କନକ ବ୍ୟୁରୋ: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରିବେ ଶ୍ରୀଜୀଉ । ତେବେ ପୁରୀରେ ଏବେ ନୀତିକାନ୍ତି ଜାରି ରହିଛି । ଆଉ କିଛି ସମୟ ପରେ ଆରମ୍ଭ ହେବ ମହାପ୍ରଭୁଙ୍କ ପହଣ୍ଡି ବିଜେ ନୀତି । ବର୍ତ୍ତମାନ ବଡଦାଣ୍ଡରେ ତିନି ରଥ ଦଣ୍ଡାୟମାନ ଅଛନ୍ତି, ଆଉ ଅପେକ୍ଷା କରିଛନ୍ତି ମହାପ୍ରଭୁଙ୍କ ଆଗମନକୁ । ତେବେ ଆପଣ ମହାପ୍ରଭୁଙ୍କର ଏହି ୩ ରଥର ବିଶେଷତା ଜାଣିଛନ୍ତି କି?

Advertisment

ନନ୍ଦିଘୋଷ 

'ନନ୍ଦିଘୋଷ' ବା 'ଗରୁଡ଼ଧ୍ୱଜ' ବା 'କପିଳଧ୍ୱଜ' ରଥରେ ଜଗନ୍ନାଥଙ୍କ ସହ ମଦନମୋହନ ବିଜେ କରନ୍ତି

  • ମୋଟ ୭୪୨ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୫ଫୁଟ ୬ ଇଞ୍ଚ ଅଟେ
  • ଏହି ରଥରେ ୧୬ଟି ଚକ (ବିଷ୍ଣୁସିଦ୍ଧ, ବିଭୂତି, ଅଣିମା, ପ୍ରଜ୍ଞା, ଧୀ, ଜ୍ଞାନ, ପ୍ରେମ, ଆଶକ୍ତ, ରତି, କେଳି, ସତ୍ୟ, ସୁଷ୍ୱସ୍ତି, ଜାଗୃତି, ତୁରୀୟ, ଆମ, ନିର୍ବାଣ) ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ
  • ସାରଥି: ଦାରୁକ
  • ରଥର ଦଉଡ଼ି: ଶଙ୍ଖଚୂଡ଼
  • ପରମ୍ପରା ମୁତାବକ ଧଳାରଙ୍ଗର ଚାରୋଟି ଘୋଡ଼ା (ଶଙ୍ଖ, ବଳାହକ, ଶ୍ୱେତ ଓ ହରିଦ୍ୱାଶ) ସ୍ଥାପନ କରାଯାଏ
  • ଏହାର ପତାକା ଗରୁଡ଼ ଚିହ୍ନାଙ୍କିତ
  • ଧ୍ୱଜପମୂର୍ତ୍ତି: ପଞ୍ଚମୁଖୀ ହନୁମାନ
  • ନାଲି ଓ ହଳଦିଆ ରଙ୍ଗର କପଡ଼ାରେ ରଥାବରଣ କରାଯାଏ
  • ନନ୍ଦିଘୋଷରେ ହରିହର, ପଣ୍ଡୁ ନୃସିଂହ, ଗିରିଧର, ଷଡ଼ଭୁଜ ଚିନ୍ତାମଣି କୃଷ୍ଣ, ଚତୁର୍ଭୁଜ ନାରାୟଣ, ସପ୍ତଫେଣ ସର୍ପରେ ଆସୀନ ମଧୁସୂଦନ ବା ବିଷ୍ଣୁ, ଲକ୍ଷ୍ମଣ, ପଞ୍ଚମୁଖୀ ମହାବୀର ପାର୍ଶ୍ୱଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି

