ଦୁର୍ଘଟଣାରେ ଚାଲିଗଲା ପୁଅର ଜୀବନ : ଅଧା ରହିଗଲା ନୂଆ ଘର ତିଆରି କରିବା ସ୍ୱପ୍ନ

456

କନକ ବ୍ୟୁରୋ : ଦୁର୍ଘଟଣାରେ ଚାଲିଗଲା ପୁଅର ଜୀବନ । ଅଧା ରହିଗଲା ନୂଆ ଘର ତିଆରି କରିବା ସ୍ୱପ୍ନ । ଏଭଳି ଏକ ଦୁଃଖଦ ଖବର ଆସିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଗାଜିପୁର ଗାଁରୁ । ଗାଁର ସୁଜିତ ପାତ୍ର । ବାପା ରୋଗାଗ୍ରସ୍ତ । ଆଉ ଉଭୟ ମା’ ଓ ବଡ଼ ଭାଇ ମାନସିକ ବିକାରଗ୍ରସ୍ତ । ଏଭଳି ସ୍ଥିତିରେ ଘରର ଏକମାତ୍ର ରୋଜଗାରିଆ ପୁଅ ଥିଲା ସୁଜିତ୍ ।

ସେହି ରୋଜଗାର ପାଇଁ ଯାଉଥିବାବେଳେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ସୁଜିତ୍ । ସୁଜିତ୍ ଗୋଆରେ ଦାଦନ ଖଟନ୍ତି । ଗୁରୁବାର ସକାଳୁ ଗୋଆ ଯିବା ପାଇଁ ବାହାରୁଥିବା ବେଳେ ଜଳେଶ୍ୱର-ଚନ୍ଦନେଶ୍ୱର ୫୭ନଂ ରାଜ୍ୟ ରାଜପଥ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ ସୁଜିତ୍ । ଏକ ଯାତ୍ରୀବାହୀ ବସ ସହିତ ସୁଜିତଙ୍କ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ସୁଜିତ୍ ଓ ତାଙ୍କ ସାଥୀଙ୍କୁ ଗୁରୁତର ଅବସ୍ଥାରେ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଥିଲା ।

କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ତାଙ୍କ ସହ ଥିବା ପ୍ରବୀର ପଟ୍ଟାୟତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସୁଜିତଙ୍କ ମୃତ୍ୟୁ ସହ ତାଙ୍କର ନୂଆ ଘର ତିଆରି କରିବାର ସ୍ୱପ୍ନ ମଧ୍ୟ ଅଧାରେ ରହିଯାଇଛି । ଏପରିକି ତାଙ୍କ ପରିବାର ମଧ୍ୟ ଏବେ କେମିତି ଚଳିବ, ତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସମ୍ପର୍କୀୟ । ସେପଟେ ସୁଜିତଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇପଡ଼ିଛି ପୂରା ଗାଁ ।