କନକ ବ୍ୟୁରୋ: ବାତ୍ୟା ଜୱାଦ ନେଇ ଏସଆରସିଙ୍କ ପ୍ରେସମିଟ୍ । ବାତ୍ୟା ଜୱାଦର ତାଜା ଅପଡେଟ୍ ଦେଲେ ଏସଆରସି ପ୍ରଦୀପ ଜେନା । ବାତ୍ୟା ଜୱାଦ ଏବେ ସମୁଦ୍ର ଭିତରେ ଘଣ୍ଟା ପ୍ରତି ୨୨ କିଲୋମିଟର ବେଗରେ ଗତି କରୁଛି । ୫ ତାରିଖ ମଧ୍ୟାହ୍ନ ବେଳକୁ ଏହା ପୁରୀ ନିକଟରେ ଉପକୂଳ ଛୁଇଁପାରେ । ଏହାସହିତ ପାରାଦୀପଠାରୁ ବାତ୍ୟା ଏବେ ୫୮୦ କିଲୋମିଟର ଦୂରରେ ରହିଥିବାବେଳେ, ଗୋପାଳପୁରଠାରୁ ୪୭୦ କିଲୋମିଟର ଦୂରରେ ରହିଛି ।
ଅନ୍ୟପଟେ ବାତ୍ୟାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି । ଆଜି ମଧ୍ୟରାତ୍ରିରୁ ଦକ୍ଷିଣ ଓଡିଶାର ଜିଲ୍ଲାମାନଙ୍କରେ ବର୍ଷାର ପରିମାଣ ବଢିବ ବୋଲି ଏସଆରସି ସୂଚନା ଦେଇଛନ୍ତି । ତା ସହିତ ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଅନ୍ୟ ଉପକୂଳବର୍ତ୍ତୀ ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଧରଣ ବର୍ଷାହେବ ।
ବାତ୍ୟା ଜୱାଦ ନେଇ ଏସଆରସିଙ୍କ ସୂଚନା
୨୨ କି.ମି ବେଗରେ ଉପକୂଳ ଆଡକୁ ଗତି କରିବ
ପୁରୀ ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା
ବାତ୍ୟା ଅତିକ୍ରମ ବେଳେ ଘଣ୍ଟାପ୍ରତି ପବନର ବେଗ ୮୦ କି.ମି ରହିବ
ପବନର ଝଟକା ମଧ୍ୟ ଅନୁଭୂତ ହେବ- ଏସଆରସି#CycloneJawad#CycloneAlert@SRC_Odishapic.twitter.com/KVO3gcmoyX— Kanak News (@kanak_news) December 3, 2021
ତେବେ ଓଡିଶାର ସମସ୍ତ ମତ୍ସ୍ୟଜୀବୀ ଏବେ କୂଳକୁ ଫେରିଆସିଛନ୍ତି । ୩ରୁ ୫ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀକୁ ବାରଣ କରାଯାଇଛି । ତେବେ ବାତ୍ୟା ମୁକାବିଲା ପାଇଁ ମୋଟ ୨୬୬ଟି ଟିମକୁ ପ୍ରସ୍ତୁତ କରାଯାଇଥିବାବେଳେ ସେଭିତରୁ ୨୪୭ଟି ଟିମକୁ ମୂତୟନ କରାଯାଇଛି । ଏବେ ୧୯ଟି ଟିମକୁ ରିଜର୍ଭରେ ରଖାଯାଇଥିବା ଏସଆରସି ସୂଚନା ଦେଇଛନ୍ତି ।
ଅନ୍ୟପଟେ ବାତ୍ୟା ସମ୍ଭାବନା କାରଣରୁ ଆସନ୍ତାକାଲି ପୁରୀ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ପୁରୀରେ ବାତ୍ୟା ଜୱାଦ ଲ୍ୟାଣ୍ଡଫଲ୍ କରିପାରେ ବୋଲି ଆକଳନ କରାଯାଉଥିବାରୁ ଆସନ୍ତାକାଲି ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ତା ସହିତ ୫ ତାରିଖ ରବିବାର ରହୁଥିବାରୁ ସେହିଦିନ ମଧ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି କୁହାଯାଇଛି ।