କନକ ବ୍ୟୁରୋ: ସମ୍ବଲପୁର ହିଂସା ଘଟଣାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । କର୍ଫ୍ୟୁ ପରର ସ୍ଥିତି କେମିତି ରହିଛି, ସେ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସମୀକ୍ଷା ପରେ ଡିଜିପି କହିଛନ୍ତି, ଧିରେ ଧିରେ ସ୍ଥିତି ସୁଧରୁଛି । ଦିନେ ଦୁଇ ଦିନ ପରେ ପରବର୍ତି ନିଷ୍ପତି ନିଆଯିବ । ସ୍ଥିତି ସୁଧୁରିଲେ କର୍ଫ୍ୟୁ ହଟାଇ ଦିଆଯିବ । ଖୁବଶୀଘ୍ର ସ୍ୱାଭାବିକ ସ୍ଥିତିକୁ ଫେରି ଆସିବ ।

Advertisment

ସେପଟେ ସମ୍ବଲପୁରରେ କର୍ଫ୍ୟୁ ବଳବତ୍ତର ରହିଛି । କର୍ଫ୍ୟୁ ବେଳର ସ୍ଥିତି କେମିତି ରହିଛି, ତାର ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ, ଉତ୍ତରାଞ୍ଚଳ ରେଞ୍ଜ ଡିଆଇଜି ଦୀପକ କୁମାରଙ୍କ ସମେତ ବରିଷ୍ଠ ଅଧିକାରୀ । ତେବେ ଧିରେ ଧିରେ ସ୍ଥିତି ସୁଧୁରୁଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସମ୍ବଲପୁର ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି, ଜିଲ୍ଲାପାଳ ଅନନ୍ୟା ଦାସ । କହିଛନ୍ତି, କର୍ଫ୍ୟୁ ସମୟରେ ପାଟ୍ରୋଲିଂ ଜାରି ରହିଛି । ସ୍ଥିତି ସୁଧୁରୁଛି । ଶୀଘ୍ର ସ୍ୱାଭାବିକ ଅବସ୍ଥା ଫେରିବ ବୋଲି ଆଶା କରାଯାଉଛି ।

ସେ ଇଣ୍ଟରନେଟ୍ ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି, ପରିସ୍ଥିତିକୁ ଦେଖି ନିଷ୍ପତି ନିଆଯିବ । ଆଜି ହୋଇଥିବା ସିଡିଏସ୍ ଓ ଏଏସ୍ଓ ପରୀକ୍ଷାକୁ ଦୃଷ୍ଟିରେ ରଖି, ସମ୍ବଲପୁର ସହରରେ ଲାଗିଥିବା କଟକଣାକୁ କୋହଳ କରାଯାଇଥିଲା । ପରୀକ୍ଷାର୍ଥୀମାନେ ସ୍ୱାଭାବିକ୍ ଭାବେ ଆସି କେମିତି ପରୀକ୍ଷା ଦେଇପାରିବେ ସେଥିପାଇଁ ପଦକ୍ଷେପ ନେଇଥିଲା ଜିଲ୍ଲା ପ୍ରଶାସନ । ପରୀକ୍ଷାର୍ଥୀମାନଙ୍କ ଯାତୟାତ ପାଇଁ ସମ୍ବଲପୁରରେ ବସର ବ୍ୟବସ୍ଥା କରାଯାଇଥିଲା । ଏଥିପାଇଁ କ୍ଷେତରାଜପୁର ଷ୍ଟେସନରେ ୩ଟି ବସ୍, ସମ୍ବଲପୁର ସିଟି ଷ୍ଟେସନରେ ଗୋଟିଏ ବସ ଏବଂ ଅଇଁଠାପାଲି ବସ୍ ଷ୍ଟେସନରେ ୩ଟି ବସର ବ୍ୟବସ୍ଥା କରାଯାଇଥିଲା ।