ଶନିବାର ରାତି ୧୧ଟାରୁ ନିଖୋଜ । ୧୨ ଘଣ୍ଟା ପରେ ପୋଖରୀରୁ ମୃତଦେହ ଠାବ । ଚର୍ଚ୍ଚାରେ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅର ମୃତ୍ୟୁ ।

219

କନକ ବ୍ୟୁରୋ: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗ ଶନିବାର ରାତି ପ୍ରାୟ ୧୧ଟାରୁ ନିଖୋଜ ଥିଲେ । ଚନ୍ଦ୍ରଶେଖରପୁର ଶ୍ରୀବିହାର ଅଞ୍ଚଳରୁ ମନିଷଙ୍କୁ କେହି ଅପହରଣ କରି ନେଇଥିବା ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ ତାଙ୍କ ପରିବାର ଲୋକ । ତାଙ୍କୁ ଦୁଇ ଯୁବକ ଉଠାଇ ନେବା ସହ ମାରପିଟ୍ କରିଥିଲେ ବୋଲି ଅଭିଯୋଗରେ ଦର୍ଶାଇଥିଲେ । ଏନେଇ ଇନଫୋସିଟି ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବାବେଳେ ପାତ୍ରପଡାରୁ ଠାବ ହୋଇଛି ମନିଷଙ୍କ ମୃତଦେହ ।

ରବିବାର ଦିନ ପ୍ରାୟ ଗୋଟାଏ ସମୟରେ ଭୁବନେଶ୍ୱର ପାତ୍ରପଡାର ଏକ ପୋଖରୀରେ ଜଣେ ଯୁବକଙ୍କ ମୃତ ଦେହ ଭାସୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଏହି ଖବର ପ୍ରଚାରିତ ହୋଇଯିବା ପରେ ପୋଖରୀ ନିକଟରେ ଜମିଥିଲା ଲୋକଙ୍କ ଭିଡ । ପହଁଚିଥିଲା କମିଶନରେଟ୍ ପୋଲିସ । ଭୁବନେଶ୍ୱର ଡିସିପି ଓ ସାଇଣ୍ଟିଫିକ୍ ଟିମ୍ ପହଁଚି ପାରିପାଶ୍ୱର୍କ ସ୍ଥିିତିର ଅନୁଧାନ କରିଥିଲେ । ସେପଟେ ଖବର ପାଇ ମନିଷଙ୍କ ପରିବାର ଲୋକ ସେଠାରେ ପହଁଚିଥିଲେ ।

ମନିଷଙ୍କ ମୃତଦେହକୁ ଉଦ୍ଧାର କରି, ମୃତ୍ୟୁର କାରଣ ଜାଣିବା ପାଇଁ ଏମ୍ସ ହସ୍ପିଟାଲକୁ ନିଆଯାଇଥିଲା । ମନିଷଙ୍କ ମୃତ ଦେହ ମିଳିବା ପରେ ତମାଣ୍ଡୋ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି କମିଶନରେଟ୍ ପୋଲିସ । ତେବେ ମନିଷଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି ।

  • ଶ୍ରୀବିହାରରେ ଶନିବାର ରାତିରେ କଣ ଘଟିଥିଲା?
  • ମନୀଷଙ୍କୁ କିଏ ଓ କାହିଁକି ଅପହରଣ କରିଥିଲେ?
  • ଯେଉଁମାନଙ୍କ ସହ ମନୀଷଙ୍କୁ ଦେଖାଯାଇଥିଲା ସେମାନେ କିଏ?
  • ମନୀଷଙ୍କୁ କେହି ହତ୍ୟା କରି ପୋଖରୀରେ ଫୋପାଡି ଦେଇଥିଲେ?
  • ନା ମୃତ୍ୟୁ ପଛର ଆଉ କିଛି କାରଣ ରହିଛି ?

ଏମିତି ଅନେକ ଅଡୁଆ ସୂତାର ଖିଅ ଖୋଜିବ କମିଶନରେଟ ପୋଲିସ