ପଞ୍ଜୁରୀ ଭିତରେ ନାଗ : ବାଙ୍କୀ ରଗଡି ଗାଁରେ ଚଢେଇ ଖାଇବାକୁ ଆସି ପଞ୍ଜୁରୀରେ ଫଶିଲା ନାଗ; ସ୍ନେକ ହେଲପଲାଇନ ସଦସ୍ୟ କଲେ ଉଦ୍ଧାର

531

କନକ ବ୍ୟୁରୋ : ପଂଜୁରୀ ଭିତରେ ସାପ । ସାରା ରାତି ଆତଙ୍କରେ ମୃତ୍ୟୁକୁ ନିକଟରୁ ଦେଖି ରହିଗଲେ ତିନୋଟି ନିରୀହ ପକ୍ଷୀ । ସ୍ନେକ୍ ହେଲପ୍ ଲାଇନ ସଦସ୍ୟ ପହଁଚି ସାପଟିକୁ ପଂଜୁରୀ ଭିତରୁ ଉଦ୍ଧାର କରିଛନ୍ତି । ତେବେ ଏହା ମଧ୍ୟରେ ନାଗସାପଟି ପଂଜୁରୀରେ ଥିବା ତିନୋଟି ଚଢେଇଙ୍କୁ ମାରି ଖାଇ ଯାଇଥିଲା । ଗତକାଲି ରାତିରେ ଘଟିଥିଲା ଘଟଣା । ବାଙ୍କୀ ରଗଡି ଗାଁର ସତ୍ୟ ମହାପାତ୍ରଙ୍କ ଘରେ ବିଳମ୍ୱିତ ରାତିରେ ହଠାତ୍ ପଂଜୁରୀରେ ଥିବା ପୋଷା ଚଢେଇ ଶବ୍ଦ କରିବାକୁ ଲାଗିଲେ । ପ୍ରଥମେ ପରିବାର ଲୋକେ ଏହାକୁ ଗୁରୁତ୍ୱ ଦେଇନଥିଲେ । କିନ୍ତୁ ପରେ ଏହି ଶବ୍ଦ ଅତି ଜୋର ହେବାରୁ ପରିବାର ଲୋକେ ଉଠି ଯାହା ଦେଖିଲେ ସମସ୍ତଙ୍କୁ ଆତଙ୍କିତ କରିଦେଇଥିଲା । ପଂଜୁରୀ ଭିତରେ ପଶିଥିଲା ନାଗସାପ । ଆଉ ଜୀବନ ବିକଳରେ ଚିକ୍ରାର କରୁଥିଲେ ପଂଜୁରୀରେ ଥିବା ବଜରିଗର ଚଢେଇ । ନାଗ ସାପଟି ତିନୋଟି ଚଢେଇଙ୍କୁ ଗିଳି ସାରିବା ପରେ ବସା ଭିତରେ ପଶି ଅଣ୍ଡା ଗୁଡିକୁ ଖାଇବାକୁ ଉଦ୍ୟମ କରୁଥିଲା । ଏତିକି ବେଳେ ଜୀବନକୁ ଖାତିର ନକରି ସାପ ସହ ଲଢେଇ କରିଥିଲେ ତିନୋଟି ବଜରିଗର ଚଢେଇ ।

ମା ଚଢେଇଙ୍କର ଆକ୍ରମଣରେ ପଞ୍ଜୁରୀରୁ ଫେରିବାର ବାଟ ପାଇନଥିଲା ନାଗସାପ । ବାନ୍ତି କରିଥିଲା ୩ଟି ଯାକ ମଲା ଚଢେଇ । ନିଜ ଜୀବନକୁ ରକ୍ଷା କରିବାକୁ ପଞ୍ଜୁରୀ ଭିତରେ ଥିବା ମାଟି ପାତ୍ର ଭିତରେ ପଶି ରହିଥିଲା । ସ୍ନେକ୍ ହେଲପ ଲାଇନ ସଦସ୍ୟ ଦୁର୍ଗା ମାଧବ ମହାପାତ୍ର ପହଁଚି ସତର୍କତାର ସହ ନାଗ ସାପକୁ ଉଦ୍ଧାର କରିଥିଲେ । ପଞ୍ଜୁରୀର ତଳ ଭାଗରେ କଳଙ୍କି ଲାଗିଯାଇଥିବା ସ୍ଥାନରେ ଏକ କଣା ଥିଲା । ଯାହା ବାଟ ଦେଇ ସାଢେ ୩ ଫୁଟ ଲଂବର ନାଗ ସାପ ଚଢେଇ ଖାଇବାକୁ ପଶିଥିବା ଜଣାପଡିଥିଲା । ସାପକୁ ଉଦ୍ଧାର ପରେ ପ୍ରାକୃତିକ ବାସସ୍ଥଳୀରେ ଛାଡି ଦିଆଯାଇଛି ।