ରାଜ୍ୟରେ ପୂର୍ଣ୍ଣିମା ବଢାଉଛି ବନ୍ୟା ସଂକଟ : ଅଧିକ ଜୁଆର କାରଣରୁ ପାଣି ଟାଣୁନି ସମୁଦ୍ର, ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା; ସ୍ଥିର ରହିଛି ମହାନଦୀ , ସମୁଦ୍ର ପାଣି ଟାଣିବାକୁ ଲାଗିବ ଆହୁରି ୩ ଦିନ

321

କନକ ବ୍ୟୁରୋ : ରାଜ୍ୟରେ ପୂର୍ଣ୍ଣିମା ବଢାଉଛି ବନ୍ୟା ସଂକଟ । ଆସନ୍ତାକାଲି ପୂର୍ଣ୍ଣିମା ଥିବାରୁ ପାଣି ଟାଣୁନି ସମୁଦ୍ର । ତିନି ଦିନ ଲାଗିବ ଜଳ ନିଷ୍କାସନ ପାଇଁ । ବର୍ତମାନ ପ୍ରତି ସେକେଣ୍ଡରେ ହୀରାକୁଦକୁ ୩ ଲକ୍ଷ ୫୯ ହଜାର କ୍ୟୁସେକ୍ ପାଣି ପ୍ରବେଶ କରୁଛି । ଏହାକୁ ନଜରରେ ରଖି ହୀରାକୁଦରୁ ୨୪ ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ମୁଣ୍ଡୁଳିରେ ସେକେଣ୍ଡ ପ୍ରତି ୯ ଲକ୍ଷ ୮୦ ହଜାର ଘନଫୁଟ ନିଷ୍କାସିତ ହେଉଛି । ତେବେ ହୀରାକୁଦରେ ଜଳ ଭଣ୍ଡାର ସ୍ତର ଏବେ ସ୍ଥିର ରହିଛି । ଶେଷ ଖବର ସୁଦ୍ଧା ଜଳଭଣ୍ଡାର ଜଳସ୍ତର ୬୨୫.୭୭ ଫୁଟ ରହିଥିଲା । ଏ ପର୍ଯ୍ୟନ୍ତ ମୋଟ୍ ୩୬ଟି ଘାଇ ହୋଇଛି । ପୂର୍ଣ୍ଣିମା ପରେ ବନ୍ୟା ସ୍ଥିତିରେ ସୁଧାର ଆସିଯିବ ବୋଲି ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ।

ପୂର୍ଣ୍ଣିମା କାରଣରୁ ଏବେ ସମୁଦ୍ରର ଜୁଆର ପାଣିକୁ ଠେଲିକି ରଖିଛି । ସମୁଦ୍ର ଭିତରକୁ ପାଣି ଯିବାକୁ ୧୦ ପ୍ରତିଶତ ବି ସମୟ ମିଳୁନି । ବନ୍ୟା ସମୟରେ ସୃଷ୍ଟି ହୋଇଥିବା ଘଳିଆରୁ ୭୨୯ ଘଳିଆ ମରାମତି ହୋଇଛି । ଘାଇ ମରାମତି କାମ ଆରମ୍ଭ ହୋଇଗଲାଣି । ଦତପୁର ଯାଜପୁରରେ ଘାଇ ମରାମତି ଚାଲିଛି । ଏହା ମଧ୍ୟରେ ମହାନଦୀରେ ଜଳସ୍ତର କମୁଛି । ମୟୂରଭଂଜରେ ମଧ୍ୟ ଘାଇ ମରାମତି କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ।