ୟୁପିରେ ସରିଲା ଷଷ୍ଠ ପର୍ଯ୍ୟାୟ ମତଦାନ । ଇଭିଏମରେ ସିଲ୍ ହେଲା ଯୋଗୀ ଆଦିତ୍ୟନାଥଙ୍କ ଭାଗ୍ୟ ।

168

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ୭ଟି ପର୍ଯ୍ୟାୟରୁ ଷଷ୍ଠ ପର୍ଯ୍ୟାୟ ପାଇଁ ମତଦାନ ସରିଛିି । ଆଜି ୧୦ ଜିଲ୍ଲାର ୫୭ଟି ଆସନରେ ୬୭୬ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହୋଇଛି । ଏହି ଆସନ ମଧ୍ୟରୁ ସମସ୍ତଙ୍କ ନଜର ରହିଛି ଗୋରଖପୁର ବିଧାନସଭା ଆସନ ଉପରେ । କାରଣ ଏହି ବିଧାନସଭା ଆସନର ପ୍ରାର୍ଥୀ ଯୋଗୀ ଆଦିତ୍ୟନାଥ । ଯୋଗୀଙ୍କୁ ହରାଇବା ପାଇଁ ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ହେବିୱେଟଙ୍କୁ ପ୍ରାର୍ଥୀ କରିଛନ୍ତି ।

ଷଷ୍ଠ ପର୍ଯ୍ୟାୟରେ ୫୭ଟି ଆସନରେ ପଡିଲା ଭୋଟ୍ । ଏଥର ଗୋରଖପୁର କାହାର ? ଆଜି ୟୁପିରେ ଷଷ୍ଠ ପର୍ଯ୍ୟାୟ ପାଇଁ ଭୋଟ୍ ପଡିଛି । ରାଜ୍ୟରେ ୧୦ଟି ଜିଲ୍ଲାରେ ୫୭ ଟି ବିଧାନସଭା ଆସନରେ ୬ ଶହ ୭୬ ପ୍ରାର୍ଥୀ ରହିଛନ୍ତି । ଭୋଟର ସଂଖ୍ୟା ରହିଛି ୨ କୋଟି ୧୫ ଲକ୍ଷ । ୫୭ ଆସନ ମଧ୍ୟରୁ ସମସ୍ତଙ୍କ ନଜର ରହିଛି ଗୋରଖପୁର ବିଧାନସଭା ଆସନ ଉପରେ । ଯେଉଁଠୁ ପ୍ରାର୍ଥୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀଙ୍କ ବିରୁଦ୍ଧରେ କଂଗ୍ରେସ ନେତା ଚେତନ ପାଣ୍ଡେ, ସପାରୁ ଶୁଭାବତି ଶୁଲ୍କା ଓ ବିଏସପିରୁ ଖୁଆଜା ସମସୁଦ୍ଧିନ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏହି ପର୍ଯ୍ୟାୟରେ ଯୋଗୀଙ୍କ ସମେତ କଂଗ୍ରେସ ନେତା ଅଜୟ କୁମାର ଲାଲୁ ଓ ସପା ନେତା ସ୍ୱାମୀ ପ୍ରସାଦ ମୋର୍ଯ୍ୟଙ୍କ ଭଳି ହେଭିୱେଟ ନେତାଙ୍କ ଭାଗ୍ୟ ପରୀକ୍ଷା ହୋଇଛି ।

ମତଦାନ ପଡିଥିବା ୧୦ଟି ଜିଲ୍ଲା ବିଜେପିର ଗଡ । ଅନ୍ତିମ ବିଧାନସଭା ନିର୍ବାଚନରେ ବିଜେପି ୫୭ଟି ଆସନରୁ ୪୫ଟି ହାତେଇଥିଲା । ସେହିପରି ୧୯୯୮ରୁ ୨୦୧୭ ମସିହା ପର୍ଯ୍ୟନ୍ତ ଗୋରଖପୁରରୁ ସାଂସଦ ଥିଲେ ଯୋଗୀ । ଏହାପରେ ବିଧାନ ପରିଷଦର ସଦସ୍ୟ ହୋଇ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି । ଆଜି ଭୋଟ ଦେବା ପୂର୍ବରୁ ବାବା ଗୋରଖନାଥଙ୍କ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି ଯୋଗୀ । ଗୋରଖପୁର ଗଡକୁ ନିଜ ଦଖଲକୁ ନେବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି ସମସ୍ତ ରାଜନୈତିକ ଦଳ । କିନ୍ତୁ ମାର୍ଚ୍ଚ ୧୦ରେ ଜଣାପଡିବ କେଉଁ ନେତା ସପକ୍ଷରେ ଗୋରଖପୁରର ଭୋଟର ।