ଶ୍ରୀକ୍ଷେତ୍ରକୁ ମିଳିଛି ନୂଆ ରୂପ: ଏବେ ସହଜରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ

94

କନକ ବ୍ୟୁରୋ: ଶ୍ରୀକ୍ଷେତ୍ରକୁ ମିଳିଛି ନୂଆ ରୂପ । ଦିନେ ଯେଉଁଠି ଶ୍ରୀମନ୍ଦିର ମେଘନାଦ ପାଚେରୀ ଦେଖିବା ସମ୍ଭବ ହେଉ ନଥିଲା, ଏବେ ସେଠାରେ ରହିଛି ପ୍ରସସ୍ତ ପରିକ୍ରମା ପଥ । ଯାହା ଶ୍ରଦ୍ଧାଳୁଙ୍କ ସହଜ ଓ ଶୃଙ୍ଖଳିତ ଦର୍ଶନ କରିବାରେ ସହାୟକ ହେବ ।

ଲୋକାର୍ପିତ ହୋଇଛି ବହୁ ପ୍ରତିକ୍ଷୀତ ପରିକ୍ରମା ପ୍ରକଳ୍ପ । ଏହି ପ୍ରକଳ୍ପ ଦ୍ୱାରା ଭକ୍ତ ଏବେ ଅତି ସହଜରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ପୁରୀ ଆସିଲେ ଭକ୍ତଙ୍କୁ ବିଭିନ୍ନ ସୁବିଧା ଉପଲବ୍ଧ ହେବ ।

-ପରିକ୍ରମା ପ୍ରକଳ୍ପରେ ଶ୍ରୀମନ୍ଦିର ଚାରିପାଖ ପାଇଛି ନୂଆରୂପ
– ଭକ୍ତଙ୍କ ପରିକ୍ରମା ଓ ନାମ ସଂକୀର୍ତ୍ତନ ପାଇଁ ୨ଟି ପଥ
-ମେଘନାଦ ପାଚେରୀରୁ ୧୪ ମିଟର ପର ୧୦ ମିଟରରେ ରହିଛି ଅନ୍ତଃପ୍ରଦକ୍ଷଣ ମାର୍ଗ
-ପରବର୍ତ୍ତୀ ୧୦ ମିଟରରେ ଶ୍ରୀମନ୍ଦିର ଚାରିପାଖ ପରିକ୍ରମା ଉଦ୍ଦେଶ୍ୟରେ ଖୋଲାଯିବ
– ମହିଳା, ପୁରୁଷ ଭକ୍ତ ଓ ସେବାୟତଙ୍କ ପାଇଁ ୯ଟି ଶୌଚାଳୟ
– ଭକ୍ତଙ୍କ ଜିନିଷ ରଖିବା ପାଇଁ ୨ଟି କ୍ଲକ୍ ରୁମ୍
– ଭକ୍ତଙ୍କ ବସିବା ପାଇଁ ୭ଟି ପ୍ୟାଭିଲିୟନ
– ଗୋଟିଏ ଇଲେକ୍ଟ୍ରିକାଲ ରୁମ୍ ରହିଛି

ପୂର୍ବରୁ ଭକ୍ତମାନେ ଶ୍ରୀମନ୍ଦିର ଭିତରେ ବେଢା ପରିକ୍ରମା କରି ବାହାରକୁ ଆସିବାବେଳେ ଶ୍ରୀମନ୍ଦିର ପରିକ୍ରମା କରିପାରୁନଥିଲେ । ଏବେ ଯେକୌଣସି ଦ୍ୱାର ଦେଇ ବାହାରିଲେ ପ୍ରଦକ୍ଷିଣ କରିପାରିବେ । ଶ୍ରୀମନ୍ଦିର ଚାରିପାଖେ ସୁରକ୍ଷା କରିଡର ସହ ସବୁଜ ବଳୟ ସୃଷ୍ଟି କରାଯିବା ସହ ସୌନ୍ଦର୍ଯ୍ୟକରଣ କରାଯାଇଛି । ବୁଧବାର ପରିକ୍ରମା ପ୍ରକଳ୍ପ ଲୋକର୍ପଣ ବେଳେ ବିଭିନ୍ନ ପଂଚାୟତରେ ଏଲଇଡି ଲଗାଯାଇଥିଲା । ଲୋକେ ଏହି ପବିତ୍ର ମୂହୂର୍ତର ଆନନ୍ଦ ଉଠାଇଥିଲେ ।

କାଳିଆର ପରିକ୍ରମା ପ୍ରକଳ୍ପ ପାଇଁ ସାରା ରାଜ୍ୟରେ ସୃଷ୍ଟି ହୋଇଥିଲା ଭକ୍ତିଭାବମୟ ପରିବେଶ । ଲୋକେ ନିରାମିଷ ଖାଇବା ସହ ଜଗନ୍ନାଥଙ୍କ ପାଇଁ ଦୀପଟିଏ ଜାଳି ସରକାରଙ୍କ ପ୍ରୟାସରେ ଖୁସି ବ୍ୟକ୍ତ କରିଛନ୍ତି ।

ଶ୍ରୀଜଗନ୍ନାଥ ପ୍ରକଳ୍ପ ପରିକ୍ରମା ଉଦଘାଟନ ଉପଲକ୍ଷେ ରାଜ୍ୟର ୩୦ଟି ଜିଲ୍ଲାରେ ଆୟୋଜିତ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ । ଶ୍ରୀଜଗନ୍ନାଥ ସଂସ୍କୃତିକୁ ଆଧାର କରି ନାଟକ ପରିବେଷଣ କରାଯାଉଛି ।