କରୋନାର ନୂଆ ନୂଆ ରୂପକୁ ନେଇ ସତର୍କ କଲେ ରାଜ୍ୟ ସରକାର । ରାଜ୍ୟ ବାହାର ଫେରନ୍ତାଙ୍କ ପାଇଁ ୭ ଦିନିଆ ପୃଥକ ବାସ, ସମାଜିକ ଦୂରତା ଓ ମାସ୍କ ବାଧ୍ୟତାମୂଳକ

142

କନକ ବ୍ୟୁରୋ: କରୋନାର ନୂଆ ରୂପ ଚିନ୍ତା ବଢ଼ାଉଥିବା ବେଳେ ଓଡ଼ିଶାରେ ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ଆଗୁଆ ସତର୍କତାମୁଳକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଯଦିଓ ଆମ ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି, ତଥାପି ସତର୍କ ନହେଲେ ପରିସ୍ଥିତି ବିଗିଡି ଯିବାର ଆଶଙ୍କା ରହିଛି । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ଏହାରି ଭିତରେ ଓଡ଼ିଶାରେ ଟିକାକରଣ ପ୍ରକ୍ରିୟାକୁ ତ୍ୱାରାନ୍ୱିତ କରାଯାଇଛି । ରାଜ୍ୟରେ ମୋଟ୍ ୧୨ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଥିବା ବେଳେ କେତେ ପ୍ରତିଶତ ଆଂଟିବଡ଼ି ବିକଶିତ ହୋଇଛି ତା ଉପରେ ସମସ୍ତଙ୍କ ନଜର ରହିଛି ।

ବେଳ ଥାଉ ଥାଉ ସାବଧାନ ନହେଲେ, କରୋନା ସଂକ୍ରମଣ କେଉଁ ଭଳି ସ୍ଥିତି ସୃଷ୍ଟି କରିପାରେ, ଏକଥା ଆମେ ସମସ୍ତେ ଅନୁଭବ କରିଛନ୍ତି । ଆଉ ଏଭଳି ସ୍ଥିତିରେ କରୋନାର ନୂଆ ନୂଆ ରୂପ ଏବଂ ମହାରାଷ୍ଟ୍ର, ସମେତ ଦେଶର ବିଭିନ୍ନ ସ୍ଥାନରେ ବଢ଼ୁଥିବା ସଂକ୍ରମଣ ପୁଣି ଥରେ କରୋନାକୁ ନେଇ ଚିନ୍ତା କରିବାକୁ ବାଧ୍ୟ କରିଛି । ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ ଜାରି ହୋଇଛି ।

ଏଥିରେ କୁହାଯାଇଛି- କି ପ୍ରକାର ସତର୍କତା ଗ୍ରହଣ କରିବା?
-ମୌଳିକ କୋଭିଡ ନିରୋଧୀ ଆଚରଣ ଗ୍ରହଣ କରିବା
-ହାତ ଧୋଇବା, ଠିକ ଭାବେ ମାସ୍କ ପିନ୍ଧିବା ଓ ଶାରୀରିକ ଦୂରତା ରଖିବା
-ସରକାରଙ୍କ ନିୟମ ଅନୁସାରେ ସମୟ ଆସିଲେ କରୋନା ଟିକା ନେବା
-ଜନସମାଗମଠାରୁ ନିଜକୁ ଯଥାସମ୍ଭବ ଦୂରେଇ ରଖିବା
-କୋଭିଡ ନିୟମ ପାଳନକୁ ସାମ୍ବିଧାନିକ ଓ ମାନବିକ ଦାୟିତ୍ୱ ଭାବିବା
-ବାହାର ରାଜ୍ୟ ଫେରନ୍ତା ୭ଦିନ ଗୃହ ପୃଥକ ବାସରେ ରହିବା
-ସନ୍ଦିଗ୍ଧ ଲକ୍ଷ୍ୟଣ ଥିଲେ ତୁରନ୍ତ ହସ୍ପିଟାଲ ଯାଇ କରୋନା ପରୀକ୍ଷା କରିବା

ଏହି ନୂଆ ଗାଇଡ୍ଲାଇନ୍ରେ କରୋନାର ନୂଆ ରୂପର ନୂଆ ଲକ୍ଷଣ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଛି ।
ନୂଆ ରୂପର ନୂଆ ଲକ୍ଷଣ
-ଦେହ, ହାତ ଅବଶ ଲାଗିବା
-ଭୋକ ନହେବା
-ମୁଣ୍ଡ ବିନ୍ଧା, ଦେହ, ହାତ ସାମାନ୍ୟରୁ ମଧ୍ୟମ ଘୋଳା ବିନ୍ଧା
-ନୂଆ କରି ଚର୍ମରୋଗ ଦେଖାଦେବା
-ଚର୍ମ କୁଣ୍ଡାଇ ହୋଇ ନାଲି କିମ୍ବା ନୀଳ ପଡିବା
-ଗଳା ଦରଜ ଓ ନାକ ଚୁଂଟି ହେବା
-ସାମାନ୍ୟ କାଶ ହେବା ସହ ଛାତିରେ ଯନ୍ତ୍ରଣା ହେବା

