ଗଞ୍ଜାମରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡିଲା ରୁପା ଇଟା: କାର ସିକ୍ରେଟ ଚ୍ୟାମ୍ବରରୁ ଧରିଲା ଅବକାରୀ ବିଭାଗ

Advertisment
ଗଞ୍ଜାମରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡିଲା ରୁପା ଇଟା: କାର ସିକ୍ରେଟ ଚ୍ୟାମ୍ବରରୁ ଧରିଲା ଅବକାରୀ ବିଭାଗ

କନକ ବ୍ୟୁରୋ: ଧାଡି ଧାଡି ହୋଇ ରଖାଯାଇଛି ଖଣ୍ଡ ଖଣ୍ଡ ରୂପା ଇଟା । ପାଖରେ ରହିଛି ବିଭିନ୍ନ ପ୍ରକାରର ପୁଳା ପୁଳା ରୂପା ଅଳଙ୍କାର । ଆଉ ନଗଦ ଲକ୍ଷ ଲକ୍ଷ ଟଙ୍କା । କିନ୍ତୁ ଏହା କୌଣସି ଭଣ୍ଡାରର ଦୃଶ୍ୟ ନୁହେଁ । ଏକ କାରରେ ଗଞ୍ଜାମ ଆସ୍କାରୁ ପଶ୍ଚିମବଂଗର ଖଡଗପୁରକୁ ଚାଲାଣ ହେଉଥିବାବେଳେ ଧରାପଡିଥିବା ରୂପା ଇଟା, ଅଳଙ୍କାର ଓ ଟଙ୍କା ।

କାରରେ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ ଟାଙ୍ଗି ଟୋଲ ଗେଟରେ ସେହି ଗାଡିକୁ ଅଟକାଇଥିଲେ ଅବକାରୀ ବିଭାଗ କର୍ମଚାରୀ । ଗାଡି ଗଞ୍ଜେଇ ଚାଲାଣ ହେଉଥିବା ଖବର ଥିବାରୁ ଅବକାରୀ ବିଭାଗର କର୍ମଚାରୀମାନେ ଗାଡିକୁ ଯାଂଚ କରିଥିଲେ । ଚଢ଼ାଉବେଳେ ଦେଖିଥିଲେ କାରରେ ସିକ୍ରେଟ ଚାମ୍ବର ରହିଛି । ଆଉ ସେହି ସିକ୍ରେଟ ଚାମ୍ବର ଖୋଲିବା ପରେ ଚମକି ପଡିଥିଲେ ଯାଂଚ କରୁଥିବା ଅବକାରୀ ବିଭାଗର କର୍ମଚାରୀ । ସିକ୍ରେଟ ଚ୍ୟାମ୍ବରରେ ଗଞ୍ଜେଇ ନଥିଲା, ହେଲେ ଥିଲା ଖଣ୍ଡ ଖଣ୍ଡ ରୂପା ଇଟା, ରୂପା ଅଳଙ୍କାର, ଆଉ ନଗଦ ୧୧ ଲକ୍ଷ ୯୦ ହଜାର ଟଙ୍କା । କେବଳ ରୂପା ଇଟାର ଓଜନ ୧ କୁଇଣ୍ଟାଲ ୪୦ କିଲୋ ।

ଅବକାରୀ ବିଭାଗଠାରୁ ସୂଚନା ପାଇ ଘଟଣାସ୍ଥଳରେ ପହଁଚି ଯାଂଚ କରିଛନ୍ତି ଜିଏସଟି ଅଧିକାରୀ । ପଶ୍ଚିମବଂଗ ନମ୍ବର ଥିବା ଗାଡିରୁ ରୂପା ଇଟା ଜବତ ହେବା ପରେ କାରର ଡ୍ରାଇଭର ଅମନ ପାଲ ଓ ସାଙ୍ଗରେ ଥିବା ଦୀପକ ମଣ୍ଡଳଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି । ସେମାନେ ଏତେ ପରିମାଣର ରୂପା କେଉଁଠୁ କେଉଁଠିକୁ ନେଉଥିଲେ? ସିକ୍ରେଟ ଚ୍ୟାମ୍ବରରେ କାହିଁକି ନେଉଥିଲେ? ସେହି ରୂପା ଚାଲାଣର ଇନଭଏସ ଅଛି କି ନାହିଁ ସେ ନେଇ ପଚରାଉଚୁରା ଚାଲିଛି ।

ଡ୍ରାଇଭର ଓ ସହଯୋଗୀ କହିଛନ୍ତି ବ୍ରହ୍ମପୁରର ବାବୁ ଭାଇ ନାମକ ଜଣେ ବ୍ୟକ୍ତି ତାଙ୍କୁ ଏହି ରୂପା ନେବା ଆଣିବା ପାଇଁ ନିୟୋଜିତ କରିଥିଲେ । ସେମାନଙ୍କୁ ଏଥିପାଇଁ ପାରିଶ୍ରମକ ଦେଉଥିଲେ । ହେଲେ, ନିୟମ ଅନୁସାରେ ଚାଲାଣ କରୁଥିଲେ କି ନାହିଁ ତାହା ଜାଣି ନାହାଁନ୍ତି ।

ଏବେ ପ୍ରଶ୍ନ ଉଠୁଛି କେବେଠାରୁ ରୂପା ଇଟା ତିଆରି କରି ଚାଲାଣ କରିବା ପଛର ଉଦେଶ୍ୟ କଣ? ଟିକସ ଫାଙ୍କିବା ପାଇଁ ଏମିତି କାରବାର ଚଳାଇଥିଲେ କି ମୁନାଫାଖୋର ବ୍ୟବସାୟୀ? ଏଥିପାଇଁ ଏକ ର୍ୟାକେଟ କାମ କରୁଛି କି? ପୂର୍ବରୁ ଏମିତି କେତେ ରୂପା ଚାଲାଣ ହୋଇଛି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe