ଦେଶରେ ଟମାଟୋ ଫ୍ଲୁ ବଢ଼ୁଥିବାରୁ ସତର୍କ ହେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଲୋକ କେମିତି ରହିବେ ସତର୍କ, ପରାମର୍ଶ ଦେଲେ ବିଶେଷଜ୍ଞ ଡାକ୍ତର…

158

କନକ ବ୍ୟୁରୋ: ଟମାଟୋ ଫ୍ଲୁକୁ ନେଇ ଚର୍ଚ୍ଚା ବଢ଼ୁଥିବା ବେଳେ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ଓଡିଶାର କିଛି ଜିଲ୍ଲାରେ ଛୋଟ ଛୋଟ ପିଲାଙ୍କ ଠାରେ ଏଭଳି ସନ୍ଦେହ ହେଉଥିବା କିଛି ରୋଗ ଦେଖାଦେଇଛି । ହାତ, ପାଦ ଓ ମୁହଁରେ ନାଲି ନାଲି ଫୋଟକା ଭଳି ଫଳି ଯାଉଛି । ଡାକ୍ତର କହୁଛନ୍ତି ଏହା ହ୍ୟାଣ୍ଡ, ଫୁଟ ମାଉଥ ଡିଜିଜ । ଯାହାକି ଟମାଟୋ ଫ୍ଲୁ ଭଳି ଦେଖାଯାଉଛି କିନ୍ତୁ ଏହା ମାରାତ୍ମକ ନୁହେଁ ବୋଲି କହିଛନ୍ତି ।

କିଛି ଜିଲ୍ଲାରେ ଦେଖା ଦେଉଥିବା ହ୍ୟାଣ୍ଡ, ଫୁଟ, ମାଉଥ ଡିଜିଜ୍ ବା ଏଫଏଚଏମଡି ସହିତ ଟମାଟୋ ଫ୍ଲୁର କିଛି ସାମଞ୍ଜସ୍ୟ ରହିଛି କି ନାହିଁ ଜାଣିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜର ଶିଶୁରୋଗ ବିଷେଶଜ୍ଞମାନଙ୍କ ସହ ଆଲୋଚନା କରାଯାଇଛି । ଏଫଏଚଏମଡି ଆକ୍ରାନ୍ତ ଶିଶୁ ଚିହ୍ନଟ ହେଲେ, ସେମାନଙ୍କ ନମୁନା ଆରଏମଆରସିକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ନା’ ମହାମାରୀ ରୂପ ନେଇଛି, ଜାଣିବାକୁ ପ୍ରୟାସ ଆରମ୍ଭ କରାଯାଇଛି ।

କେରଳ, କର୍ଣ୍ଣାଟକ ଭଳି ରାଜ୍ୟରେ ଶିଶୁଙ୍କ ଦେହରେ ନାଲି ଫୋଟକା ଦେଖାଯିବା ପରେ ଏହା ଟମାଟୋ ଫ୍ଲୁ ବୋଲି ଚର୍ଚ୍ଚା ହେଉଛି । ମାତ୍ର ବିଜ୍ଞାନ ଶିକ୍ଷାରେ ଏଭଳି କୌଣସି ରୋଗ ନାହିଁ ବରଂ ଏଫଏଚଏମଡି ରୋଗ ରହିଛି ବୋଲି କହିଛନ୍ତି ବିଶେଷଜ୍ଞ ଡାକ୍ତର । ଏହା କକସାକି ଭାଇରସ୍ ଦ୍ୱାରା ହୋଇଥାଏ । ସାଧାରଣତଃ ୫ ବର୍ଷରୁ କମ ବୟସର ଶିଶୁଙ୍କ ଠାରେ ଏହି ରୋଗ ଦେଖାଯାଏ । ୧୪ ବର୍ଷ ପିଲା ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଥାନ୍ତି ।

ନଜର ପକାନ୍ତୁ, ପିଲାଙ୍କ ଠାରେ ରୋଗର ଲକ୍ଷଣ ଦେଖାଦେଲେ, କ’ଣ କରିବେ…

‘ଟମାଟୋ’ ଫ୍ଲୁ: ଡାକ୍ତରଙ୍କ ପରାମର୍ଶ

  • ହାତ, ପାଦ, ପାଟି ଓ ମୁହଁରେ ସଂକ୍ରମଣ ହୋଇଥାଏ
  • ବାନ୍ତି ହେବା ସହ ଦେହ ହାତ ନାଲି ନାଲି ହୋଇ ଫଳିଯିବ ଏବଂ ଜ୍ୱର ହେବ
  • ଖାଇବା ପାଇଁ ଆଗ୍ରହ ଦେଖାଇବ ନାହିଁ ଆକ୍ରାନ୍ତ
  • ସଂକ୍ରମକ ରୋଗ ହୋଇଥିବାରୁ ଲକ୍ଷଣ ଦେଖାଦେଲେ ଆକ୍ରାନ୍ତ ପିଲାଙ୍କୁ କାହା ମିଶାନ୍ତୁ ନାହିଁ
  • ଆକ୍ରାନ୍ତଙ୍କୁ ଯଥାସମ୍ଭବ ପରିଷ୍କାର ଓ ପରିଚ୍ଛନ୍ନ ପରିବେଶରେ ରଖନ୍ତୁ
  • ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ
  • ନିର୍ଦ୍ଦିଷ୍ଟ ଔଷଧ ନଥିବାରୁ ଲକ୍ଷଣ ଅନୁସାରେ ଚିକିତ୍ସା ହୋଇଥାଏ
  • ବିଶେଷ ମାରାତ୍ମକ ହୋଇ ନଥିବାରୁ ଅଧିକ ଭୟଭୀତ ନହେବାକୁ ପରାମର୍ଶ