ସୈତାନ ସାଜିଲା ବାପା । ବାପାର ଠେଙ୍ଗା ମାଡ଼ରେ ପୁଅର ଜୀବନ ଗଲା, ଅଭିଯୁକ୍ତ ବାପା ଥାନା‌ରେ ଅଟକ

1,689

କନକ ବ୍ୟୁରୋ :  ବାପାର ଠେଙ୍ଗା ମାଡ଼ରେ ଭେଣ୍ଡିଆ ପୁଅର ମୃତ୍ୟୁ । ଜନ୍ମକଲା ସନ୍ତାନକୁ ନିଜ ହାତରେ ମୃତ୍ୟୁଦଣ୍ଡ ଭଳି ଶାସ୍ତି ଦେଇଛି ବାପା। ପାରିବାରିକ କଳହ ଯେ କେତେ ଉଗ୍ରରୂପ ଧାରଣ କରିପାରେ ତାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅଧିନ ଅମୃତୁଲୁ ଗ୍ରାମରେ ।

ଆଜି ପୂର୍ବାହ୍ନରେ ଅମୃତୁଲୁ ଗ୍ରାମର ଜୟ ବ‌ିଷୋୟୀ ପୁଅର ଅସହ୍ୟ ଅତ୍ୟାଚାରରେ ଅତିଷ୍ଠ ହୋଇ ତାକୁ ଠେଙ୍ଗାରେ ପିଟି ମାରି ଦେଇଥିବା ଭଳି ଅଭାବନୀୟ ଘଟଣା ଘଟିଛି। ଯାହା ଫଳରେ ଘଟଣାସ୍ଥଳରେ ପୁଅ ଜିତେନ୍ଦ୍ର ବିଷୋୟୀର(୩୮) ମୃତ୍ୟୁ ଘଟିଛି। ଏହି ହତ୍ୟାକାଣ୍ଡ ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଅଭିଯୁକ୍ତ ବାପାକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ସୋରଡ଼ା ଥାନା ଅମୃତୁଲୁ ଗ୍ରାମର ଜୟ ବିଷୋୟୀଙ୍କ ଦୁଇ ପୁଅ ଓ ତିନି ଝିଅ ଅଛନ୍ତି। ତିନି ଝିଅଙ୍କ ବିବାହ ସରିଥିବା ବେଳେ ମୃତ ବଡ଼ ପୁଅ ଜିତେନ୍ଦ୍ରଙ୍କ ବିବାହ ‌ହୋଇ ନଥିଲା। ଜିତେନ୍ଦ୍ର ରାଗି ପ୍ରକୃତିର ହୋଇଥିବା ବେଳେ ପ୍ରତି ମୁହୂର୍ତ୍ତରେ ବାପା ମା ପରିବାରରେ କଳି ଝଗଡ କରୁଥିଲେ। ପ୍ରାୟ ସମୟ ବିନା କାରଣରେ ଘରେ ପାଟିତୁଣ୍ଡ କରି ବାପା ଓ ମାଙ୍କୁ ମାରପିଟ ମଧ୍ୟ କରୁଥିଲେ। ଗତ କିଛି ଦିନ ହେବ ପ୍ରତିଦିନ ସମସ୍ତଙ୍କ ସହ ଝଗଡା ଲାଗୁଥିଲେ ଜିତେନ୍ଦ୍ର।

ଆଜି ଝଗଡା ଉଗ୍ରରୂପ ଧାରଣ କରିଥିଲା। ବାପା ଜୟ ଘରେ କୌଣସି କାମ କରୁଥିବା ବେଳେ ଜିତେନ୍ଦ୍ର ଆସି ପୁଣି ଝଗଡା ଲାଗିଥିଲା। ଏଥିସହ ବାପାକୁ ଆକ୍ରମଣ କରିବାକୁ ମଧ୍ୟ ପଛାଇନଥିଲା। ପୁଅର ଏଭଳି ଅତ୍ୟାଚାରରେ ଅତିଷ୍ଠ ହୋଇ ନିଜ କ୍ରୋଧକୁ ସମ୍ବଳ କରିପାରିନଥିଲେ ବାପା। ବାପାକୁ ମାରି ଘରୁ ବାହାରି ଯାଉଥିବା ସମୟରେ ଜୟ ଏକ ଠେଙ୍ଗା ସାହାଯ୍ୟରେ ଗ୍ରାମର ମୁଖ୍ୟ ରାସ୍ତାରେ ହିଁ ଜିତେନ୍ଦ୍ରର ପଛପଟକୁ ଶକ୍ତ ଆଘାତ ଦେଇଥିଲେ। ଠେଙ୍ଗାରେ ଆକ୍ରମଣ କରିବା ଦ୍ବାରା ଜିତେନ୍ଦ୍ରର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ଏହି ଖବର ପାଇବା ପରେ ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣୀ ପ୍ରଧାନ ଏବଂ ଥାନା ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସହ ଅଭିଯୁକ୍ତ ବାପା ଜୟକୁ ଥାନାରେ ଅଟକ ରଖି  ତଦନ୍ତ ଆରମ୍ଭ କରିଛି।