କରୋନ ସଂକ୍ରମଣ ବଢ଼ୁଥିବା ବେଳେ ଟିକାକରଣ ପ୍ରକ୍ରିୟାକୁ ବି ତ୍ୱରାନ୍ୱିତ କରାଯାଇଛି । ପ୍ରତିଦିନ ୧ ଲକ୍ଷ ବୟସ୍କଙ୍କ ଟିକାରକଣ ପାଇଁ ୯୨୭ଟି କେନ୍ଦ୍ର କରାଯାଇଛି । ଗ୍ରାମାଚଂଳରେ ବୟସ୍କ ଲୋକଙ୍କୁ ଟିକା ଦେବା ପାଇଁ ଘର ଘର ବୁଲି ପ୍ରଶାସନ ସଚେତନ କରୁଛି । ଯେଉଁ ଜିଲ୍ଲାରେ ଟିକାକରଣ ପ୍ରତିଶତ କମିଛି, ତା ଉପରେ ଅଧିକ ଧ୍ୟାନ ନିଆଯାଉଛି ।

ଏସବୁ ଭିତରେ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଛି ଟିକା ନେବା ପରେ କେତେ ପ୍ରତିଶତ ଆଂଟିବଡ଼ି ବିକଶିତ ହୋଇଛି । ଆଂଟିବଡ଼ିକୁ ଲୋକଙ୍କ ଭିତରେ ଉଠୁଥିବା ପ୍ରଶ୍ନର ଉତର ରଖିଛନ୍ତି ବରିଷ୍ଠ ଚିକିତ୍ସକ ଭି.ଭେଙ୍କଟ ରାଓ ।
-ଟିକାର ପ୍ରଥମ ଡୋଜ୍ ନେବାର ୨୮ ଦିନ ପରେ ଆଂଟିବଡ଼ି ବିକଶିତ ହୋଇଥାଏ
– ଦ୍ୱିତୀୟ ଡୋଜ୍ ନେବାର ୧୪ ଦିନ ପରେ ରକ୍ତ ପରୀକ୍ଷା କଲେ ଆଂଟିବଡ଼ିର ସ୍ତର ଜଣାପଡ଼ିଥାଏ
– ଆଉ ମାସେ ପରେ ଆଂଟିବଡ଼ିର ସ୍ତର କେତେ ପ୍ରତିଶତ ବଢ଼ିଛି ଜାଣିବାରେ ସହଜ ହୋଇଥାଏ
– ସିରୋ ସର୍ଭେ ସାମଗ୍ରିକ ବିକଶିତ ଆଂଟିବଡ଼ିର ସୂଚକାଙ୍କ ବୋଲି ଧରାଯାଏ, ଯାହା ଗବେଷଣା ପାଇଁ ପ୍ରଯୁର୍ଜ୍ୟ
– ଟିକା ନେବା ପରେ ଆଂଟିବଡ଼ି ଗୋଟିଏ ବର୍ଷ ଯାଏଁ ରହିଥାଏ
– କରୋନା ଆକ୍ରାନ୍ତ ହେବା ପରେ ଟିକା ନେଇଥିଲେ ଆଂଟିବଡ଼ି କେତେ ଦିନ ରହିବ ତାହା ନିର୍ଦ୍ଧିଷ୍ଟ ଭାବେ କହି ହେବନାହିଁ

ତେବେ ଆଶ୍ୱସ୍ତିକର କଥା ହେଉଛି ନୂଆ ଷ୍ଟ୍ରେନ୍ର କରୋନା ଭୁତାଣୁକୁ ବି ଟିକା ପ୍ରତିହତ କରିବାର ସକ୍ଷମ ରହିଛି । କିନ୍ତୁ ସାମଗ୍ରିକ ଭାବେ କରୋନା ମୁକାବିଲା ପାଇଁ ସତର୍କତା ଜରୁରୀ ଏବଂ ରାଜ୍ୟ ସରକାର ଜାରି କରିଥିବା ନୂଆ ଗାଇଡ୍ଲାଇନ୍ ପାଳନ କରିବା ଆବଶ୍ୟକ ।