ସୁଏଜ କେନାଲରେ ଦୂର ହେଉଛି ଅଚଳାବସ୍ଥା । ଆଂଶିକ ଭାବେ ଭାସିଲା ସପ୍ତାହେ ଧରି ଫସିଥିବା ବିଶାଳକାୟ ଏଭର ଗିଭେନ ଜାହାଜ 

129

କନକ ବ୍ୟୁରୋ: ପ୍ରାୟ ଗୋଟିଏ ସପ୍ତାହ ହେବ, ଜଳପଥରେ ବିଶ୍ୱର ବ୍ୟସ୍ତ ବହୁଳ ବାଣିଜ୍ୟ ମାର୍ଗ ସ୍ୱେଜ କେନାଲର ଅଚଳ ଅବସ୍ଥା ହଟିବାକୁ ଯାଉଛି । କାରଣ ସ୍ୱେଜ କେନାଲରେ ଫସିଥିବା ବିଶାଳକାୟ ଏଭର ଗିଭେନ ଜାହାଜ ଭାସିବା ଆରମ୍ଭ କରିଛି । ଯାହା ଶୀଘ୍ର କେନାଲ ରାସ୍ତାରେ ଯାତାୟତ ଆରମ୍ଭ ହେବାର ଆଶାକୁ ସଂଚାର କରିଛି । ଟୁଇଟ କରି ଏହି ସୂଚନା ଦେଇଛି ସାମୁଦ୍ରିକ ସେବା ଯୋଗାଉଥିବା କଂପାନୀ ଇଂଚକେପ ସିପିଙ୍ଗ୍ ।

ଟୁଇଟରରେ ଇଂଚକେପ ସିପିଙ୍ଗ ଲେଖିଛି, “ଏଭର ଗିଭେନ ଜାହାଜ ୨୯ ମାର୍ଚ୍ଚ ୨୦୨୧ ତାରିଖ ୪ଟା ୩୦ ମିନିଟରେ ପୁଣି ଭାସିବା ଆରମ୍ଭ କରିଛି । ଏବେ ଜାହାଜକୁ ସୁରକ୍ଷିତ ଓ ସନ୍ତୁଳିତ କରାଯାଉଛି । ଆଗାମୀ ପଦକ୍ଷେପ ବାବଦରେ ଜଣାପଡିବା ପରେ ଶୀଘ୍ର ସୂଚିତ କରିଦିଆଯିବ ।”

ସେହିପରି ପଣ୍ୟବାହୀ ଜାହାଜ ଏଭ ଗିଭେନ ସିପ କେନାଲରୁ ବାହାରିବା ପରେ ଯାତାୟତ ସ୍ୱାଭାବିକ ହେବ ବୋଲି ଟୁଇଟରରେ ଉଲ୍ଲେଖ କରିଛି ଇଂଚକେପ ସିପିଙ୍ଗ ।

ଇଜପ୍ଟର ସ୍ୱେଜ କେନାଲରେ ଗଲା ମଙ୍ଗଳବାର ଠାରୁ ଫସିଥିବା ତାଇୱାନ କଂପାନୀର ବିଶାଳକାୟ ଜାହାଜ ଏଭର ଗିଭେନ ସିପ୍କୁ ଟଗବୋଟ ସହାୟତାରେ ବାହାର କରିବାକୁ ଚେଷ୍ଟା କରାଯାଉଛି ।

ସୋମବାର କେନାଲର ଦକ୍ଷିଣାଂଚଳରେ ଫସିଥିବା ଜାହାଜର ଅଗ୍ରଭାଗକୁ ପାଣି ଭିତରକୁ ଅଣାଯାଇଥିବାରୁ ଜାହାଜ ଆଂଶିକ ଭାବେ ଭାସିବା ଆରମ୍ଭ କରିଛି । ଖୁବ ଶୀଘ୍ର ଜାହାଜର ଦିଗ ପରିବର୍ତନ କରି କେନାଲ ରାସ୍ତା ଦେଇ ଆଗକୁ ନେବା ପାଇଁ ପଦକ୍ଷେପ ନିଆଯିବ । ସ୍ୱେଜ କେନାଲ ପ୍ରାଧିକରଣ ମୁଖ୍ୟ ଲେଫ୍ଟେନାଂଟ ଜେନେରାଲ ଓସାମା ରବେଇ କହିଛନ୍ତି,

“ସାଟେଲାଇଟ ସୂଚନା ଅନୁସାରେ ଜାହାଜ ସେହି ସ୍ଥାନରେ ଫସି ରହିଛି ଓ ତାହାକୁ ବାହାର କରିବାକୁ ଉଦ୍ୟମ କରୁଥିବା ଏକାଧିକ ଟଗବୋଟ ଦ୍ୱାରା ଘେରିିକି ରହିଛି । ଜାହାଜ ଫସିଥିବା ଯୋଗୁଁ ଦୈନିକ ୯ ଅରବ ଡଲାରରୁ ଅଧିକ କ୍ଷତି ହେଉଥିବା ଆକଳନ କରାଯାଉଛି ।”

ଟଗବୋଟ ଫସିଥିବା ଜାହାଜକୁ ଧକ୍କା ଦେଇ ବାହାର କରିବାକୁ ଉଦ୍ୟମ କରୁଛନ୍ତି । ତେବେ ଆଶଙ୍କା କରାଯାଉଛି ଏଭର ଗିଭେନ ସିପ୍ କେନାଲରୁ ବାହାରିବାକୁ ଆହୁରି କିଛି ଦିନ ଲାଗିଯାଇପାରେ । ଏଭର ଗିଭେନ କଂଟେନର ସିପ୍ ଚୀନରୁ ମାଲ ବୋଝେଇ କରି ନେଦରଲାଣ୍ଡ ଅଭିମୁଖେ ବାହାରେଥିଲା । ଭାରତ ମହାସାଗରରୁ ୟୁରୋପ ଯିବା ପାଇଁ ସ୍ୱେଜ କେନାଲ ପଥକୁ ବାଛିଥିଲା । କିନ୍ତୁ ସ୍ଥାନୀୟ ସମୟ ଅନୁସାରେ ମଙ୍ଗଳବାର ସାକଳ ୭ଟା ୪୦ ମିନିଟରେ ସ୍ୱେଜ କେନାଲରେ ଫସିଯାଇଥିଲା ଏହି ଜାହାଜ । ଜାହାଜର କ୍ରିୟୁ ମେମ୍ବର କହିବା ଅନୁଯାୟୀ ସ୍ୱେଜ କେନାଲକୁ ପାରି ହେବା ସମୟରେ ଏକ ସାମୁଦ୍ରିକ ଝଡ ଆସିବାରୁ ଜାହାଜ ତେରଛା ହୋଇ କେନାଲ ପଥକୁ ଅବରୋଧ କରି ଫସିଗଲା ।