କାଶ୍ମୀରରେ ସ୍ଥିତି ଗମ୍ଭୀର । କାଶ୍ମୀର ଉପତ୍ୟକା ଛାଡ଼ି ଚାଲିଯିବାକୁ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କବାଦୀ ସଂଗଠନର ଚେତାବନୀ

221

କନକ ବ୍ୟୁରୋ: କାଶ୍ମୀରରେ ଦୁଇଜଣ ବିହାରୀ ଶ୍ରମିକଙ୍କ ଜଘନ୍ୟ ହତ୍ୟା ପାଇଁ ଦାୟୀ ବୋଲି ‘ଲଶ୍କର୍‌-ଏ-ତୈବା’ ଅନୁବନ୍ଧିତ ଆତଙ୍କବାଦୀ ସଙ୍ଗଠନ ‘ସଂଯୁକ୍ତ ମୁକ୍ତି ସାମ୍ମୁଖ୍ୟ’ (ୟୁନାଇଟେଡ୍‌ ଲିବରେସନ୍‌ ଫ୍ରଣ୍ଟ୍‌) ଦାବି କରିବା ସହ କାଶ୍ମୀର ଉପତ୍ୟକା ଛାଡ଼ି ଚାଲିଯିବା ଲାଗି ପ୍ରବାସୀ ଶ୍ରମଜୀବୀମାନଙ୍କୁ ଚେତାବନୀ ଦେଇଛି।

ସୂଚନା ମୁତାବକ, ରବିବାର ଦିନ ଦକ୍ଷିଣ କଶ୍ମୀରର କୁଲ୍‌ଗାମ୍‌ରେ ଆତଙ୍କବାଦୀମାନେ ଘରେ ଅନୁପ୍ରବେଶ କରି ଦୁଇଜଣ ବିହାରୀ ଶ୍ରମଜୀବୀଙ୍କୁ ବନ୍ଧୁକ ମାରି ହତ୍ୟା କରିଛନ୍ତି ଓ ଅନ୍ୟ ଜଣଙ୍କୁ ଆହତ କରିଛନ୍ତି।
କାଶ୍ମୀରରେ ଏହା ହେଉଛି ଦିନକ ମଧ୍ୟରେ ପ୍ରବାସୀ ଶ୍ରମିକମାନଙ୍କ ଉପରେ ତୃତୀୟ ଆତଙ୍କବାଦୀ ଆକ୍ରମଣ। ଶନିବାର ସନ୍ଧ୍ୟାରେ ଉଗ୍ରବାଦୀମାନେ ଜଣେ ବିହାରୀ ଗୁପ୍‌ଚୁପ୍‌ ବିକ୍ରେତା ଏବଂ ଉତ୍ତର ପ୍ରଦେଶର ଜଣେ ବଢ଼େଇଙ୍କୁ ଗୁଳି ମାରି ହତ୍ୟା କରିଥିଲେ।

ଏହାକୁ ମିଶାଇ ଚଳିତ ବର୍ଷ ଏଯାବତ୍‌ ଜମ୍ମୁ ଓ କାଶ୍ମୀରରେ ୧୧ଜଣ ସାଧାରଣ ନାଗରିକଙ୍କୁ ଆତଙ୍କବାଦୀମାନେ ହତ୍ୟା କଲେଣି।ଉପରୋକ୍ତ ଘଟଣା ପରେ ପରେ, ଉପତ୍ୟକାରେ ଥିବା ସମସ୍ତ ପ୍ରବାସୀ ଶ୍ରମଜୀବୀଙ୍କ ନିରାପତ୍ତା ସୁନିଶ୍ଚିତ କରିବା ଲାଗି କଶ୍ମୀର ପୁଲିସ ଇନ୍‌ସ୍‌ପେକ୍ଟର୍‌ ଜେନେରାଲ୍‌ ବିଜୟ କୁମାର ପୁଲିସ ବଳକୁ କହିଛନ୍ତି। ସେ କହିଛନ୍ତି, ଆପଣମାନଙ୍କ ଥାନା ଅଧୀନରେ ଥିବା ଅଞ୍ଚଳରେ ରହୁଥିବା ସମସ୍ତ ପ୍ରବାସୀ ଶ୍ରମଜୀବୀମାନଙ୍କୁ ବର୍ତ୍ତମାନ ପାଇଁ ନିକଟବର୍ତ୍ତୀ ପୁଲିସ କିଂବା କେନ୍ଦ୍ରୀୟ ପାରାମିଲିଟାରି ଫୋର୍ସ କିଂବା ଆର୍ମି ଇଷ୍ଟାବ୍ଲିସ୍‌ମେଣ୍ଟ୍‌କୁ ଅଣାଯିବା ଉଚିତ।

ବିହାରୀ ଶ୍ରମିକଙ୍କୁ ହତ୍ୟା କରାଯିବା ଘଟଣାରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ରବିବାର ଦିନ ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ କଥାବାର୍ତ୍ତା କରି ଉଦ୍‌ବେଗ ପ୍ରକାଶ କରିଥିଲେ।
ନିହତ ବ୍ୟକ୍ତିମାନଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ କୁମାର ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି।