କନକ ବ୍ୟୁରୋ : ୫୮ ବର୍ଷ ପାଦଦେଲେ ବଲିଉଡ ଭାଇଜାନ୍ ସଲମାନ୍ ଖାନ୍ । ଜନ୍ମଦିନର ସେଲିବ୍ରେସନ ସୋମବାର ରାତିରୁ ଆରମ୍ଭ ହୋଇଯାଇଛି । ଶହ ଶହ ଫ୍ୟାନ୍ସ ଓ ସେଲିବ୍ରେଟିଙ୍କ ଗହଣରେ କେକ୍ କାଟି ଜନ୍ମଦିନ ପାଳିଛନ୍ତି ଦବଙ୍ଗ ଖାନ୍ । ସଲମାନଙ୍କ ବାର୍ଥ ପାର୍ଟି ପ୍ରତିବର୍ଷ ତାଙ୍କ ଫାର୍ମହାଉସରେ ପାଳନ ହେଉଥିବା ବେଳେ ଏଥର ମୁମ୍ବାଇରେ ହୋଇଛି । ଭାଇଜାନଙ୍କ ଜନ୍ମଦିନରେ ଭାଣୀଜି ଆୟତଙ୍କ ଜନ୍ମଦିନ ଥିବାରୁ ଭଉଣୀ ଅର୍ପିତା ଏହି ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିଲେ । ଯେଉଁଥିରେ ସାମିଲ ହେବାକୁ ପହଂଚିଥିଲେ କିଙ୍ଗ ଖାନ୍ ଶାହାରୁଖ, ତବୁ, ସଙ୍ଗୀତା ବିଜଲାନୀ, ପୂଜା ହେଗଡେ, କାର୍ତିକ ଆର୍ୟନ, ସିଦ୍ଧାର୍ଥ ଚତୁର୍ବେଦୀ, ସୁନିଲ ସେଟ୍ଟୀଙ୍କ ଭଳି ଷ୍ଟାର । ସେହିପରି ଫ୍ୟାନ୍ସ ବି ଏହି ପାର୍ଟିରେ ସାମିଲ ହୋଇଥିଲେ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜନ୍ମଦିନ ପାଇଁ ସୋସିଆଲ ମିଡିଆରେ ମଧ୍ୟ ବଲିଉଡ ଟାଇଗରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଫ୍ୟାନ୍ସ ।
୫୮ ବର୍ଷ ବୟସରେ ମୋଷ୍ଟ ଏଲିଜିବୁଲ ବ୍ୟାଚଲର ଭାବେ ବଲିଉଡରେ ଚର୍ଚ୍ଚାରେ ଅଛନ୍ତି ଭାଇଜାନ୍ । ୧୯୮୮ ମସିହା ଫିଲ୍ମ ‘ବିବି ହୋ ତୋ ଏସି’ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିଥିଲେ ସଲମାନ । ଏହାପରେ ବ୍ୟାକ୍ ଟୁ ବ୍ୟାକ୍ ହିଟ୍ ଫିଲ୍ମ ଦେଇ ବଲିଉଡରେ ନିଜ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ଅଭିନୀତ ଫିଲ୍ମ ମଧ୍ୟରେ ‘ମେନେ ପ୍ୟାର କିୟା, ‘ହମ୍ ଆପକେ ହେ କୌନ’ ‘ହମ୍ ସାଥ ସାଥ୍ ହେ’ ‘ପ୍ୟାର କିୟା ତୋ ଡରନା କ୍ୟା’ ‘ହମ୍ ଦିଲ୍ ଦେ ଚୁକେ ସନମ, ଦବଙ୍ଗ, ୱେଂଟେଡ, ସୁଲତାନ୍, ବଜରଙ୍ଗୀ-ଭାଇଜାନ୍, ଟାଇଗର ଜିନ୍ଦା ହେ’ ବକ୍ସଅଫିସରେ ହୋଇଛି ସୁପରହିଟ୍ । ଅଭିନେତା ସାଙ୍ଗକୁୁ ଜଣେ ଦକ୍ଷ ଫିଲ୍ମ ପ୍ରଯୋଜକ ଭାବେ ବି ସେ ବେଶ୍ ଜଣାଶୁଣା ।