ନିୟନ୍ତ୍ରଣ ରେଖାରେ ସ୍ଥିତି ଭୀଷଣ ଅସ୍ଥିର : ଚୀନ ସେନା ଠୁଳ କଥା ସ୍ପଷ୍ଟ କଲା ଉପଗ୍ରହ ଚିତ୍ର

201

କନକ ବ୍ୟୁରୋ : ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟ ପାଙ୍ଗଙ୍ଗ ସୋ’ ହ୍ରଦର ଦକ୍ଷିଣ ଉପକୂଳରେ ଗତ କିଛିଦିନ ଧରି ଉଭୟ ଭାରତ ଓ ଚୀନ ସୈନିକ ମାନେ ମୁହାଁମୁହିଁ ସ୍ଥିତିରେ ଅଛନ୍ତିି। ସେହି ଇଲାକାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ବତ ଶିଖରକୁ ଭାରତୀୟ ସେନା କବ୍‌ଜା କରି ରଖିଥିବାରୁ ଚୀନର ସୈନିକମାନେ ସେଠାରୁ ସେମାନଙ୍କୁ ହଟାଇବା ଲାଗି ବାରମ୍ବାର ଆକ୍ରମଣ ଉଦ୍ୟମ କରିବାରୁ ଏପରି ସ୍ଥିତି ଉପୁଜିଛି। ସମସ୍ତଙ୍କର ଦୃଷ୍ଟି ଏବେ ପାଙ୍ଗଙ୍ଗ ସୋ’ର ଦକ୍ଷିଣ ଉପକୂଳରେ ନିବଦ୍ଧ ରହିଥିବା ବେଳେ ଏହାର ଉତ୍ତର ଉପକୂଳର ଫିଙ୍ଗର୍‌ ଇଲାକାରେ ବିପୁଳ ସଂଖ୍ୟାରେ ଚୀନ ସୈନିକ ଠୁଳ ହେଉଥିବା ଦେଖିବାକୁ ମିଳିଛି।

ସେମାନେ ପୂର୍ବରୁ ଦ୍ୱିପାକ୍ଷିକ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ଅନୁସାରେ ଫିଙ୍ଗର ୪ରୁ ଫିଙ୍ଗର ୫ ଇଲାକା ଯାଏ ପଛକୁ ହଟିଥିବା ବେଳେ ଏବେ ଫିଙ୍ଗର ୪ ଯାଏ ମାଡ଼ି ଆସିବା ସହ ଫିଙ୍ଗର ସଂଲଗ୍ନ ଉପତ୍ୟକା ଅଞ୍ଚଳକୁ ମଧ୍ୟ ଛାଇ ଯାଇଛନ୍ତି। ଫଳରେ ପାଙ୍ଗଙ୍ଗ ସୋ’ ହ୍ରଦର ଉଭୟ ଉପକୂଳରେ ପରିସ୍ଥିତି ଭୀଷଣ ଅସ୍ଥିର ହୋଇପଡ଼ିଛି। ଉପଗ୍ରହ ଚିତ୍ରରୁ ଏହା ସ୍ପଷ୍ଟ ହୋଇଛି। ଅପରପକ୍ଷେ, ଭାରତୀୟ ଯବାନମାନେ ପ୍ରକୃତ ନିୟନ୍ତ୍ରଣ ରେଖା ଡେଇଁ ଅତିକ୍ରମଣ କରିଛନ୍ତି ବୋଲି ଚୀନ ସେନା କରୁଥିବା ଦାବି ଭିତ୍ତିହୀନ ବୋଲି ଉକ୍ତ ଉପଗ୍ରହ ଚିତ୍ର ସମୂହରୁ ସ୍ପଷ୍ଟ ହୋଇଛି।

ସେହିପରି ହେଲମେଟ୍‌ ପର୍ବତ ଶିଖରକୁ କୌଣସି ପକ୍ଷ ଦଖଲ କରିଥିବାର ସାମାନ୍ୟ ଆଭାସ ଉକ୍ତ ଚିତ୍ରରୁ ଜଣାପଡୁ ନଥିବା ବେଳେ ଉକ୍ତ ପର୍ବତର ପାଦଦେଶରେ ଚୀନର କିଛି ସାମରିକ ଗାଡ଼ି ଓ ତମ୍ବୁଗୁଡ଼ିକର ଝାପ୍‌ସା ଚିତ୍ର ବାରି ହୋଇପଡୁଛି। ହେଲମେଟ୍‌ ଶିଖରକୁ ଚୀନ୍‌ ପଟୁ ଖୋଲା ବାଟ ଫିଟିଥିବା ମଧ୍ୟ ଦେଖିବାକୁ ମିଳିଛି। ସେମାନେ ଫିଙ୍ଗର ୪ ପାଦଦେଶରୁ କିଛି ଖାଲି କରିଥିବା ଭଳି ମନେ ହେଉଥିବା ବେଳେ ଫିଙ୍ଗର ୫ ଓ ଫିଙ୍ଗର ୮ ଭିତରେ ଅନେକ ନିର୍ମାଣ କାର୍ଯ୍ୟ କରିଥିବା ଜଣାଯାଇଛି।

