ରତିଦିନ ପ୍ରଶାସନନିକ ଅଧିକାରୀ ଓ ରାଜନେତା ଯିବା ଆସିବା କରୁଥିଲେ ବି କାହାର ଦୃଷ୍ଟି ଗାନ୍ଧୀଙ୍କ ପ୍ରତିମୂର୍ତିଙ୍କ ଉପରେ ପଡ଼େ ନାହିଁ । ତେବେ ଖବର ପ୍ରସାରଣ ପରେ ପ୍ରତିକ୍ରିୟା ରଖି ଢେଙ୍କାନାଳ ସାଂସଦ ମହେଶ ସାହୁ କହିଛନ୍ତି ଯେ ଏ ସମ୍ପର୍କରେ ସ୍ଥାନୀୟ ପ୍ରଶାସନକୁ ଅଗବତ କରାଯିବ । ଏବଂ କିପରି ଏହାର ରକ୍ଷଣାବେକ୍ଷଣ ହେବ, ତାହା ଉପରେ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି ।