କନକ ବ୍ୟୁରୋ: ଏବେ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା । ଏବଂ ଏହାରି ଭିତରେ ଶ୍ରୀଲଙ୍କା ରାଜନିତୀରେ ମଧ୍ୟ ବଡ ଧରଣର ହଲଚଲ ସୃଷ୍ଟି ହୋଇଛି । ବୁଧବାରଠୁ ଶ୍ରୀଲଙ୍କା ସଂସଦ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନର ପ୍ରଥମ ଦିନରୁ ହିିଁ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେ ଓ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସେଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବିରୋଧୀ । ଯାହା ଏବେ ସରକାରଙ୍କ ପାଇଁ ବଡ ଚିନ୍ତାର କାରଣ ପାଲଟିଛି ।

Advertisment

ଆର୍ଥିକ ସଙ୍କଟ ଭିତରେ ବର୍ତମାନ ଶ୍ରୀଲଙ୍କାରେ ସରକାର ଭୁଷୁଡିବା ନେଇ ଆଶଙ୍କା ଅଧିକ ଘନୀଭୂତ ହେଲାଣି । କିଛି ଦିନ ପୂର୍ବରୁ ଠିକ ଏଭଳି କିଛି ଚିତ୍ର ପାକିସ୍ତାନରେ ବି ଦେଖିବାକୁ ମିଳିଥିଲା ।ଯେଉଁଭଳି ଭାବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରୁ ଇମ୍ରାନ ଖାନ ହଟିଲେ ଏବେ ସମାନ ଘଟଣା ହୁଏତ ଶ୍ରୀଲଙ୍କା ସରକାରଙ୍କ ସହ ଘଟିପାରେ ବୋଲି ଆଶଙ୍କା କରାଯାଉଛି ।

ମାସେରୁ ଅଧିକ ସମୟ ଧରି ଶ୍ରୀଲଙ୍କାରେ ସରକାରଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ ହୋଇଛି । ଶ୍ରୀଲଙ୍କାରେ ମହା ଦୁର୍ଦ୍ଦଶା ପାଇଁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କୁ ଦାୟୀ କରୁଛନ୍ତି ଦେଶବାସୀ । ଏହା ଭିତରେ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ନେଇ ପ୍ରଦର୍ଶନ ଜୋରଦାର ହୋଇଛି । କଲମ୍ବୋ ଓ ବିଭିନ୍ନ ସହରରେ ସରକାରୀ ବିରୋଧୀ ବିକ୍ଷୋଭରେ ସବୁ ବର୍ଗର ଲୋକମାନେ ସାମିଲ ହୋଇଛନ୍ତି । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ମିଳିତ ବିରୋଧ ପ୍ରଦର୍ଶନ ତେଜିବାରେ ଲାଗିଛି । ଆନ୍ଦୋଳନରେ ନେତା, ଛାତ୍ରଛାତ୍ରୀ, ସାମାଜିକ କର୍ମୀ. ସାମ୍ବାଦିକ, କଳାକାର ଓ ସବୁବର୍ଗର ଲୋକ ସାମିଲ ହୋଇଛନ୍ତି ।

ଶ୍ରୀଲଙ୍କାରେ ଲାଗି ରହିଥିବା ଆର୍ଥିକ ସଙ୍କଟ ଭିତରେ ସହାୟତାର ହାତ ବଢାଇଛି ବିଶ୍ୱବ୍ୟାଙ୍କ । ଶ୍ରୀଲଙ୍କାଙ୍କୁ ୨ଶହ ନିୟୁତ ଡଲାର ଆର୍ଥିକ ସହାୟତା ଦେବ ବୋଲି ସୂଚନା ମିଳିଛି । ଶ୍ରୀଲଙ୍କା ସରକାରଙ୍କୁ ଭାରତ ସହାୟତା କରି ୫ଶହ ନିୟୁତ ଅତିରିକ୍ତ ଋଣ ଦେଇଛି । ଏଥିସହ ୪ଲକ୍ଷ ମେଟ୍ରିକ ଟନ ଇନ୍ଧନ ମଧ୍ୟ ଯୋଗାଇସାରିଛି ଭାରତ । ଏହି ଆର୍ଥିକ ସଙ୍କଟର ତରୁନ୍ତ ସମାଧାନ ପାଇଁ ଦେଶ ୪ବିଲିୟନ ଡଲାର ଆବଶ୍ୟକ କରୁଥିବା କହିଛି ଶ୍ରୀଲଙ୍କା