ସେମାନେ ଆଡ଼ା ଜମାଇଥିବା ନୂତନ ସ୍ଥଳ ଓ ଫିଙ୍ଗର ୪ ଭିତରେ ଦୂରତା ମାତ୍ର ୧.୭ କିମି। ତେବେ ଫିଙ୍ଗର ପାଦଦେଶର ଏହି ନୂତନ ଆଡ଼ାରେ ସେମାନଙ୍କର ୨୦ରୁ ଅଧିକ ଅସ୍ତ୍ର ସୁରକ୍ଷିତ ଯାନ ଏବଂ ଭାରୀ ସାମରିକ ଯାନ ରହିଛି। ପାଙ୍ଗଙ୍ଗ ସୋ ହ୍ରଦର ଉଭୟ ଉପକୂଳରେ ଚୀନ ସେନାର ଏପରି ପ୍ରଭାବୀ ଉପସ୍ଥିତି ଭାରତର ଚିନ୍ତା ବଢ଼ାଇ ଦେଇଛି।

ଆଗରୁ ନିରପେକ୍ଷ ଅଞ୍ଚଳ ଥିବା ଫିଙ୍ଗର ୮ ଇଲାକା ଯାଏ ଭାରତ ପକ୍ଷରୁ ପାଟ୍ରୋଲିଂ କରାଯାଉଥିବା ବେଳେ ଗତ ମେ’ ପରଠାରୁ ଫିଙ୍ଗର ୪ ପଛକୁ ଆଉ ଭାରତୀୟ ଯବାନମାନେ ଯାଇପାରୁନାହାନ୍ତି। ଉଲ୍ଲେଖଯୋଗ୍ୟ, ପାଙ୍ଗଙ୍ଗ ସୋ’ ହ୍ରଦ ସନ୍ନିକଟ ଫିଙ୍ଗର ପଏଣ୍ଟ୍‌ ୮ରୁ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍‌ଏସି) ଆରମ୍ଭ ବୋଲି ଭାରତ କହି ଆସୁଥିବା ବେଳେ ଫିଙ୍ଗର ପଏଣ୍ଟ୍‌ ୨କୁ ଚୀନ୍‌ ଏଲ୍‌ଏସି ବୋଲି ଦାବି କରୁଛି। ଏଣେ ଫିଙ୍ଗର ପଏଣ୍ଟ୍‌ ୮ରୁ ଫିଙ୍ଗର ପଏଣ୍ଟ୍‌ ୪ (ପାର୍ବତ୍ୟାଞ୍ଚଳରୁ ହ୍ରଦ) ଯାଏ ଦୀର୍ଘ ୮ କିମି ଅଞ୍ଚଳ ଗତ ମେ’ ମାସରୁ ଚୀନ ସେନା ଦଖଲରେ ରହିଥିବାରୁ ତାହା ଭାରତ ପାଇଁ ଚିନ୍ତାର କାରଣ ହୋଇଛି।

ନିରପେକ୍ଷ ଇଲାକାରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ପାଇଁ ହୋଇଥିବା ସହମତି ଅନୁସାରେ ହ୍ରଦର ଉତ୍ତରଭାଗରେ ଥିବା ଫିଙ୍ଗର ପଏଣ୍ଟ୍‌ ୪ରୁ ଚୀନ ସେନା ଫିଙ୍ଗର ପଏଣ୍ଟ୍‌ ୫ ଯାଏ ପଛକୁ ହଟିଥିଲା। ଏପରିକି ଭାରତୀୟ ସେନା ଫିଙ୍ଗର ପଏଣ୍ଟ୍‌ ୨ ଯାଏ ମଧ୍ୟ ପଛକୁ ହଟିଛି। ତେବେ ଚୀନ ସେନା ଆଉ ପଛକୁ ହଟିବାକୁ ହେଲେ ଭାରତୀୟ ପ୍ରତିପକ୍ଷକୁ ମଧ୍ୟ ଆହୁରି ପଛକୁ ଘୁଞ୍ଚିବା ଲାଗି ନୂଆ ସର୍ତ୍ତ ଲଗାଇ ଚାଲିଛି। ମାତ୍ର ଭାରତ ଫିଙ୍ଗର ପଏଣ୍ଟ୍‌ ୨ରୁ ଆଉ ପଛକୁ ହଟିବନି ବୋଲି ଜଣାଇବା ସହ ଚୀନ୍‌କୁ ଫିଙ୍ଗର ପଏଣ୍ଟ୍‌ ୮ ଯାଏ ହଟିଯିବାକୁ ବାଧ୍ୟ କରିଚାଲିଛି।