୨୭ରୁ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର : ପ୍ରଥମେ ସେବାୟତ ପରିବାର, ପରେ ଭକ୍ତ; କରୋନା ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ

୩ରୁ ଖୋଲିବ ଭୁବନେଶ୍ବରର ଅନ୍ୟାନ୍ୟ ମନ୍ଦିର

65

କନକ ବ୍ୟୁରୋ : ଭକ୍ତଙ୍କ ପାଇଁ ଖୋଲିବ ଭଗବାନଙ୍କ ଦ୍ବାର। ଶ୍ରଦ୍ଧାଳୁମାନେ ମନ୍ଦିର ଭିତରକୁ ଯାଇ ଦିଅଁ ଦର୍ଶନ କରିପାରିବେ। ୨୩ ତାରିଖରୁ ପୁରୀ ଶ୍ରୀମନ୍ଦିର ଖୋଲିବ। ଏହାର ଠିକ୍‌ ୪ ଦିନ ପରେ ଅର୍ଥାତ୍‌ ୨୭ ତାରିଖରୁ ଭୁବନେଶ୍ବରସ୍ଥିତ ଶ୍ରୀ‌ଲିଙ୍ଗରାଜ ମନ୍ଦିର ଭକ୍ତଙ୍କ ଲାଗି ଖୋଲାଯିବ। ଏଥିସହ ଜାନୁଆରି ୩ରୁ ଭୁବନେଶ୍ବରରେ ଥିବା ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଖୋଲିବ ବୋଲି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) କମିସନର ପ୍ରେମଚନ୍ଦ୍ର ଚୌଧରୀ ସୂଚନା ଦେଇଛନ୍ତି। ନିଷ୍ପତ୍ତି ଅନୁଯାୟୀ, ଡିସେମ୍ବର ୨୭ରୁ ୩୧ପର୍ଯ୍ୟନ୍ତ କେବଳ ସେବାୟତଙ୍କ ପରିବାର ଲାଗି ମନ୍ଦିର ଖୋଲିବ।

ଜାନୁଆରି ୧ ଓ ୨ରେ ମନ୍ଦିର ବନ୍ଦ ରହିବ। ୩ରୁ ପୁଣି ଥରେ ମନ୍ଦିର ଖୋଲିବ। ୩ରୁ ୫ତାରିଖ ପର୍ଯ୍ୟନ୍ତ କେବଳ ଭୁବନେଶ୍ୱରବାସୀଙ୍କୁ ହିଁ ମନ୍ଦିରଙ୍କୁ ପ୍ରବେଶ ଲାଗି ଅନୁମତି ମିଳିବ। ଏହି ସମୟ ମଧ୍ୟରେ ଯେଉଁମାନେ ଦର୍ଶନ କରିବାକୁ ଚାହିଁବେ, ସେମାନେ ଯଥାପୂର୍ବରୁ ନିଜର କୋଭିଡ୍‌ ପରୀକ୍ଷା କରାଇ ନେଗେଟିଭ୍ ରିପୋର୍ଟ ନେଇ ଯିବା ବାଧ୍ୟତାମୂଳକ ହୋଇଛି। ଜାନୁଆରି ୬ରୁ ସର୍ବସାଧାରଣଙ୍କ ପାଇଁ ତଥା ଭୁବନେଶ୍ୱର ବାହାରର ଭକ୍ତଙ୍କ ଲାଗି ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲାଯିବ। ଦର୍ଶନକୁ ଯିବା ସମୟରେ ସାମାଜିକ ଦୂରତା ଓ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ପାଳନ କରାଯିବ। ପ୍ରବେଶ ପୂର୍ବରୁ ଥର୍ମାଲ୍‌ ସ୍କ୍ରିନିଂ ହେବ। କୋଭିଡ୍-୧୯ ପଜିଟିଭ୍ ଥିବା ବ୍ୟକ୍ତିଙ୍କୁ ଆଦୌ ଦର୍ଶନ କରିବାକୁ ସୁଯୋଗ ମିଳିବ ନାହିଁ। କମିସନରେଟ୍ ପୁଲିସ୍ ଓ ମନ୍ଦିର ପ୍ରଶାସନର ସହଯୋଗରେ ଦର୍ଶନ ପାଇଁ ମନ୍ଦିର ବାହାରଠାରୁ ବେଢ଼ା ଭିତର ପର୍ଯ୍ୟନ୍ତ ବ୍ୟାରିକେଡ୍‌ କଟକଣା ରହିବ। ସମସ୍ତ ସେବାୟତ ଓ ସହଯୋଗୀ ଅନୁଷ୍ଠାନ ଏ ଦିଗରେ ସହଯୋଗ କରିବାକୁ ବିଏମ୍‌ସି ପକ୍ଷରୁ ନିବେଦନ କରାଯାଇଛି।

ସେହିପରି ଜାନୁଆରି ୩ରୁ ରାଜଧାନୀର ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ ଧର୍ମାନୁଷ୍ଠାନ ଖୋଲିବା ପୂର୍ବରୁ ମନ୍ଦିର ପରିଚାଳନା କମିଟି ଏକ ପ୍ରତିଶ୍ରୁତିପତ୍ର ଭୁବନେଶ୍ବର ମହାନଗର ନିଗମ କର୍ତୃପକ୍ଷଙ୍କ ନିକଟରେ ଦାଖଲ କରିବେ। ଏଥିରେ ଗୋଟିଏ ସମୟରେ କେତେ ଭକ୍ତ ଧର୍ମାନୁଷ୍ଠାନ ଭିତରକୁ ଯାଇପାରିବେ ଓ କେତେ ଭକ୍ତଙ୍କ ପାଇଁ ସେଠାରେ ସ୍ଥାନ ରହିଛି, ତାହା ମଧ୍ୟ ଉଲ୍ଲେଖ କରିବେ। ଯଦି କୌଣସି କୋଭିଡ୍‌ ନିର୍ଦ୍ଦେଶାବଳୀ ବା ସାଧାରଣ ପ୍ରଶାସନ ଉଲ୍ଲଙ୍ଘନ ଜନିତ ଘଟଣାର ପ୍ରମାଣ ମିଳେ, ଆବଶ୍ୟକ ପ୍ରଶାସନିକ ପଦକ୍ଷେପ ନିଆଯିବ। କୌଣସି ସ୍ୱତନ୍ତ୍ର ପର୍ବ ଥିଲେ, କେଉଁ ସମୟରେ କେତେ ବ୍ୟକ୍ତି ସେଠାକୁ ଯିବେ ଏବଂ କିପରି କୋଭିଡ଼୍ ନିର୍ଦ୍ଦେଶାବଳୀକୁ ମାନି ଚଳିବେ, ସମ୍ପୃକ୍ତ ଧର୍ମାନୁଷ୍ଠାନ ଲିଖିତ ଭାବେ ବିଏମ୍‌ସି ନିକଟରେ ଉପସ୍ଥାପନ କରି ଏହାର ଆବଶ୍ୟକ ଅନୁମତି ନେବେ ବୋଲି ଶ୍ରୀ ‌ଚୌଧୁରୀ କହିଛନ୍ତି।