କନକ ବ୍ୟୁରୋ : ବେସରକାରୀ ଚାକିରି ସରକାରୀ ଦଲାଲ । ମାଲକାନଗିରିରେ ଛୋଟ ଚାକିରି ପାଇଁ ବଡ ନୋଟ କାରବାର ହେଉଥିବା ନେଇ କନକ ନ୍ୟୁଜରେ ପ୍ରାୟ ୧୫ଦିନ ତଳେ ଆମେ ମହାଖୁଲାସା କରିଥିଲୁ । ଆଉଟସୋର୍ସିଂ ମାଧ୍ୟମରେ ସ୍ୱାସ୍ଥ୍ୟ ବିଭାଗରେ ବିଭିନ୍ନ ପଦ ପଦବୀ ପାଇଁ ନିଯୁକ୍ତି ଦେବା ଲାଗି ମାଲକାନଗିରି ସିଡିଏମଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଟେଣ୍ଡର ଆହ୍ୱାନ ହୋଇଥିଲା । ବିଶେଷ କରି ଛୋଟ ଛୋଟ ପଦବୀ ପୂରଣ ଲାଗି ନିର୍ଦ୍ଦିଷ୍ଟ ଏକ କମ୍ପାନୀ ସହ ସଲାସୁତୁରା କରି ଆଦିବାସୀ ତଥା ଗରିବ ଚାକିରି ଆଶାୟୀଙ୍କୁ ଶୋଷଣ କରାଯାଉଥିବା ନେଇ ଆମେ ଖବର ପ୍ରସାରଣ କରିଥିଲୁ ।
ଗତ ୯ ତାରିଖରେ ଆମେ ବେସରକାରୀ ଚାକିରି ସରାକାରୀ ଦଲାଲ କାର୍ଯ୍ୟକ୍ରମ ମାଧ୍ୟମରେ କିଛି ସରକାରୀ କର୍ମଚାରୀଙ୍କ ମୁଖା ଖୋଲି ଥିଲୁ । ଆଜି ଆମେ ବେସରକାରୀ ଚାକିରି ସରକାରୀ ଦଲାଲ - ପାର୍ଟ୨ ଆପଣଙ୍କ ସାମନାରେ ରଖିବୁ । କେମିତି ଜଣେ ଷ୍ଟାଫ ନର୍ସ ଚାକିରି ଆଶାୟୀଙ୍କ ଠାରୁ ଟଙ୍କା ନେଉଥିଲେ ତାହାର ପ୍ରମାଣ ଆପଣ ସାମ୍ନାକୁ ଆଣିବୁ । ଏପରିକି ନିଜକୁ କ୍ଲିନ୍ ଚିଟ୍ ଦେବାଲାଗି ସିଡିଏମଓଙ୍କ କାର୍ଯ୍ୟାଳୟରେ କେମିତି ସରକାରୀ ଫାଇଲର ନଥି ପତ୍ରକୁ ହେରଫେର କରାଯାଇଛି, ତାହା ମଧ୍ୟ ଆମେ ଆପଣଙ୍କ ସାମନାରେ ରଖିବୁ ।
ଆଜି ଆଉ ଜଣେ ସରକାରୀ ଦଲାଲଙ୍କ ପର୍ଦାଫାଶ କରିବୁ । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଷ୍ଟାଫ ନର୍ସ ଯାହାଙ୍କ ନାଁ ହୀରାମଣି ହଂସ, ସେ କେମିତି ପିଲାଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ ଏବଂ ନିର୍ଦ୍ଦିଷ୍ଟ କିଛି ଆକାଉଣ୍ଟରେ ୟୁପିଆଇ ମାଧ୍ୟମରେ ଟ୍ରାନ୍ସଫର କରୁଥିଲେ, ତାହାର ପ୍ରମାଣ ଏବେ କନକ ନ୍ୟୁଜ ହାତରେ ଲାଗିଛି । ହୀରାମଣି ହଂସଙ୍କ ଏହି ବ୍ୟାଙ୍କ ଆକାଉଣ୍ଟକୁ ସେପ୍ଟେମ୍ବର ମାସରୁ ହଠାତ ହିରାମଣି ହଂସଙ୍କ ଜମାଖାତାରେ ନେଣଦେଣ ଅହେତୁକ ଭାବେ ବଢି ଚାଲିଥିଲା ।
