କନକ ବ୍ୟୁରୋ: ଅନେକ ସମୟରେ ମଣ୍ଡିକୁ ନେଇ ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଥାଏ । କେଉଁଠି ଧାନ ବିକ୍ରି କରିବାକୁ ଦିନ ଦିନ ଧରି ଜଗିବସିଥାଏ ଚାଷୀ । ପୁଣି କେଉଁଠି ଟୋକନ୍ ନାହିଁ କହି ଚାଷୀକୁ ଫେରାଇ ଦିଆଯାଏ । ଏପରି ସ୍ଥିତିରେ ବିକ୍ରି ବିକ୍ରି ପାଇଁ ଆସୁଥିବା ସବୁ ଧାନ ସରକାର କିଣନ୍ତୁ ବୋଲି ଦାବି ବଢିଛି । ଚାଷୀ ଯେତିକି ଧାନ ବିକ୍ରି କରିବାକୁ ମଣ୍ଡିକୁ ଆଣୁଛି ସେସବୁ ଧାନ ରାଜ୍ୟ ସରକାର କିଣନ୍ତୁ । ଟାର୍ଗେଟ ପୂରଣ ହୋଇଗଲେ ବି ଟୋକନ ନାହିଁ କହି କୌଣି ଚାଷୀକୁ ଫେରାନଯାଉ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସମବାୟ, ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ବିଭାଗୀୟ ଷ୍ଟାଣ୍ଡିଂ କମିଟି ରାଜ୍ୟ ସରକାରଙ୍କୁ ଏହି ସୁପାରିଶ କରିଛି ।

Advertisment

ଏହାସହ ରାଜ୍ୟ ସରକାର ଧାନ କିଣିନଥିବାରୁ ମିଲ୍ ମାଲିକ ଓ ଅସାଧୁ ବ୍ୟବସାୟୀ ଏହାର ଫାଇଦା ନେଇ ଧାନ କ୍ୱିଂଟାଲ ୮ଶହରୁ ୧୨ଶହ ଟଙ୍କାରେ କିଣୁଛନ୍ତି ଏହା ଉପରେ ରୋକ ଲଗାଇବାକୁ ମିଲରେ ଅଚାନକ ଚଢାଉ କରିବାକୁ କମିଟି ସୁପାରିଶ କରିିଥିଲା । ହେଲେ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି । ରାଜ୍ୟ ସରକାର ମିଲ ମାଲିକଙ୍କୁ ଖୋଲା ଛାଡି ଦେଇଥିବାରୁ ସେମାନେ ଚାଷୀଙ୍କୁ ଲୁଟୁଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କମିଟି କହିଛି ।