ଶାନ୍ତିପୂର୍ଣ୍ଣ ଭାବେ ସରିଲା କଂଗ୍ରେସର ୬ ଘଣ୍ଟିଆ ହରତାଳ । ଚକଲେଟ ବାଣ୍ଟିଲେ, ଲଣ୍ଡା ହେଲେ କଂଗ୍ରେସ କର୍ମୀ

ବିଜେଡି କହିଲା ଉପହାସରେ ପରିଣତ ହୋଇଛିି ଦଳର ଆନ୍ଦୋଳନ 

93

କନକ ବ୍ୟୁରୋ: ମମିତା ମେହେରଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ରାଜ୍ୟର ବିଭିନ୍ନ ସ୍ଥାନରେ ୬ ଘଣ୍ଟିଆ ହରତାଳ କରିଛି କଂଗ୍ରେସ । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରି କଂଗ୍ରେସ କର୍ମୀମାନେ ଶାନ୍ତିପୂର୍ଣ୍ଣ ଭାବେ ହରତାଳ କରିଥିଲେ । ହରତାଳର ଯୋଗୁଁ ରାସ୍ତାରେ ଗାଡି ଚଳାଚଳ କମ୍ ରହିଥିବା ଦେଖିବାକୁ ମିଳିଥିଲା । ହାଇକୋର୍ଟଙ୍କ ତାଗିଦ ପରେ, ବନ୍ଦକୁ କିଭଳି ଅଧିକରୁ ଅଧିକ ଜନ ସମର୍ଥନ ମିଳିବ ସେଥିପାଇଁ ନିଆରା ଢ଼ଙ୍ଗରେ ପ୍ରତିବାଦ କରିଥିଲେ କଂଗ୍ରେସ କର୍ମୀ । ବନ୍ଦକୁ ସମର୍ଥନ କରିବାକୁ ରାସ୍ତାରେ ଯାଉଥିବା ସାଧାରଣ ଲୋକଙ୍କୁ ଚକୋଲେଟ୍ ଦେଇ ଅନୁରୋଧ କରିଥିଲେ  । ସେହିପରି ନବରଙ୍ଗପୁରରେ ମୁଣ୍ଡନ ହୋଇ ପ୍ରତିବାଦ ଜଣାଇଥିଲେ କଂଗ୍ରେସ କର୍ମୀ । ଏଭଳି ପ୍ରତିବାଦକୁ ସମର୍ଥନ ବି ମିଳିଥିଲା ।

ହରତାଳ ଶେଷ ହେବା ପରେ ବନ୍ଦକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ବୟାନବାଜି । ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛି କଂଗ୍ରେସ । ତେବେ କଂଗ୍ରେସର ବନ୍ଦ ଡାକରାକୁ ଭଣ୍ଡୁର କରିବା ପାଇଁ ବିଜେଡି ଯେଉଁ ଉଦ୍ୟମ କରିଥିଲା ତାହା ଭଣ୍ଡୁର ହୋଇଯାଇଛି ବୋଲି ଅଭିଯୋଗ କରିଛନ୍ତି ଦଳର ବରିଷ୍ଠ ନେତା । ଅନ୍ୟପଟେ ବିଜେଡି କହିଛି, ମମିତାଙ୍କ ପ୍ରସଙ୍ଗରେ ରାଜନୀତି କରୁଛନ୍ତି ବିରୋଧୀ । ସାଧାରଣ ଲୋକେ ଏହି ଆନ୍ଦୋଳନକୁ ବରଖାସ୍ତ କରିଛନ୍ତି । କଂଗ୍ରେସ , ବିଜେପି ଦ୍ୱାରା ପ୍ରାୟୋଜିତ ହୋଇ ହରତାଳ କରିଥିଲା । ତେଣେ ବିଜେପି କହିଛି, କେବଳ ମମିତା ନୁହଁନ୍ତି, ବିଜେଡି ଶାସନରେ  ଓଡିଶାରେ ବିପଦରେ ମହିଳା ।

ସବୁପରେ ଆଜିର ବନ୍ଦ ପାଳନ ଏକ ନୂଆ ସନ୍ଦେଶ ଦେଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଗାମୀ ଦିନରେ ବି ରାଜ୍ୟରେ ଆଉ କୌଣସି ରାଜନୈତିକ ଦଳ ସମ୍ପୂର୍ଣ୍ଣ ବନ୍ଦ ପାଳନ କରିପାରିବେ ନାହିଁ । କେବଳ ହରତାଳ କରିପାରିବେ । ଯାହାକି ସାଧାରଣ ଜୀବନ ଯାତ୍ରାରେ ବାଧା ସୃଷ୍ଟି କରିବ ନାହିଁ କିନ୍ତୁ ପ୍ରତିବାଦ ଜଣାଇପାରିବେ ।