କେତେବେଳେ ୭୦ ହଜାର ତ ଆଉ କେତେ ବେଳେ ୪୦ ହଜାର ତ ଆଉ କେତେବେଳେ ୨୦ ହଜାର ଟଙ୍କା ଆକାଉଣ୍ଟରେ ଜମା ହେବାକୁ ଲାଗିଲା । ୨୯ ସେପ୍ଟେମ୍ବର ଠାରୁ ୩୧ ଅକ୍ଟୋବର ଅର୍ଥାତ ୩୦ ରୁ ୩୨ ଦିନ ମଧ୍ୟରେ ହିରାମଣିଙ୍କ ଜମା ଖାତାରେ ୧୦ ଲକ୍ଷରୁ ଅଧିକ ଟଙ୍କା ଜମା ହୋଇଛି । ଆଉ ପୁଣି ପର୍ଯ୍ୟାୟ କ୍ରମେ ୟୁପିଆଇ ମାଧ୍ୟମରେ ଟଙ୍କା ଟ୍ରାନ୍ସଫର ହୋଇଛି । ୩୦ ସେପ୍ଟେମ୍ବର ୨୦୨୨ରେ ୮୭୬୩୭୭୨୫୦୨୦ ନମ୍ବରରୁ ହୀରାମଣି ହଂସଙ୍କ ଆକାଉଂଟରେ ଏମଭି-୧୭ ଗାଁର ଅଭିଜିତ ରାୟ ନାମକ ବ୍ୟକ୍ତି ୭୦ହଜାର ୫ଶହ ଟଙ୍କା ଟ୍ରାନ୍ସଫର କରିଥିଲେ । ସଂଗିତା ନାମକ ଜଣେ ପ୍ରାର୍ଥୀଙ୍କ ପାଇଁ ପ୍ରଦୀପ ନାମକ ବ୍ୟକ୍ତିଙ୍କ ମାଧ୍ୟମରେ ଏହି ଟଙ୍କା ପଠାଇ ଥିବା କନକ ଅନୁସନ୍ଧାନରୁ ଜଣା ପଡିଛି ।
ମାଲକାନଗିରିରେ ବେସରକାରୀ ଚାକିରି ପାଇଁ ସରକାରୀ ଦଲାଲ ପ୍ରସଙ୍ଗରେ ଗତ ୯ ତାରିଖରେ କନକ ନ୍ୟୁଜରେ ମହାଖୁଲାସା ହୋଇଥିଲା । ଏହାପରେ ଏଡିଏମଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ ଜିଲ୍ଲାପାଳ । ତେବେ ଏଯାଏଁ ସମ୍ପୃକ୍ତ ଫାର୍ମାସିଷ୍ଟ ମାନସ ବାରିକଙ୍କ ବିରୋଧରେ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରାହଣ କରାଯାଇନାହିଁ । ଆଉ ପ୍ରଶାସନିକ ତଦନ୍ତରେ ସବୁ କିଛି ଠିକ ଠାକ୍ ଥିବା ଜଣା ପଡିଛି । ଲାଞ୍ଚ କାରବାର ଅଭିଯୋଗ ନେଇ ସମ୍ପୃକ୍ତ କମ୍ପାନୀକୁ କାରଣ ଦର୍ଶାଓ ନୋଟିସ ଜାରି କରି ଫାଇଲରେ ଖଞ୍ଜିଛନ୍ତି ସିଡିଏମଓଙ୍କ କାର୍ଯ୍ୟାଳୟ । ତେବେ ସେଇ ଚିଠିରେ ମଧ୍ୟ ସିଡିଏମଓଙ୍କ କାର୍ଯ୍ୟାଳୟ ଚଞ୍ଚକତା କରିଥିବା ଜଣା ପଡିଛି । ଦେଖନ୍ତୁ ଏହି ଚିଠିକୁ ଚିଠି ସଂଖ୍ୟା ୯୦୩୪, ତାରିଖ ୧୦-୧୦-୨୦୨୨ ସିଡିଏମଓଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ଡାକ୍ତରଖାନା ସୁପେରିଟେଣ୍ଡଣ୍ଟମାନଙ୍କୁ ଡାକ୍ତରମାନଙ୍କ ତାଲିମ ନିମନ୍ତେ ପଠାଗଲା ।
