ଡଙ୍ଗରିଆଙ୍କୁ ଆଖି ଯନ୍ତ୍ରଣାରୁ ମିଳିବ ମୁକ୍ତି । ଚକ୍ଷୁ ଚିକିତ୍ସା ଶିବିର କରି ରୋଗୀ ଚିହ୍ନଟ କରୁଛନ୍ତି ରାଜ୍ୟ ସରକାର

ମାଗଣା ଅସ୍ତ୍ରୋପଚାର ସାଙ୍ଗକୁ ମାଗଣାରେ ଦିଆଯାଉଛି ଚଷମା

66

କନକ ବ୍ୟୁରୋ: ଡଙ୍ଗରିଆ ଦେଖିବେ ନୂଆ ଦୁନିଆ । ଚକ୍ଷୁ ସମସ୍ୟାରେ ହନ୍ତସନ୍ତ ହେଇଥିବା ଡଙ୍ଗରିଆଙ୍କ ଦୁଃଖ ଦୂର ହେବ । ଏଥିପାଇଁ ସରକାରଙ୍କ ପକ୍ଷରୁ ପ୍ରଥମ କରି ରାୟଗଡା ଜିଲ୍ଲାରେ ଆରମ୍ଭ ହୋଇଛି ଟୋଏସ୍ । ତେବେ ଚକ୍ଷୁ ଅସ୍ତ୍ରୋପଚାର ହେଉଥିବା ଦେଖି ଡଙ୍ଗରିଆଙ୍କ ଭିତରେ ଆନନ୍ଦ ଖେଳିଯାଇଛି । ଡଙ୍ଗରିଆଙ୍କୁ ଚକ୍ଷୁ ଚିକିତ୍ସା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତଣାଳୟ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଅନୂସୁଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଜରିଆରେ ରାୟଗଡା ଜିଲ୍ଲା ୩ଟି ବ୍ଲକ ବିଷମକଟକ, ମୁନିଗୁଡା ଓ କଲ୍ୟାଣସିଂହପୁରରେ ଚକ୍ଷୁ ସମସ୍ୟା ଭୋଗୁଥିବା ୧୨ ହଜାର ୫୦୦ ଜଣଙ୍କୁ ଲୋକଙ୍କୁ ଚିହ୍ନଟ କରାଯାଇଛି । ଓଡିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ନିର୍ବାହ କାର୍ଯ୍ୟକ୍ରମରେ ରୋଗୀ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ।

ଆସନ୍ତା ୬ ମାସ ଭିତରେ ବିଷମକଟକ, ମୁନିଗୁଡା ଓ କଲ୍ୟାଣସିହଂପୁର ବ୍ଲକର ସମସ୍ତ ଚକ୍ଷୁ ରୋଗୀଙ୍କୁ ଚିହ୍ନଟ କରାଯିବ । ଚକ୍ଷୁ ଚିକିତ୍ସା ଶିବିର କରି ଏବେ ସୁଦ୍ଧା ୭ ହଜାର ୫୦୦ ଜଣଙ୍କର ପରୀକ୍ଷା କରାଯାଇସରିଛି । ୩୦ ଜଣ ରୋଗୀଙ୍କର ଅସ୍ତ୍ରୋପଚାର କରାଯାଇଥିବା ବେଳେ ୭୫୧ ଜଣଙ୍କୁ ଚଷମା ଦିଆଯାଇଛି । ଡଙ୍ଗରିଆଙ୍କୁ ଚକ୍ଷୁ ଚିକିତ୍ସା ଯୋଗାଇବା ପାଇଁ ଏଲ.ଭି.ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ୪ ଜଣ ଟେକ୍ନିସିଆନ ଏବଂ ଓପିଲିପିର ୪ ଜଣ ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମୀ ନିୟୋଜିତ ହୋଇଛନ୍ତି ।