ବଦଳିଲା ଜମି କିଣାବିକା ନିୟମ: ପ୍ରଥମେ ଅନଲାଇନରେ ହେବ ସ୍ଲଟ ବୁକିଂ, ପରେ ମିିଳିବ ରେଜିଷ୍ଟ୍ରେସନ ତାରିଖ 

2,379

କନକ ବ୍ୟୁରୋ: ଜମି କିଣାବିକା ପାଇଁ ଆଉ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡିବିନି, କି ଘଂଟା ଘଂଟା ଧରି ଧାଡିରେ ଛିଡା ହେବାକୁ ପଡିବନି । ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ଜମି କିଣାବିକା ନିୟମକୁ ବଦଳାଇଛନ୍ତି ରାଜ୍ୟ ସରକାର । ଏଣିକି ଅନଲାଇନରେ ଆଗୁଆ ହେବ ସ୍ଲଟ ବୁକିଂ ।

ଲୋକଙ୍କ ସୁବିଧା ପାଇଁ ଜମି କିଣାବିକା ନିୟମକୁ ବଦଳାଇ ଦେଇଛନ୍ତି ସରକାର । ସହଜରେ ଜମି କିଣାବିକା କରିବାକୁ ଜମିଜମା ଇ-ରେଜିଷ୍ଟ୍ରେସନ୍ ବା ପଞ୍ଜୀକରଣ ବ୍ୟବସ୍ଥାରେ ବଡ଼ ପରିବର୍ତନ କରାଯାଇଛି । ଭିଡ଼ ସମସ୍ୟା ଦୂର କରିବା ପାଇଁ ଏଣିକି ଅନ୍ ଲାଇନ୍ ସ୍ଲଟ୍ ବୁକିଂ କରିବାକୁ ହେବ । ଆଇଜିଆଇ ବା ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ୍ଙ୍କ ପକ୍ଷରୁ ଏନେଇ ଘୋଷଣା ହୋଇଛି । ଘୋଷଣା ଅନୁସାରେ,

– ଜମି କିଣାବିକା ବା ଯେକୌଣସି ସେଲ୍ ଡିଡ୍ ବା ପଞ୍ଜୀକରଣ ପାଇଁ ସବରେଜିଷ୍ଟ୍ରାର ଅଫିସରେ ଭିଡ଼ ଲଗାଇବାକୁ ପଡ଼ିବ ନାହିଁ । 

– ଅନଲାଇନ୍ ସ୍ଲଟରେ ମିଳିଥିବା ସମୟ ଅନୁସାରେ, ଜମି ପଞ୍ଜୀକରଣ ହେବ । 

– ଅନଲାଇନରେ ପୂର୍ବରୁ ପଞ୍ଜୀକରଣ କରି ସ୍ଲଟ୍ ନେଇନଥିଲେ ଜମି କିଣାବିକା ପାଇଁ ଅନୁମତି ମିଳିବ ନାହିଁ ।

– ବିଶେଷ କ୍ଷେତ୍ରରେ ଅନ୍ଲାଇନ୍ ପଞ୍ଜୀକରଣ କରାଇ ତକ୍ରାଳ ସୁବିଧା ବା ସ୍ଲଟ ଦିଆଯିବାର ବ୍ୟବସ୍ଥା ରହିବ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜଣେ ବ୍ୟକ୍ତି ଯେକୌଣସି ସ୍ଥାନରେ ଥିଲେ ବି ସେ ଜମିଜମା କିଣାବିକା ପଞ୍ଜୀକରଣ ଅନଲାଇନରେ କରିପାରିବେ । ନାମ ପଞ୍ଜୀକରଣ କରି ସ୍ଲଟ ନେଇପାରିବେ । ଅନଲାଇନରେ ବ୍ୟବସ୍ଥାରେ ପଞ୍ଜୀକରଣ କରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଅଧିକାରୀମାନେ କାଗଜପତ୍ର ଯାଂଚ କରିବାକୁ ପର୍ଯ୍ୟାପ୍ତ ସମୟ ପାଇପାରିବେ । ସରକାରଙ୍କ ଏହି ପଦକ୍ଷେପକୁ ବିଭିନ୍ନ ବର୍ଗର ଲୋକେ ସ୍ୱାଗତ କରିଛନ୍ତି ।

ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଆଇନଜୀବୀ  । ତେବେ ଏଥିପାଇଁ ଭିତିଭୂମିକୁ ସୁଦୃଢ଼ କରିବାକୁ ପଡିବ ବୋଲି ଆଇନଜୀବୀ କହିଛନ୍ତି । ଏଥିସହ ଲୋକଙ୍କୁ ସଚେତନା କରିବା ଆବଶ୍ୟକ ବୋଲି ମତ ଦେଇଛନ୍ତି । ରାଜ୍ୟରେ ବର୍ତମାନ ୨୦୫ଟି ରେଜିଷ୍ଟ୍ରେସନ କେନ୍ଦ୍ରରେ ଅନଲାଇନ୍ ସ୍ଲଟ ବୁକିଂ କରାଯାଉଛି । ଏହାକୁ ନେଇ ବିଧିବଦ୍ଧ ଗେଜେଟ୍ ପ୍ରକାଶ ପାଇଛି ।