କନକ ବ୍ୟୁରୋ: ସ୍କୁଲରେ ଏଣିକି ରହିବ ସ୍ମାର୍ଟ କ୍ଲାସରୁମ୍ । ଇ-ଲାଇବ୍ରେରୀ, ଉନ୍ନତମାନର ବିଜ୍ଞାନ ଲ୍ୟାବ୍, ସ୍ୱଚ୍ଛ ପିଇବା ପାଣି, କ୍ରୀଡା ଭିତ୍ତିଭୂମି, ଟଏଲେଟ୍ ଭଳି ବ୍ୟବସ୍ଥା । ଅର୍ଥାତ୍ ଯେଉଁ ଚିରାଚରିତ ଧାରାରେ ବ୍ଲାକବୋର୍ଡ ଆଉ ଚକ ଖଡି ମାଧ୍ୟମରେ ପାଠପଢା ଯାଉଥିଲା, ସେଥିରେ ବ୍ୟାପକ ପରିବର୍ତନ ଆଣି ଗଂଜାମର ହିଂଜିଳି ଓ ଶେରଗଡର ୫୦ଟି ସ୍କୁଲକୁ ଦିଆଯାଇଛି ନୂଆ ରୂପ ।
ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମରେ ରୂପରେଖ ବଦଳାଇ ସ୍କୁଲକୁ ଦିଆଯାଇଛି ସ୍ମାର୍ଟ ସ୍କୁଲର ମାନ୍ୟତା । ବୈଷୟିକ ଜ୍ଞାନକୈାଶଳ ଜରିଆରେ କିଭଳି ପାଠ ପଢିବାକୁ ଆହୁରି ସହଜ ଓ ସରଳ କରାଯାଇ ପାରିବ, ତାଉପରେ ଧ୍ୟାନ ଦିଆଯାଇଛି । ପାଇଲଟ୍ ପ୍ରୋଜେକ୍ଟ ଭାବେ ଗଂଜାମରୁ ଏହା ଆରମ୍ଭ ହୋଇଛି । ସ୍କୁଲ ପିଛା ଖର୍ଚ୍ଚ ହୋଇଛି ୪୫ ଲକ୍ଷ ଟଙ୍କା ।
କେବଳ ହିଂଜିଳିରେ ଏହା ସୀମିତ ରହିବ ନାହିଁ, ବରଂ ସାରା ରାଜ୍ୟରେ ଏହାର ଅନୁକରଣ ପାଇଁ ହୋଇଛି ଯୋଜନା । ୨୧ ଅଗଷ୍ଟରୁ ୩୦ ଅଗଷ୍ଟ ମଧ୍ୟରେ ୫ ପର୍ଯ୍ୟାୟରେ ୧୦୮ ବିଧାୟକ ଦେଖିବେ କିଭଳି ହୋଇଛି ସ୍କୁଲର ବିକାଶ । ପରବର୍ତୀ ପର୍ଯ୍ୟାୟରେ ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ସମାନ ଧାରାକୁ ଅନୁକରଣ କରାଯିବ ବୋଲି ସୂଚନା ମିଳିଛି ।
ଏପଟେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ ନେଇ ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଭାଗୀୟ ସଚିବଙ୍କ ସହ ହୋଇଥିବା ସମୀକ୍ଷା ପରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି
- ଜ୍ଞାନ ସହ ରୋଜଗାରକୁ ଗୁରୁତ୍ୱ ଜାତୀୟ ଶିକ୍ଷାନୀତିର ଅଂଶବିଶେଷ
- ରାଜ୍ୟରେ କିଭଳି ଏହା କାର୍ଯ୍ୟକାରୀ ହେବ ତା’ଉପରେ ନଜର ରହିଛି
- ଛାତ୍ରଛାତ୍ରୀ କିଭଳି ସ୍ୱାବଲମ୍ବୀ ହେବା ସହ ଆତ୍ମନିର୍ଭର ହେବେ, ସେ ନେଇ ବ୍ୟବସ୍ଥା
- ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ ହେବା ଫଳରେ ଏହି ପଥ ଆହୁରି ସୁଗମ ହେବ
କରୋନା କାଳରେ ଶିକ୍ଷା ବ୍ୟବସ୍ଥା ଯଥେଷ୍ଟ ପ୍ରଭାବିତ ହୋଇଥିବା ବେଳେ ଆଗାମୀ ଦିନରେ ସ୍କୁଲ ଖୋଲିବା ଏବଂ ସଠିକ ସମୟରେ ପରୀକ୍ଷା କରିବା ସରକାରଙ୍କ ପାଇଁ ଚ୍ୟାଲେଂଜ ହୋଇଛି । ସେପଟେ ଭିତିଭୂମି ସୁଦୃଢ କରି ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ଉପରେ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜୋର ଦେଇଛନ୍ତି ।
  
 Follow Us