ଲେଗିଙ୍ଗସକୁ ଫରେନସିକ ଲ୍ୟାବକୁ ପଠାଇଲା ଏସଆଇଟି । ଅଭିଯୁକ୍ତର ବୟାନ ଓ ଏସଆଇଟିର ହତ୍ୟା ଥିଓରୀର ପ୍ରମାଣ ପାଇଁ ବେଶ ଗୁରୁତ୍ୱ ରଖୁଛି ଲେଗିଙ୍ଗସ ।

120

କନକ ବ୍ୟୁରୋ : ମଙ୍ଗଳବାର ଦିନ ପୋଖରୀରୁ ପାଣି ନିଷ୍କାସନ ପରେ ରାତି ପ୍ରାୟ ୧୦ଟା ୧୦ ପାଖାପାଖି ଓଡ୍ରାଫ୍ ଟିମକୁ ମିଳିଥିଲା ଏକ ଛୋଟ ପିଲାର ଲେଗିଙ୍ଗସ । ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଦୁଷ୍କର୍ମ ଓ ହତ୍ୟାର ଯେଉଁ ଥିଓରୀ ଦେଇଥିଲେ ସେହି ଆଧାରରେ ଦିନତମାମ ପୋଖରୀରୁ ଜଳ ନିଷ୍କାସନ ହେବା ସହ ପ୍ରମାଣ ଖୋଜା ଚାଲିଥିଲା ।

ପ୍ରେସମିଟ୍ କରି ବୋଥ୍ରା କହିଥିଲେ ଅଭିଯୁକ୍ତ ସରୋଜ ସେଠୀ, ଏହି ଜଘନ୍ୟ କାଣ୍ଡ ଘଟାଇବା ପରେ ଲେଗିଙ୍ଗସକୁ ପୋଖରୀକୁ ଫିଙ୍ଗି ଦେଇଥିବା ପୋଲିସ ଆଗରେ କହିଥିଲା । ଏବେ ପ୍ରଶ୍ନ ଉଠୁଛି, ପୋଖରୀରୁ ମିଳିଥିବା ଲେଗିଙ୍ଗସ କାହାର?

ଅଭିଯୁକ୍ତ ସରୋଜ ସେଠୀ, ପରୀକୁ ହତ୍ୟା କରିବା ପରେ ଲେଗିଙ୍ଗସ ଘର ପଛପଟ ପୋଖରୀକୁ ପିଙ୍ଗି ଦେଇଥିବା ପ୍ରେସମିଟ୍ରେ କହିଥିଲେ ଅରୁଣ ବୋଥ୍ରା । ଯଦି ସେହି ଲେଗିଙ୍ଗସ ମିଳିଯାଇଛି, ତେବେ ତଦନ୍ତକାରୀ ଦଳ ହାତରେ ବଡ଼ ପ୍ରମାଣ ଲାଗିଛି ବୋଲି କୁହାଯାଇପାରିବ । ଯଦି ଏହା ପରୀର ନୁହେଁ, ତେବେ ଏସଆଇଟି ପାଇଁ ଚ୍ୟାଲେଂଜ ଆହୁରି ବଢ଼ିଯିବ ।

ମିଳିଥିବା ଲେଗିଙ୍ଗସ କାହାର, ଏଥିରେ ଆଉ କିଛି ପ୍ରମାଣ ଅଛି କି, ଏସବୁର ପରୀକ୍ଷା ପାଇଁ ପୋଖରୀରୁ ଉଦ୍ଧାର କରାଯାଇଥିବା ଲେଗିଙ୍ଗସକୁ ଫରେନ୍ସିକ୍ ଲ୍ୟାବକୁ ପଠାଇବ ଏସଆଇଟି । ବୈଜ୍ଞାନିକ ପଦ୍ଧତିରୁ ତଥ୍ୟ, ପ୍ରମାଣ ଖୋଜିବାକୁ ଉଦ୍ୟମ କରିବ ସ୍ୱତନ୍ତ୍ର ତଦନ୍ତକାରୀ ଦଳ । ତେବେ ଏହି ଲେଗିଙ୍ଗସ ପରୀର କି ନୁହେଁ, ପରିବାର ଲୋକଙ୍କ ସହମତି ମଧ୍ୟ ଆବଶ୍ୟକ ହୋଇପାରେ ।
ସେପଟେ ଅଧିକ ପ୍ରମାଣ ପାଇଁ ପୋଖରୀ ଭିତରେ ଓଡ୍ରାଫ ଟିମର ଖୋଜାଖୋଜି କାର୍ଯ୍ୟ ଜାରି ରହିଛି । ନୟାଗଡ଼ର ଯଦୁପୁର ଗାଁରେ ବୁଧବାର ଦିନ ବି ପହଁଚିଥିଲେ ଏସଆଇଟି ମୁଖ୍ୟ । ପୋଖରୀ ନିକଟରେ ଓଡ୍ରାଫ ଓ ଏସଆଇଟି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ଅରୁଣ ବୋଥ୍ରା ।