ଆସନ୍ତାକାଲି ରାଜ୍ୟରେ ହେବ କରୋନା ଟିକାର ଡ୍ରାଏ ରନ୍ । ୩୧ଟି ସ୍ଥାନରେ ଟିକାକରଣର ପ୍ରାକ୍ ଅଭ୍ୟାସ, ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସରିଛି ପ୍ରସ୍ତୁତି ।

Advertisment
ଆସନ୍ତାକାଲି ରାଜ୍ୟରେ ହେବ କରୋନା ଟିକାର ଡ୍ରାଏ ରନ୍ । ୩୧ଟି ସ୍ଥାନରେ ଟିକାକରଣର ପ୍ରାକ୍ ଅଭ୍ୟାସ, ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସରିଛି ପ୍ରସ୍ତୁତି ।

କନକ ବ୍ୟୁରୋ : ଭାରତର ବିଶାଳ ଜନସଂଖ୍ୟାକୁ କିପରି ଟିକା ଦିଆଯିବ, ସେ ନେଇ ବଡ଼ ପ୍ରସ୍ତୁତି କରାଯାଇଛି । ଓଡ଼ିଶାରେ ଏହି ପ୍ରକ୍ରିିୟା କିପରି ହେବ, ଏ ନେଇ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଂଟ । ଦିଲ୍ଲୀରୁ ଓଡ଼ିଶା ଆସିବ ଭ୍ୟାକ୍ସିନ୍ । ଦିଲ୍ଲୀରୁ ଟିକା ଆସି ଷ୍ଟେଟ୍ ଭ୍ୟାକ୍ସିନ୍ ଷ୍ଟୋର ଭୁବନେଶ୍ୱରରେ ରହିବ ଟିକା । ଭୁବନେଶ୍ୱରରୁ ଆଂଚଳିକ ଟିକା କେନ୍ଦ୍ରକୁ ପଠାଯିବ ।

କଟକ, ଭୁବନେଶ୍ୱର, ଗଂଜାମ, ସୁନ୍ଦରଗଡ଼, ସମ୍ବଲପୁର, କୋରାପୁଟ, କନ୍ଧମାଳ ଓ ବଲାଙ୍ଗୀରରେ ୯ଟି ଆଂଚଳିକ କେନ୍ଦ୍ରରେ ଟିକା ରଖାଯିବ । ସେଠାରୁ ୩୨ଟି ଜିଲ୍ଲା ଭ୍ୟାକ୍ସିନେସନ୍ ଷ୍ଟୋରକୁ ପଠାଯିବ ଟିକା । ଏହାପରେ ପ୍ରସ୍ତୁତ ହୋଇ ରହିଥିବା ୧,୨୨୨ କୋଲ୍ଡ ଚେନ୍ ପଏଂଟ ବା ଶୀତଳ ଶୃଙ୍ଖଳ କେନ୍ଦ୍ରରେ ଟିକାକୁ ରଖାଯିବ । ଏହି କୋଲ୍ଡ ଚେନ୍ ପଏଂଟରୁ ୨୯,୨୭୨ ସେସନ୍ ସାଇଟ୍ ବା ଟିକାଦାନ କେନ୍ଦ୍ରକୁ ପଠାଯିବ । ଆଉ ଏହି କେନ୍ଦ୍ରରୁ ହିଁ ଦିଆଯିବ ଟିକା ।

ସେହିପରି ଟିକାଦାନ କେନ୍ଦ୍ରରେ ୪ଟି କୋଠରୀ ରହିବ, ଗୋଟିଏ ଅପେକ୍ଷା ଗୃହ, ଯାଂଚ ଗୃହ, ଟିକାଦାନ ଗୃହ ଏବଂ ନିରୀକ୍ଷଣ ଗୃହ । କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଏକମାତ୍ର ବିକଳ୍ପ ହେଉଛି ଟିକା । କିପରି ଭାରତର କୋଟି କୋଟି ଲୋକଙ୍କ ଟିକାକରଣ ସୁଚାରୁ ରୂପେ ହୋଇପାରିବ, ସାରାଦେଶରେ ହେବାକୁ ଯାଉଛି ଟିକାଦାନର ଡ୍ରାଏ-ରନ୍ ବା ମକ୍ଡ୍ରିଲ । ଓଡ଼ିଶାରେ କ୍ୟାପିଟାଲ୍ ହସପିଟାଲ ଓ ୩୦ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟକୁ ମିଶାଇ ମୋଟ ୩୧ଟି ସ୍ଥାନରେ ହେବ ଟିକାକରଣର ଅଭ୍ୟାସ ।

ଡ୍ରାଏ ରନ୍ ପାଇଁ ରାଜ୍ୟରେ କିପରି ହୋଇଛି ପ୍ରସ୍ତୁତି?

୩୧ଟି ହସପିଟାଲରେ ହେବ ଡ୍ରାଏ ରନ୍

ପ୍ରତି କେନ୍ଦ୍ରରେ ୫ ଜଣିଆ ଟିକାକରଣ ସଦସ୍ୟ ରହିବେ

ସେମାନଙ୍କ ମଧ୍ୟରେ ରହିବେ ଜଣେ ଭ୍ୟାକ୍ସିନେଟର୍ ବା ଟିକା ଦେବା ବ୍ୟକ୍ତି

ଡ୍ରାଏ ରନ୍ ପାଇଁ ପ୍ରତି କେନ୍ଦ୍ରରେ ୨୫ ଜଣ ସ୍ୱାସ୍ଥ୍ୟକର୍ମୀ ତାଲିକାଭୁକ୍ତ ହୋଇଛନ୍ତି

ଶନିବାର ସକାଳ ୧୦ଟାରୁ ୧୨ଟା ମଧ୍ୟରେ କରାଯିବ ଡ୍ରାଏ ରନ୍

ଟିକାକରଣ ପାଇଁ ରାଜ୍ୟକୁ ୨୧ ଲକ୍ଷ ସିରିଂଜ୍ ପହଁଚି ଯାଇଛି । ଟିକାଦାନ ପାଇଁ ୮,୬୧୯ ଜଣ ଭ୍ୟାକ୍ସିନେଟର ବା ଟିକା ଦେବା ବ୍ୟକ୍ତିଙ୍କୁ ତାଲିମ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ରାଜ୍ୟର ପ୍ରାୟ ୩ ଲକ୍ଷ ୭୦ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କ ତାଲିକା କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe