ହାଜତରେ ପୁଅର ହେଲା ମୃତ୍ୟୁ, ମାଆଙ୍କର ମିଳୁନି ପତ୍ତା । ମାଆ କେଉଁଠି ବୋଲି ପ୍ରଶ୍ନ କଲେ ପୁରୀ ବିଧାୟକ । ସେପଟେ ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା

444

କନକ ବ୍ୟୁରୋ : ହାଜତ ଭିତରେ କେ. ରମେଶଙ୍କ ମୃତ୍ୟୁକୁ ନେଇ ତମ୍ବିତୋଫାନ ଚାଲିଥିବା ବେଳେ ତାଙ୍କ ବାପା-ମାଆ କେଉଁଠି ଅଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ପୁରୀ ବିଧାୟକ । ୧୮ ତାରିଖରୁ ମୃତକଙ୍କ ବାପା-ମାଆ ଓ ଦାଦାଙ୍କୁ ପୋଲିସ ଉଠାଇ ନେଇଥିଲା । ଦାଦା ଘରକୁ ଫେରି ଆସିଥିବା ବେଳେ ମୃତକଙ୍କ ବାପା-ମାଆ ଘରକୁ ଫେରିନଥିବା ଅଭିଯୋଗ ହୋଇଛି ।

ହାଜତ ମୃତ୍ୟୁର ପ୍ରାଣ ହରାଇଥିବା ଯୁବକ କେ. ରମେଶଙ୍କ ମାଆଙ୍କୁ ଲୁଚାଇକି ରଖାଯାଇଛି ଏବଂ ପରିବାର ଲୋକଙ୍କ ଉପରେ ପୋଲିସ ଚାପ ପକାଉଛି ବୋଲି ଅଭିଯୋଗ କରିଛନ୍ତି ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ଏପରି ଅଭିଯୋଗକୁ ଆହୁରି ହାୱା ଦେଇଛି ଏକ ଭାଇରାଲ ଭିଡିଓ । ମୋବାଇଲ ଫୋନରେ ସୁଟିଂ ହୋଇଥିବା ଏହି ଭିଡିଓରେ ମୃତ କେ. ରମେଶଙ୍କ ପରିବାରକୁ ପ୍ରଲୋଭନ ଦେଉଛନ୍ତି ପୁରୀର ଜଣେ କାର୍ଯ୍ୟରତ ପୋଲିସ ଅଧିକାରୀ ।

ହାଜତ ମୃତ୍ୟୁର ପରଦିନ ରାତିର ଏହି ଭିଡିଓ ବୋଲି କୁହାଯାଉଛି । ମୃତକଙ୍କ ଦାଦାଙ୍କୁ ସଂପୃକ୍ତ ଅଧିକାରୀ, ତାଙ୍କ ଘରେ ଛାଡିଥିବାବେଳେ ତାଙ୍କ ପରିବାରକୁ ଜାଗା ସହ କ୍ଷତିପୂରଣ ଓ ପେନସନ ଦେବାକୁ ପ୍ରତିଶ୍ରୁତି ଦିଆଯାଉଛି । ଏହି ଭିଡିଓ ପୁରୀ ପୁଲିସର କାର୍ଯ୍ୟକୁ ଆହୁରି ସଂଦେହ ଘେରକୁ ଟାଣି ନେଇଛି ।

ସେପଟେ ନୂଆ ଏସପି ଭାବେ ଦାୟିତ୍ୱ ନେଇଛନ୍ତି କେ. ବିଶାଳ ସିଂ । ସେ କହିଛନ୍ତି, ଜାତୀୟ ମାନବିକ ଅଧିକାର କମିସନଙ୍କ ଗାଇଡଲାଇନ୍ ଅନୁସାରେ ହାଜତ ମୃତ୍ୟୁର ତଦନ୍ତ ଜାରି ରହିଛି । ମୃତକଙ୍କ ବାପା-ମାଆ କେଉଁଠି ଅଛନ୍ତି ଏବଂ ସେମାନେ କାହିଁକି ଆଗକୁ ଆସୁନାହାନ୍ତି, ତାକୁ ନେଇ ପ୍ରଶ୍ନ ଉଠୁଛି ।