କନକ ବ୍ୟୁରୋ: ନେତାମାନେ ଉପରେ ଯାହା, ଭିତରେ ତାହା ନୁହଁନ୍ତି । ମାନେ ଉପରେ ରାଜନୀତି ପାଇଁ କଥା କଟାକଟି, ଆକ୍ଷେପ, ପ୍ରତିଆକ୍ଷେପ ତ ଲାଗିରହେ । କିନ୍ତୁ ସାଧାରଣ ମଣିଷପଣିଆ ଆଉ ସୌଜନ୍ୟତା ଦେଖାଇବାରେ କେବେ ହେଳା କରନ୍ତିନି ନେତାମାନେ । ଏଇ ଯେମିତି ରାଜ୍ୟ ରାଜନୀତିର ରୋଚକ ଦୃଶ୍ୟ । ଯାହା ରାଜନୀତିର କଡ଼ା ପ୍ରତିଦ୍ୱନ୍ଦିତା ମଧ୍ୟରେ ନେତାଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟକୁ ବୟାନ କରୁଛି ।
ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲେ ରାଜ୍ୟ ରାଜନୀତିର ଦୁଇଟି ପ୍ରମୁଖ ଚେହେରା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋଟିଏ ମଂଚରେ ବସିଥିଲେ । କୋହଲା ପାଗ ସାଙ୍ଗକୁ ଥିଲା ଏୟାର କଣ୍ଡିସନରର ଥଣ୍ଡା । ସମ୍ଭବତଃ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହା ଠିକ୍ ଲାଗୁନଥିଲା । କିନ୍ତୁ ସେ କିଛି କହିବା ପୂର୍ବରୁ ଏହାକୁ ବୁଝି ନେଇଥିଲେ ଧର୍ମେନ୍ଦ୍ର । ପାଖରେ ବସି ନବୀନଙ୍କ ଅସହଜପଣକୁ ପାଖରୁ ବାରି ପାରିଥିଲେ ଧର୍ମେନ୍ଦ୍ର ଆଉ ସଙ୍ଗେସଙ୍ଗେ ଏସି କମାଇବା ପାଇଁ ସେ ଇସାରା ଦେଇଥିଲେ । ଏହାପରେ ଏସି କମାଇବା ସହ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଚାଦର ଆସିଥିଲା । ମିଟିଂ ଶେଷ ହେବା ପର୍ୟ୍ୟନ୍ତ ଚାଦର ଘୋଡାଇ ହୋଇଥିଲେ ନବୀନ । ରାଜନୈତିକ କଥା କଟାକଟି ଭିତରେ ନେତାଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଚରଣ ସମସ୍ତଙ୍କୁ ପ୍ରଭାବିତ କରିଥିଲା ।