କନକ ବ୍ୟୁରୋ: ଉତ୍ତର ବାଲେଶ୍ୱରବାସୀଙ୍କ ଲାଇଫ୍ ଲାଇନ ସୁବର୍ଣ୍ଣରେଖା ନଦୀ । ପ୍ରତିବର୍ଷ ବନ୍ୟା ଆସି ଜଳେଶ୍ୱର, ବସ୍ତା, ବାଲିଆପାଳ ଏବଂ ଭୋଗରାଇରେ ଚାଷବାସ ଉଜୁଡିଯାଏ । ୨୦୦୮ ବନ୍ୟା ସବୁକିଛି ଛାରଖାର କରିଦେଇଥିଲା । ବନ୍ୟା ଯୋଗୁଁ ଲାକେ ବାରମ୍ବାର କ୍ଷତିଗ୍ରସ୍ତ ହେବା ପରେ ରାଜ୍ୟ ସରକାର ସୁବର୍ଣ୍ଣରେଖା ସଂସ୍କାର ଯୋଜନା କରି ଅର୍ଥ ମଞ୍ଜୁର କରିଥିଲେ । ହେଲେ ଏଯାଏଁ ଯୋଜନା କାର୍ଯ୍ୟକାରୀ ହୋଇନାହିଁ । ଏବେ ପୁଣି ୯୯ କୋଟି ୭୭ ଲକ୍ଷ ଟଙ୍କା ଅର୍ଥ ବ୍ୟୟ ବରାଦ କରିଛନ୍ତି । ଯାହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି ।

Advertisment

୧୦ ବର୍ଷ ତଳେ ରାଜ୍ୟ କ୍ୟାବିନେଟରେ ସୁବର୍ଣ୍ଣରେଖା ସଂସ୍କାର ଯୋଜନା ପ୍ରସ୍ତାବ ଅନୁମୋଦନ ମିଳିଥିଲା । ୨୦୦୯ରେ ପ୍ରଥମ ପର୍ଯ୍ୟାୟରେ ୯୮୦ କୋଟି ଟଙ୍କା ମଞ୍ଜୁର କରିଥିଲେ ରାଜ୍ୟ ସରକାର । ପରେ ଆଉ ୨ଶହ କୋଟି ଟଙ୍କା ବୃଦ୍ଧି କରିଥିଲେ । ଏବେ ପୁଣି ଭୋଗରାଇ ବ୍ଲକର ରଣକୋଠା ଠାରେ ପଥୁରେଶ୍ୱର କେନାଲ ଖନନ ପାଇଁ ୯୯ କୋଟି ୭୭ ଲକ୍ଷ ଟଙ୍କା ଅର୍ଥ ବ୍ୟୟବରାଦ କରିଛନ୍ତି । ଏହାଦ୍ୱାର ୩୨ଟି ପଞ୍ଚାୟତରୁ ବର୍ଷାଜଳ ନିଷ୍କାସନ ପାଇଁ ବାଟ ଫିଟିବ । ପୋତି ହୋଇପଡିଥିବା ନାଳ ସହ ବିଭିନ୍ନ ସ୍ଥାନରେ ନୂଆ ନାଳ ଖୋଳିବାକୁ ସରକାର ଅର୍ଥ ମଂଜୁର କରିଥିବାରୁ ସ୍ଥାନୀୟ ବାସିନ୍ଦା ଖୁସି ଜାହିର କରିଛନ୍ତି । ସେପଟେ ନିର୍ବାଚନକୁ ନଜରରେ ରଖି ଏହି ଯୋଜନା ହୋଇଥିବା ଅଭିଯୋଗ କରିଛନ୍ତି ବିରୋଧୀ ।

ରାଜ୍ୟ ସରକାରଙ୍କ ଏହି ଘୋଷଣାକୁ ନେଇ ସ୍ଥାନୀୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ତେବେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି ନା ପୂର୍ବପରି ପୁଣି ଶୀତଳ ଭଣ୍ଡାରରେ ପଡି ରହୁଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।