କନକ ବ୍ୟୁରୋ: ଏଥର ବି ଗତବର୍ଷ ଭଳି ବିନା ଭକ୍ତରେ ପାଳିତ ହେବ ପାର୍ବଣ  । ଏନେଇ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର  । ଅଗଷ୍ଟରୁ ନଭେମ୍ବର ଯାଏଁ ଏହି ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ଭଳି ପର୍ବପର୍ବାଣି ପାଇଁ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି  । କୌଣସି ପେଣ୍ଡାଲରେ ୪ ଫୁଟରୁ ଅଧିକ ଉଚ୍ଚ ହେବ ନାହିଁ ମୂର୍ତି  । ବିନା ଭକ୍ତରେ କେବଳ ବିଧିମୂତାବକ ପୂଜା ସମ୍ପନ୍ନ ହେବ  ।

Advertisment

ପୂଜା ପେଣ୍ଡାଲରେ ସର୍ବାଧିକ ୭ ଜଣଙ୍କୁ ରହିବାକୁ ଅନୁମତି ଦିଆଯାଇଛି, ଅର୍ଥାତ୍ କର୍ତା, ପୂଜାରୀ ଓ ଅନୁଷ୍ଠାନର କର୍ମକର୍ତା ମିଶି ସର୍ବାଧିକ ୭ ଜଣ ରହିପାରିବେ  । ସେହିପରି ପୂଜା ପେଣ୍ଡାଲ ଗୁଡ଼ିକୁ ୪ ପଟୁ ଆବଦ୍ଧ କରାଯିବ  । ତିନି ପଟୁ ସମ୍ପୂର୍ଣ୍ଣ ଆବଦ୍ଧ କରାଯାଇ ଗୋଟିଏ ପଟେ କେବଳ ପୂଜା ବିଧି ଚାଲିବ  । ଠାକୁରଙ୍କ ଦର୍ଶନ କରିପାରିବେ ନାହିଁ ସାଧାରଣ ଲୋକ  ।

ସେହିପରି ଭସାଣି ଶୋଭାଯାତ୍ରା ହେବ ନାହିଁ  । ମେଲୋଡ଼ି କିମ୍ବା ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମକୁ ଅନୁମତି ମିଳି ନାହିଁ  । ସେହିପରି ଭୋଜିଭାତ ଆୟୋଜ ଉପରେ କଟକଣା ଲଗାଯାଇଛି  । ତେବେ ସୀମିତ ଛାତ୍ରଛାତ୍ରୀରେ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ହୋଇପାରିବ ବୋଲି କୁହାଯାଇଛି ।