ଲଘୁଚାପ ପ୍ରଭାବରେ ରାଜ୍ୟରେ ୩ ତାରିଖରୁ ବର୍ଷା ସମ୍ଭାବନା । ବର୍ଷା ନେଇ ପୂର୍ବାନୁମାନ ପରେ ଚାଷୀଙ୍କ ମନରେ ଛନକା

319

କନକ ବ୍ୟୁରୋ: ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବା ପରେ ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ପ୍ରକାଶ ପାଇଛି । ଧାନ ଅମଳ ସମୟରେ ବର୍ଷା ଆଶଙ୍କା ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଆଡଭାଇଜରି ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଆଉ ଅମଳ ଧାନକୁ ସୁରକ୍ଷିତ ଭାବେ ରଖିବା ପାଇଁ ପରାମର୍ଶ ଦେଇଛନ୍ତି ।

ଧାନ ଅମଳ ସମୟରେ ବର୍ଷା ଆଶଙ୍କା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । ବର୍ଷା ହେଲେ ବି ଯେମିତି କ୍ଷତି ପରିମାଣ କମ୍ ହେବ ସେଥିପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।

ବର୍ଷା ପାଇଁ ସରକାରଙ୍କ ସତର୍କତା..

  • ଅମଳ ଧାନକୁ ସୁରକ୍ଷିତ ସ୍ଥାନକୁ ନିଅନ୍ତୁ
  • ଯେମିତି କୌଣସି କ୍ଷତି ନହେବ ସେଥିପାଇଁ ଭଲଭାବେ ଘୋଡାଇ ରଖନ୍ତ
  • ଯେଉଁଠି ପାଚିଲା ଧାନ ଅମଳ ଯୋଗ୍ୟ ହୋଇଯାଇଛି ତାକୁ ଅମଳ କରିବା ସହ ସୁରକ୍ଷିତ ସ୍ଥାନକୁ ନିଅନ୍ତୁ
  • ମଣ୍ଡିରେ ଥିବା ଧାନକୁ ସୁରକ୍ଷିତ ଭାବେ ରଖନ୍ତୁ

ଗତକିଛି ଦିନ ତଳେ ଅଦିନିଆ ବର୍ଷାରେ ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳର ହଜାର ହଜାର ଏକର ଧାନ ଫସଲ ନଷ୍ଟ ହୋଇଥିବାବେଳେ ଏବେ ଆଉ ଏକ ଲଘୁଚାପଜନିତ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇଛି । ଡିସେମ୍ବର ପ୍ରଥମ ସପ୍ତାହରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ ପରେ ଚାଷୀଙ୍କ ମନରେ ଛନକା ପସିଛି । ବର୍ଷାରୁ ସୁରକ୍ଷା ଦେବା ପାଇଁ ଦିନ ରାତି ଏକ କରି ଧାନ କାଟୁଛନ୍ତି ଚାଷୀ । ବର୍ଷା ପୂର୍ବରୁ ବର୍ଷ ଯାକର ପରିଶ୍ରମକୁ କୌଣସି ମତେ ଉଦ୍ଧାର କରିବା ପାଇଁ ଲାଗିପଡିଛନ୍ତି ।

ସେହିପରି ଗଜପତିରୁ ମଧ୍ୟ ଆସିଛି ସମାନ ଦୃଶ୍ୟ । ଗତ କିଛି ଦିନ ତଳେ ହୋଇଥିବା ଅଦିନିଆ ବର୍ଷାରେ ଫସଲ ନଷ୍ଟ ହେବା ପରେ ପୁଣି ବର୍ଷା ଅନୁମାନ ଚାଷୀଙ୍କ ମୁଣ୍ଡରେ ଚଡକ ପକାଇଛି । ତା ସହିତ କେନ୍ଦ୍ରାପଡା ମହାକାଳପଡାରେ ଏବେ ହଜାର ହଜାର ହେକ୍ଟର ଚାଷ ଜମିରେ ହସୁଛି ଅମଳକ୍ଷମ ସୁନା ଫସଲ । ହେଲେ ବର୍ଷା ଆଶଙ୍କା ଚିନ୍ତାରେ ପକାଇଛି । ଜମିରେ ପାଣି ଥିଲେ ବି ଆଗକୁ ବର୍ଷା ଆସୁଥିବାରୁ ପାଣିରୁ ଧାନ କାଟିବାକୁ ବାଧ୍ୟ ହୋଇଛି ଚଷାପୁଅ ।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବ ଏବଂ ୨ତାରିଖରେ ଅବପାତର ରୂପ ନେବ । ଅବପାତର ରୂପ ନେବା ପରେ ଏହାର ପ୍ରକୋପ କେତେ ହେବ ତାହା ସ୍ପଷ୍ଟ ହେବ । କିନ୍ତୁ ଲଘୁଚାପ ପ୍ରଭାବରେ ରାଜ୍ୟରେ ୩ ତାରିଖରୁ ବର୍ଷା ହେବାର ସମ୍ଭାବନା ରହିଛି । ଅମଳ ସମୟରେ ଆଇଏମଡିର ଏହି ଆକଳନ ଚିନ୍ତାର କାରଣ ହୋଇଛି ।