କନକ ବ୍ୟୁରୋ: ବାପାକୁ ହତ୍ୟା କଲା ପୁଅ। ଇଞ୍ଜିନିୟର ପୁଅ, କିନ୍ନର ବୋହୂ ଗିରଫ। ବୈଦ୍ୟନାଥପୁର ଥାନା ଅଯୋଧ୍ୟା ନଗରରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଉଛନ୍ତି ରାଜସ୍ୱ ବିଭାଗର ଅବସରପ୍ରାପ୍ତ କିରାଣୀ ଗରିବ ବନ୍ଧୁ ପଣ୍ଡା। ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା ପରେ ଏହା ହତ୍ୟାକାଣ୍ଡ ବୋଲି ପୋଲିସ କହିଛି। ଇଞ୍ଜିନିୟର ପୁଅ ସନ୍ଦୀପ ପଣ୍ଡା ଓ କିନ୍ନର ବୋହୂ ଶ୍ରୀୟାକୁ ହତ୍ୟା ଅଭିଯୋଗରେ ପୋଲିସ ଗିରଫ କରିଛି । ଦୁହେଁ ମିଶି ଗରିବବନ୍ଧୁଙ୍କୁ ହତ୍ୟା କରିବା ପରେ ଦୁର୍ଘଟଣାର ରୂପ ଦେଇଥିଲେ ବୋଲି ଜଣାପଡିଛି। ବୋହୂର ପ୍ରକୃତ ନାମ ପ୍ରବୀଣ କୁମାର ଶର୍ମା ଓ ଘର ମହାରାଷ୍ଟ୍ରର ଥାନେ ଶିବାଜୀନଗର ଅଞ୍ଚଳର। ସନ୍ଦୀପ ପୂର୍ବରୁ ବିବାହ କରିଥିଲେ । ହେଲେ ଶ୍ରୀୟାଙ୍କ ସହ ସଂପର୍କ ଗଢିବାରୁ ତାଙ୍କ ପ୍ରଥମ ପତ୍ନୀ ଛାଡପତ୍ର ଦେଇଥିଲେ। ମିଳିଥିବା ସୂଚନା ଅନୁସାରେ ୧୫ ତାରିଖ ରାତିରେ ଉଭୟେ ମଦ୍ୟପାନ କରିବା ପରେ ଗରିବବନ୍ଧୁଙ୍କ ସହ ଝଗଡ଼ା କରିଥିଲେ। ପରେ ରାଗିଯାଇ ତାଙ୍କ ଉପରକୁ ଟେବୁଲ ଫ୍ୟାନ୍ ଓ ଷ୍ଟିଲ ଆଲମିରା ଫିଙ୍ଗି ଦେଇଥିଲେ। ଏହାପରେ ଗରିବ ବନ୍ଧୁଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାର ରୂପ ଦେବାକୁ ଯାଇ ଘରର ବିଭିନ୍ନ ସ୍ଥାନରେ ପଡ଼ିଥିବା ରକ୍ତ ଛିଟାକୁ ଲିଭାଇ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ହେଲେ ପୋଲିସ ତଦନ୍ତ ପରେ ହତ୍ୟା ଉପରୁ ପରଦା ଉଠାଇଛି।

Advertisment