ତାଳଧ୍ୱଜ

'ତାଳଧ୍ୱଜ' ବା 'ଲଙ୍ଗଳ ଧ୍ୱଜ' ରଥରେ ବଳଭଦ୍ରଙ୍କ ସହ ରାମକୃଷ୍ଣ ବିଜେ କରନ୍ତି

  • ମୋଟ ୭୩୧ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୫ଫୁଟ ଅଟେ
  • ଏହି ରଥରେ ୧୪ଟି ଚକ ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ୬ ଇଞ୍ଚ
  • ଦଧିନଉତି: ହିରଣ୍ମୟୀ
  • ସାରଥି: ମାତଳୀ
  • ରଥର ଦଉଡ଼ି: ବାସୁକୀ
  • ପରମ୍ପରା ମୁତାବକ କଳା ରଙ୍ଗର ଚାରୋଟି ଘୋଡ଼ା ଘୋଡ଼ା (ତୀବ୍ର, ଘୋର, ଦୀର୍ଘଶ୍ରମ ଏବଂ ସ୍ବର୍ଣ୍ଣନାଭ) ବା (ସ୍ଥିରା, ଧୃତି, ସ୍ଥିତି ଏବଂ ପ୍ରଜ୍ଞା) ବା (ଶଙ୍ଖ,ସୁଚ଼ିତ୍ର, ଅଙ୍ଗଦ ଏବଂ ମେଘନାଦ) ସ୍ଥାପନ କରାଯାଏ
  • ଧ୍ୱଜପମୂର୍ତ୍ତି: ଲକ୍ଷ୍ମୀନୃସିଂହ
  • ନାଲି ଓ ସବୁଜ ରଙ୍ଗର କପଡ଼ାରେ ରଥାବରଣ କରାଯାଏ
  • ତାଳଧ୍ୱଜ ରଥରେ ମହାଦେବ, ବାଇଶିଭୁଜ ନୃସିଂହ, ବଳରାମ, ନୃତ୍ୟ ଗଣପତି, ଲକ୍ଷ୍ମଣଙ୍କୁ ବହନ କରିଥିବା ଅଙ୍ଗଦ, ନାଟାମ୍ବର (ବୃଷଭ ଉପରେ ନୃତ୍ୟରତ ଶିବ), କାର୍ତ୍ତିକେଶ୍ୱର, ମଧୁକୈଟବଙ୍କ ସହ ବିଷ୍ଣୁଙ୍କ ଯୁଦ୍ଧ, ଅନନ୍ତବାସୁଦେବ ପାର୍ଶ୍ୱଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି ।

ଦର୍ପଦଳନ

'ଦର୍ପଦଳନ' ବା 'ପଦ୍ମଧ୍ୱଜ' ବା 'ଦେବଦଳନ' ରଥରେ ସୁଭଦ୍ରାଙ୍କ ସହ ଶ୍ରୀସୁଦର୍ଶନ ବିଜେ କରନ୍ତି

  • ମୋଟ ୭୧୧ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୪ଫୁଟ ୬ ଇଞ୍ଚ ଅଟେ
  • ଏହି ରଥରେ ୧୨ଟି ଚକ ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ୮ ଇଞ୍ଚ
  • ସାରଥି: ଅର୍ଜୁନ
  • ରଥର ଦଉଡ଼ି: ସ୍ୱର୍ଣ୍ଣ୍ଣଚୂଡ଼
  • ଧ୍ୱଜପମୂର୍ତ୍ତି: ଜୟଦୁର୍ଗା
  • ପରମ୍ପରା ମୁତାବକ ନାଲି ଚାରୋଟି ଘୋଡ଼ା (ରୋଚିକା, ମୋଚିକା, ଜିତା, ଅପରାଜିତା) ସ୍ଥାପନ କରାଯାଏ
  • ନାଲି ଓ କଳା ରଙ୍ଗର କପଡ଼ାରେ ରଥାବରଣ କରାଯାଏ
  • ଦର୍ପଦଳନରେ ବିମଳା, ମଙ୍ଗଳା, ବାରାହୀ, ଭଦ୍ରକାଳୀ(ଶବରୂଢ଼ା ଚତୁର୍ଭୁଜା), ବନଦୁର୍ଗା ବା କଣ୍ଟକାଢ଼ି, କାତ୍ୟାୟନୀ (ଅଷ୍ଟଭୁଜା ଦୁର୍ଗା), ହରଚଣ୍ଡୀ, ରାମଚଣ୍ଡୀ (ଅଷ୍ଟଭୁଜା ଓ ବାମହାତ କାଣି ଆଙ୍ଗୁଠିକୁ ପାଟିରେ ଚୁଚୁମିଛନ୍ତି), ଅଘୋରା ପାର୍ଶ୍ୱଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି

ଶ୍ରୀଜଗନ୍ନାଥଙ୍କ ରଥର ୧୬ ଚକ ଷୋଳକଳାର, ବଳଭଦ୍ରଙ୍କର ୧୪ ଚକ ଚତୁର୍ଦ୍ଦଶ ମନ୍ୱନ୍ତରର ଓ ସୁଭଦ୍ରାଙ୍କ ୧୨ ଚକ ବାରମାସର ଦୃଷ୍ଟି ଆକର୍ଷଣ କରିଥାଏ । ତିନି ରଥର ଦଧିନଉତି : ହିରଣ୍ୟଗର୍ଭ, ହିରଣ୍ମୟୀ, ଭୁବନକୋଷ । ଏହି ତିନି ଦଧିନଉତି ଉପରେ ମୋଟ ୯ଟି ପିତଳ କଳସ (ନଭ, ଆକାଶ, ବ୍ୟୋମ, ପରା, ଅପରା, ବୈଖାରୀ, ଚନ୍ଦ୍ର, ସୂର୍ଯ୍ୟ, ବିଦ୍ୟୁତ) ସ୍ଥାପନ କରାଯାଏ ।