କନକ ବ୍ୟୁରୋ: ଡ୍ରାଇଭର ଆନ୍ଦୋଳନ ଶେଷ ହେଉ ହେଉ ଏବେ ଆନ୍ଦୋଳନକୁ ଓହ୍ଲାଇଛି ପରିବହନ ଶ୍ରମିକ ସଂଘ । ହିଟ୍ ଆଣ୍ଡ ରନ ଆଇନ ପ୍ରତ୍ୟାହାର ଦାବିରେ ସଂଘ ଆରମ୍ଭ କରିଛି କାମ ବନ୍ଦ ଆନ୍ଦୋଳନ । ଲାଗୁହେବାକୁ ଥିବା ଏହି ନୂଆ ଆଇନକୁ ପ୍ରତ୍ୟାହାର ପାଇଁ ଦାବି କରିଛି ସଂଘ । ପ୍ରଥମେ ଡ୍ରାଇଭର ଆନ୍ଦୋଳନ ଆଉ ଏବେ ଶ୍ରମିକଙ୍କ କାମ ବନ୍ଦ ପାଇଁ ୩ ଦିନ ହେଲା ପାରାଦୀପରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଠିକ୍ରେ ପେଟ୍ରୋଲ, ଡିଜେଲ ଯୋଗାଣ ହୋଇପାରୁନି । ଫଳରେ ତେଲ ଟାଙ୍କି ଗୁଡ଼ିକରେ ତେଲର ଅଭାବ ଦେଖାଦେଲାଣି ।

Advertisment

ଲଗାତାର ଦ୍ୱିତୀୟ ଦିନରେ ଗାଡ଼ିରେ ତେଲ ପକାଇବାକୁ ବିଭିନ୍ନ ପେଟ୍ରୋଲ ପମ୍ପରେ ଗହଳି ଲାଗିଛି ।ଏହି ପରିସ୍ଥିତିରେ ଗାଡ଼ିରେ କମ୍ ତେଲ ପକାଇବା ପାଇଁ ପମ୍ପ କର୍ମଚାରୀମାନେ ଅନୁରୋଧ କରିଥିଲେ ବି ଗ୍ରାହକମାନେ ଶୁଣିବା ମୁଡରେ ନାହାଁନ୍ତି । ଏପଟେ କଟକର ଅନେକ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଓ ଡିଜେଲ ଶେଷ ହେବା ପରେ ସେମାନେ ‘ନୋ ଫୁଏଲ’ ପୋଷ୍ଟର ଲଗାଇସାରିଲେଣି ।

ଅନ୍ୟପଟେ ଟାଙ୍କି ଗୁଡ଼ିକରେ ତେଲର ଅଭାବ ନେଇ ଉତ୍କଳ ପେଟ୍ରୋଲିୟ ସଂଘର ସଭାପତି ସଂଜୟ ଲାଠ କନକ ନ୍ୟୁଜରେ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ଭୟଭୀତ ହେବାର କିଛି ନାହିଁ । ଗତକାଲି ରବିବାର ଥିବାରୁ ତେଲ ଟାଙ୍କିରେ ପହଂଚି ପାରିନଥିଲା । ଯେଉଁ ତେଲ ଟାଙ୍କିରେ ତେଲ ନାହିଁ ସେଠାରେ ଆଜି ସଂଧ୍ୟା କିମ୍ବା ଆସନ୍ତକାଲି ସକାଳ ସୁଦ୍ଧା ତେଲ ଉବଲବ୍ଧ ହେବ । ଅନ୍ୟ ପେଟ୍ରୋଲ ପମ୍ପରେ ଆବଶ୍ୟକ ଅନୁଯାୟୀ ପେଟ୍ରୋଲ ରହିଥିବା ସେ ସୂଚନା ଦେଇଛନ୍ତି ।