ଓଡିଶା ଆପାର୍ଟମେଣ୍ଟ ମାଲିକାନାସତ୍ତ୍ୱ ଓ ପରିଚାଳନା ନିୟମ ନେଇ ଜାରି ହେଲା ବିଜ୍ଞପ୍ତି । ଫ୍ଲାଟ ମାଲିକ ସଂଘ ନାଁରେ ପଞ୍ଜିକୃତ ହେବ ସର୍ବସାଧାରଣ ସ୍ଥାନ

552

କନକ ବ୍ୟୁରୋ: ୨ ବର୍ଷ ପରେ ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜିକରଣ ପାଇଁ ବାଟ ଫିଟିଛି । ରାଜ୍ୟ ସରକାର ଓଡିଶା ଆପାର୍ଟମେଣ୍ଟ ମାଲିକାରା ସତ୍ତ୍ୱ ଓ ପରିଚାଳନା ନିୟମ ଆଣିଛନ୍ତି । ନୂଆ ନିୟମ ଅନୁସାରେ, ଆପାର୍ଟମେଣ୍ଟ ମାଲିକଙ୍କ ଆସୋସିଏସନ ରହିବ । ଆସୋସିଏସନକୁ ସର୍ବସାଧାରଣ ଅଞ୍ଚଳର ମାଲିକାନା ଅଧିକାର ମିଳିବ । ବିଲଡରମାନେ କମନ ଏରିଆ ଉପରେ ଅଧିକାର ଜାହିର କରୁଥିବାରୁ ଏହାକୁ ନେଇ ବିବାଦ ଲାଗିରହିଥିଲା ।

  • ଆପାର୍ଟମେଣ୍ଟ ପଞ୍ଜିକରଣ ପାଇଁ ଫିଟିଲା ବାଟ
  • ଓଡ଼ିଶା ଆପାର୍ଟମେଣ୍ଟ ନିୟମ-୨୦୨୩ ଆଣିଲେ ସରକାର

ପାଖାପାଖି ୨ ବର୍ଷ ଧରି ଆପାର୍ଟମେଣ୍ଟ ପଞ୍ଜିକରଣ ପାଇଁ ସମସ୍ୟା ହେଉଥିଲା । ନୂଆ ନିୟମ ଆଣିବା ପର୍ଯ୍ୟନ୍ତ ଏହା ଉପରେ ରୋକ୍ ଲଗାଇଥିଲେ ହାଇକୋର୍ଟ । ଗତ ବର୍ଷ ଏ ନେଇ ଅଧ୍ୟାଦେଶ ଆଣିଥିଲେ ସରକାର । ୨୦୨୩ ଅକ୍ଟୋବର ୧୩ରେ ଚିଠା ନିୟମ ପ୍ରକାଶ ପାଇଥିଲା । ୧୬ ତାରିଖରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ସ୍ୱତ୍ୱ ଓ ପରିଚାଳନା ନିୟମ-୨୦୨୩ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ । ଫଳରେ ଆପାର୍ଟମେଣ୍ଟ ପଞ୍ଜିକରଣ ପାଇଁ ଥିବା ସମସ୍ୟା ଏବେ ଦୂର ହୋଇଛି ।

ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ନିୟମରେ କ’ଣ ରହିଛି?

  • ଆପାର୍ଟମେଣ୍ଟ ମାଲିକଙ୍କ ଆସୋସିଏସନ ଗଢ଼ାଯିବ
  • ଆସୋସିଏସନକୁ ସର୍ବସାଧାରଣ ଅଞ୍ଚଳର ମାଲିକାନା ଅଧିକାର ମିଳିବ
  • କମନ୍ ଏରିଆରେ କେତେ ଜମି ଅଛି, ଘର କ୍ରେତାଙ୍କ ପାଇଁ କ’ଣ ସୁବିଧା ଅଛି, ତାହା ଜଣାଇ ଦିଆଯିବ
  • ଖେଳ ପଡ଼ିଆ, ପାର୍କିଂ, ସୁଇମିଂ ପୁଲ୍ ଆଦି ସ୍ଥାନ ମାଲିକ ସଂଘ ନାଁରେ ପଞ୍ଜିକୃତ ହେବ
  • ପୁରୁଣା ଆପାର୍ଟମେଣ୍ଟରେ ମଧ୍ୟ ଏହି ନିୟମ ଲାଗୁହେବ

ପୂର୍ବରୁ ବିଲଡରମାନେ କମନ ଏରିଆ ଉପରେ ଅଧିକାର ଜାହିର କରୁଥିବାବେଳେ ଏହାକୁ ନେଇ ବିବାଦ ଦେଖାଦେଇଥିଲା । ମାମଲା ହାଇକୋର୍ଟରେ ପହଁଚିବା ପରେ ଆପାର୍ଟମେଣ୍ଟ ପଞ୍ଜିକରଣ ଉପରେ ରୋକ ଲାଗିଥିଲା । ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସରକାର ‘ଓଡ଼ିଶା ଆପାର୍ଟମେଂଟ ମାଲିକାନା ଅଧିନିୟମ-୧୯୮୨’ ଉଚ୍ଛେଦ କରିବା ସହ ନୂଆ ନିୟମ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ । ଦୀର୍ଘ ଦିନ ଧରି ଆପାର୍ଟମେଂଟ ରେଜିଷ୍ଟ୍ରେସନ ବନ୍ଦ ହୋଇଯିବାରୁ କ୍ଷତି ସହିଥିଲେ ରିଏଲ ଇଷ୍ଟେଟ୍ ମାଲିକ ।