ଜାତୀୟ ଓବିସି କମିଶନଙ୍କୁ ଭେଟିଲେ ରାଜ୍ୟ ଓବିସି କମିଶନ : ସବୁ ଶିକ୍ଷାନୁଷ୍ଠାନରେ ଏସଇବିସି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ରହିବା ଦରକାର

କହିଲେ, ଓବିସିରୁ ବାଦ୍ ପଡୁ ସାମାଜିକ ଓ ଶିକ୍ଷାଗତ ସ୍ତରରେ ଆଗେଇଥିବା ଜାତି

171

କନକ ବ୍ୟୁରୋ : ସବୁ ଶିକ୍ଷାନୁଷ୍ଠାନରେ ରହୁ ଏସ୍ଇବିସି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ । ରାଜ୍ୟ ଓବିସି କମିଶନ କହିଛନ୍ତି, ବହୁ ଜାତି ସାମାଜିକ ଓ ଶିକ୍ଷାଗତ ସ୍ତରରେ ଆଗେଇ ଗଲେଣି । ସେମାନଙ୍କୁ ବାଦ୍ ଦିଆଯିବା ଆବଶ୍ୟକ । ଖଣ୍ଡାୟତ ରାଜ୍ୟର ଏସ୍ଇବିସି ତାଲିକାରେ ଅଛନ୍ତି । ସେମାନେ କେନ୍ଦ୍ର ଓବିସି ତାଲିକାରେ ସାମିଲ ହେବା କଥା । ଏନେଇ ଜାତୀୟ ଓବିସି କମିଶନ ସଦସ୍ୟଙ୍କ ସହ ଆଲୋଚନା ହୋଇଥିବା କହିଛନ୍ତି ରାଜ୍ୟ ଓବିସି କମିଶନ ଜଷ୍ଟିସ୍ ରଘୁନାଥ ବିଶ୍ୱାଳ । ଏହା ସହ ଜାତି ଭିତିକ ଜନଗଣନା ନେଇ ମଧ୍ୟ ଆଲୋଚନା କରିଛନ୍ତି ।

୨୦ ଜାତି ଏସ୍ଇବିସି ତାଲିକାରେ ସାମିଲ ହେବା ପାଇଁ ଆବେଦନ କରିଛନ୍ତି । ଏହାର ସତ୍ୟପାଠ ନିଆଯିବ । ଯଦି ସେମାନେ ଯୋଗ୍ୟ ଥିବେ ତେବେ ସେମାନଙ୍କୁ ଏସ୍ଇବିସି ତାଲିକାରେ ସାମିଲ କରାଯିବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ହେବ ନାହିଁ । ଏସ୍ଇବିସି, ଏସଟି, ଏସସି ସଂରକ୍ଷଣ ମିଶିଲେ ୫୦ ପ୍ରତିଶତ ହେଉଛି । ରାଜ୍ୟ ସରକାର କେନ୍ଦ୍ର ପାଖକୁ ଏସ୍ଇବିସି ଆଇନକୁ ସମ୍ବିଧାନର ନବମ ଅନୁଚ୍ଛେଦରେ ସାମିଲ କରିବାକୁ ଆବେଦନ କରିଛନ୍ତି । କେନ୍ଦ୍ର ଅନୁମତି ଦେଲେ ଏସ୍ଇବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ହୋଇପାରିବ ବୋଲି ରାଜ୍ୟ ଓବିସି କମିଶନ କହିଛନ୍ତି ।