କାହା ସ୍ୱାର୍ଥରେ କାମ କରୁଛି କେନ୍ଦ୍ରୀୟ ଜଳ ଆୟୋଗ ? ସିଡବ୍ଲୁସିର ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଲା ରାଜ୍ୟ

119

କନକ ବ୍ୟୁରୋ: ମହାନଦୀ ଜଳ ବିବାଦକୁ ନେଇ ପୁଣି ଥରେ ମୁହାଁମୁହିଁ ହେଲେ ରାଜ୍ୟ ଓ କେନ୍ଦ୍ର ସରକାର । ହୀରାକୁଦ୍ ଡ୍ୟାମର ପରିଚାଳନା ଉପରେ ପ୍ରଶ୍ନ ଉଠାଇଲା କେନ୍ଦ୍ରୀୟ ଜଳ ଆୟୋଗ । ଡ୍ୟାମର ପରିଚାଳାନାଗତ ତ୍ରୁଟି ପାଇଁ ୨୦୨୦ରେ ଛତିଶଗଡରେ ବନ୍ୟା ହୋଇଥିବା ଦର୍ଶାଇ ଓଡିଶାକୁ ଦୋଷ ଦେଇଛି ଛତିଶଗଡ । ଅନ୍ୟପଟେ କେନ୍ଦ୍ରୀୟ ଜଳ ଆୟୋଗର ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି ରାଜ୍ୟ ।

ମହାନଦୀ ଜଳକୁ ନେଇ ପୁଣି ତେଜିଲା ବିବାଦ । ମୁହାଁମୁହିଁ ହେଲେ ରାଜ୍ୟ ଓ କେନ୍ଦ୍ର ସରକାର । ୨୦୨୦ରେ ଛତିଶଗଡର ୩ଟି ଜିଲ୍ଲାରେ ହୋଇଥିବା ବନ୍ୟା ପାଇଁ ଓଡିଶାକୁ ଦୋଷ ଦେଇଛନ୍ତି ଛତିଶଗଡ ସରକାର । ହୀରାକୁଦ ଡ୍ୟାମ କର୍ତୃପକ୍ଷଙ୍କ ପରିଚାଳନାଗତ ତ୍ରୁଟି ଯୋଗୁଁ ବନ୍ୟା ହୋଇଥିବା ଅଭିଯୋଗ କରିଛି ଛତିଶଗଡ । ଅଭିଯୋଗକୁ ଆଧାର କରି ଜଳ ଶକ୍ତି ମନ୍ତ୍ରାଳୟ ଓ କେନ୍ଦ୍ରୀୟ ଜଳ ଆୟୋଗ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛି । ପୂର୍ବରୁ ଛତିଶଗଡ ସରକାର ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଥିବାବେଳେ ଏହାର ଜବାବ ଦେଇସାରିଛନ୍ତି ସରକାର । ସିଡବ୍ଲୁସିର ଜବାବ ଦିଆଯିବ ବୋଲି କହିଛି ରାଜ୍ୟ ।

କେନ୍ଦ୍ର ସରକାରର ଏଭଳି ମନୋଭାବକୁ ନିନ୍ଦା କରିଛନ୍ତି ରାଜ୍ୟ ସରକାର । ଜଳ ଶକ୍ତି ମନ୍ତ୍ରାଳୟ ଓ ସିଡବ୍ଲୁସିର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ସାଂସଦ ସୁବାସ ସିଂ । ଛତିଶଗଡ ସରକାର ମହାନଦୀକୁ ଅଟକାଇବାରୁ ଓଡିଶା ବହୁବାର ସମସ୍ୟା ଭୋଗିଛି । ଏହି ପ୍ରସଙ୍ଗରେ କେନ୍ଦ୍ରୀୟ ଜଳ ଆୟୋଗ ଚୁପ ରହିଥିବାବେଳେ ଏବେ ଓଡିଶା ପ୍ରତି ବୈମାତୃକ ମନୋଭାବ କରୁଥିବା ସୁବାସ ସିଂ କହିଛନ୍ତି । ଅନ୍ୟପଟେ ରାଜ୍ୟ ସରକାର ବି ଅନେକ ସମୟରେ ଭୁଲ କରିଥିବା ବିଶେଷଜ୍ଞ କହିଛନ୍ତି ।

ଛତିଶଗଡର ସ୍ୱାମୀ ବିବେକାନନ୍ଦ ବୈଷୟିକ ବିଶ୍ୱବିଦ୍ୟାଳୟ ୨୦୨୦ ଛତିଶଗଡ ବନ୍ୟାର କାରଣ ଖୋଜିବା ସହ ହୀରାକୁଦ ଡ୍ୟାମର କର୍ତୃପକ୍ଷଙ୍କୁୁ ଦୋଷ ଦେଇଛନ୍ତି । ତେବେ ଏଭଳି ତଥ୍ୟ ସଂଗ୍ରହ କରିଥିବା ଟିମର ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଶେଷଜ୍ଞ ।