କନକ ବ୍ୟୁରୋ : ଖୁବଶୀଘ୍ର ଭାରତରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ସବୁଠୁ ବଡ଼ ଟିକାକରଣ । ଏପଟେ ଓଡ଼ିଶା ବି ଟିକାକରଣ ପାଇଁ ପ୍ରସ୍ତୁତ ହୋଇ ରହିଛି । କୋଭିସିଲ୍ଡ ଓ କୋଭାକ୍ସିନକୁ ଜରୁରି ବ୍ୟବହାର ପାଇଁ ଅନୁମତି ମିଳିବା ପରେ କେବେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ, ଏ ନେଇ ଉକ୍ରଣ୍ଠା ବଢ଼ିବାରେ ଲାଗିଛି । କେବେ ଟିକା ବଂଟନ ହେବ, କେବେ ଟିକାକରଣ କରାଯିବ, ଏ ସଂପର୍କରେ ନିର୍ଦ୍ଦିଷ୍ଟ ଘୋଷଣା ହୋଇନଥିଲେ ବି ଖୁବଶୀଘ୍ର ଏହା ଆରମ୍ଭ କରାଯିବ ବୋଲି ଜଣାପଡିଛି ।
କେତେ ପରିମାଣରେ କୋଭାକ୍ସିନ୍ ଟିକା ପ୍ରସ୍ତୁତ ହୋଇଛି, ଏ ନେଇ କୌଣସି ସୂଚନା ନଥିବା ବେଳେ ସିରମ ଇନ୍ଷ୍ଟିଚ୍ୟୁଟ ପ୍ରାୟ ୫ କୋଟି କୋଭିସିଲ୍ଡ ଟିକା ପ୍ରସ୍ତୁତ କରିସାରିଛି । ଦିନେ ଦୁଇଦିନ ମଧ୍ୟରେ ଏହାର ବିତରଣ ଆରମ୍ଭ ହେବ ବୋଲି ଆଶା କରାଯାଉଛି । ଏପଟେ ଟିକାକରଣ ପାଇଁ ଓଡ଼ିଶା ସଂପୂର୍ଣ୍ଣ ପ୍ରସ୍ତୁତ ହୋଇରହିଛି, ଟିକା ଆସିବା ମାତ୍ରେ ଟିକାକରଣ ଆରମ୍ଭ ହୋଇଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଓ ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତି ।
ପ୍ରାଥମିକ ପର୍ଯ୍ୟାୟ ଟିକାକରଣ ପାଇଁ ରାଜ୍ୟର ୩ଲକ୍ଷ ୨୭ ହଜାର ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ଡାଟାବେସ୍ ଅନୁସାରେ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ପାଇଁ କେନ୍ଦ୍ର ନିକଟରେ ଦାବି କରାଯାଇଛି । ଏହାପରେ ଆଗଧାଡ଼ିର କରୋନା ଯୋଦ୍ଧା ଓ ବୟସ୍କଙ୍କ ଡାଟାବେସ୍ ପ୍ରସ୍ତୁତ କରାଯିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱୟରେ ଟିକାକରଣ କରାଯିବ । ତେବେ ଘରୋଇ ବିତରଣ କେବେ ହେବ, ଏପର୍ଯ୍ୟନ୍ତ କୌଣସି ଗାଇଡ୍ଲାଇନ୍ ଜାରି କରିନାହାନ୍ତି କେନ୍ଦ୍ର ସରକାର ।
ଦୁଇ ଦିନ ତଳେ କ୍ୟାପିଟାଲ୍ ହସପିଟାଲ ଓ ସମସ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଟିକାର ଡ୍ରାଏ ରନ୍ ବା ଟିକାକରଣର ପୂର୍ବାଭ୍ୟାସ ହୋଇଛି । ୨୧ ଲକ୍ଷ ସିରିଂଜ ସହ ଟିକାକରଣର ଆବଶ୍ୟକ ସରଂଜାମ ମଧ୍ୟ ଓଡ଼ିଶାରେ ପହଁଚି ସାରିଛି । ଅପେକ୍ଷା ରହିଛି, କେବେ କୋଭିଡ୍ ଟିକାର ବଂଟନ ଆରମ୍ଭ ହେବ ।