ଖୁବଶୀଘ୍ର ଖୋଲିପାରେ ସ୍କୁଲ, ଗଣଶିକ୍ଷା ବିଭାଗ ପ୍ରସ୍ତୁତ କରୁଛି ଏସଓପି । ଦୁଇଟି ସିଫ୍ଟରେ ହୋଇପାରେ ପାଠପଢା ।

1,947

କନକ ବ୍ୟୁରୋ : ସ୍କୁଲ ଖୋଲିବାକୁ ଚାଲିଛି ପ୍ରସ୍ତୁତି । ଏଥିପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଅର ବା ଏସଓପି ତିଆରି କରୁଛି ସ୍କୁଲ ଓ ଗଣିଶିକ୍ଷା ବିଭାଗ । ସ୍କୁଲ ଖୋଲିଲେ କେମିତି ପାଳନ ହେବ ନିୟମ ଓ କିଭଳି ପାଠପଢା ହେବ ସେଥିଲାଗି ଚାଲିଛି ବିଚାରବିମର୍ଷ ।

ଦୀର୍ଘ ୯ ମାସ ହେଲା କରୋନା ପାଇଁ ସ୍କୁଲ ବନ୍ଦ । ଏତେ ସମୟ ଧରି ସ୍କୁଲ ବନ୍ଦ ରହିବା ଅତୀତରେ କେବେ ବି ଦେଖାଯାଇନଥିଲା । କିନ୍ତୁ କରୋନାର କ୍ରୋଧ ଏମିତି ଥିଲା ଯେ ମାସ ମାସ ଧରି ବନ୍ଦ ରହିଲା ସ୍କୁଲ । ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବା ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି ।

ସ୍କୁଲ ଖୋଲିବା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଅର ବା ଏସଓପି ତିଆରି ଚାଲିଛି । ସ୍କୁଲ ଓ ଗଣଶିକ୍ଷା ବିଭାଗର ଅଧିକାରୀମାନେ ଏହି ଡ୍ରାଫଟିଂ କରୁଛନ୍ତି । ଶ୍ରେଣୀଗୃହ ଭିତରେ ଛାତ୍ରଛାତ୍ରୀମାନେ ନିଜ ନିଜ ମଧ୍ୟରେ ଦୂରତା ରଖି କେମିତି ବସିବେ , ସ୍କୁଲରେ ପ୍ରବେଶ ସମୟରେ କେମିତି ଦୂରତା ରହିବ ଏବଂ ପ୍ରସ୍ଥାନ ସମୟରେ କେମିତି କରୋନା ନିୟମ ପାଳନ ହେବ ତା ଉପରେ ନଜର ରଖି ଏସଓପି ପ୍ରସ୍ତୁତ ହେଉଛି ।

ପିଲାଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇପାରେ । ଏହାଛଡା ହାତଧୋଇବା ଏବଂ ସାନିଟାଇଜର ବ୍ୟବହାରକୁ ନେଇ ନିର୍ଦ୍ଦେଶାବଳୀ ଜାରି କରାଯାଇପାରେ । ଏଥିସହ ଦୁଇଟି ସିଫ୍ଟରେ ହୋଇପାରେ ପାଠପଢା । ଶିକ୍ଷକମାନଙ୍କ ପାଇଁ ବି ଭିନ୍ନ ଭିନ୍ନ ସମୟ ନିର୍ଦ୍ଧାରଣ କରାଯିବ । ଯେଉଁ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଥିବା, ସେଠାରେ ପ୍ରଥମରୁ ପଂଚମ ସକାଳ ଓ ଷଷ୍ଠରୁ ଅଷ୍ଟମ ୧୦ଟାରୁ କ୍ଲାସ ହୋଇପାରେ ।