ତେବେ କମ୍ପାନୀର ଏହି ଚିଠି ମାଧ୍ୟମରେ କମ୍ପାନୀକୁ କାରଣ ଦର୍ଶାଓ ନୋଟିସ ଜାରି କରାଯାଇଛି, ଯାହାର ଉତର କମ୍ପାନୀ କର୍ତ୍ତୃପକ୍ଷ ରଖିଛନ୍ତି । ସେହିପରି ଇ-ଡେସପାଚ ରେଜିଷ୍ଟରରୁ ମିଳିଥିବା ଏହି ତଥ୍ୟ ଅନୁଯାଇ ଚିଠି ସଂଖ୍ୟା ୮୬୮୫, ତାରିଖ ୨୯-ସେପ୍ଟେମ୍ବର-୨୦୨୨ର ଏହି ଚିଠିକୁ କାଲିମେଳା ଓ ପାଣ୍ଡ୍ରିପାଣି ଡାକ୍ତରଖାନାକୁ ଜାରି କରାଯାଇଛି । ସେଇ ଚିଠି ସଂଖ୍ୟାକୁ ଚୋରି କରା ଯାଇ ଶକ୍ତି ସେକ୍ୟୁରିଟି ନାମକ କମ୍ପାନୀକୁ କାରଣ ଦର୍ଶାଓ ନୋଟିସ ଜାରି କରାଯାଇଛି । ଯାହା ପ୍ରମାଣିତ କରୁଛି, ସବୁ କିଛି ଠିକ୍ ଠାକ୍ କରିବା ଲାଗି କେମିତି ଫାଇଲ ପତ୍ର ସହ ଚଞ୍ଚକତା କରା ଯାଇଛି । ଆଉ ତଦନ୍ତ କମିଟି ଆଗରେ ସବୁ କିଛି ଠିକ୍ ଠାକ୍ ଦେଖାଇବାରେ ସିଡିଏମଓ ଅନେକ ଅଂଶରେ ସଫଳ ମଧ୍ୟ ହୋଇଛନ୍ତି ।
ଗତ ୯ ତାରିଖ ଦିନ ଆମେ.. ଆପଣଙ୍କୁ ଜଣାଇଥିଲୁ କେମିତି ବିଭିନ୍ନ ବର୍ଗର ପଦପଦବୀ ପାଇଁ ଏକ ପ୍ରାଇସ ଲିଷ୍ଟ ପ୍ରସ୍ତୁତ କରାଯାଇଥିଲା । ଏହି ତାଲିକା ଅନୁଯାୟୀ ଲାଞ୍ଚ ଆଦାୟ କରୁଥିଲେ ଜଣେ ସରକାରୀ ଫାର୍ମାସିଷ୍ଟଙ୍କ ସହ ଅନ୍ୟ କିଛି କର୍ମଚାରୀ, ତାହା ଆମେ ଆପଣଙ୍କୁ ଦେଖାଇ ଥିଲୁ । ନଜର ପକାନ୍ତୁ ଏହି ତାଲିକା ଉପରେ । ଏହି ତାଲିକା ଅନୁଯାୟୀ ଟଙ୍କା ଆଦାୟ ହୋଇଥାଏ ।
ସ୍ୱିପର ପଦବୀ – ୩୦ ହଜାର
ଆଟେଣ୍ଡାଣ୍ଟ– ୬୦ ହଜାର
ଷ୍ଟାଫ ନର୍ସ – ୭୦ ହଜାର
ଏମଆରଏ ବା ମେଡିକାଲ ରେକର୍ଡ ଆସିଷ୍ଟାଣ୍ଟ– ୯୦ ହଜାର
ଏଏନଏମ୍ – ୧ ଲକ୍ଷ ୩୦ ହଜାର
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/MKG-THUMB.jpg)