କନକ ବ୍ୟୁରୋ: ବେଦାନ୍ତ ଆଲୁମିନିଅମ୍ କମ୍ପାନୀର ମନମାନୀ ଉପରେ ଲାଗିଛି ଅଙ୍କୁଶ। ପାଉଁଶ ଗଦାକରି ଲୋକଙ୍କ ଜୀବନକୁ ବିପନ୍ନ କରୁଥିବା କମ୍ପାନୀ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଛି। ପରିବେଶ କ୍ଷତିପୂରଣ ବାବଦରେ ୭୧ କୋଟିରୁ ଅଧିକ ଟଙ୍କାର ଜରିମାନା କରିଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ।

ଝାରୁସୁଗୁଡା ଭୁର୍କାମୁଣ୍ଡାସ୍ଥିତ ବେଦାନ୍ତ ଆଲୁମିନିୟମ ଲିମିଟେଡର ପାଉଁଶ ଡମ୍ପିଂ। ବେଦାନ୍ତ ଆଲୁମିନିୟମ ଝାରୁସୁଗୁଡା, ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାରେ ମନଇଛା ପାଉଁଶ ଡମ୍ପିଂ କରିଆସୁଛି । ଆଉ ଏହା ସ୍ଥାନୀୟ ଲୋକ ସହ ପରିବେଶ ଉପରେ ଖରାପ ପ୍ରଭାବ ପକାଉଛି । ଏଥିପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଜି କଠୋର ଆଭିମୁଖ୍ୟ ଗ୍ରହଣ କରି ଝାରସୁଗୁଡ଼ା ଭୁର୍କାମୁଣ୍ଡାସ୍ଥିତ ବେଦାନ୍ତ ଆଲୁମିନିୟମକୁ ପରିବେଶ କ୍ଷତିପୂରଣ ବାବଦରେ ୭୧ କୋଟି ୧୬ ଲକ୍ଷ ଟଙ୍କାର ଅର୍ଥଦଣ୍ଡରେ ଦଣ୍ଡିତ କରିଛି। ଏହାସହ ବେଦାନ୍ତର କନ୍ସେଣ୍ଟ ଟୁ ଅପରେଟ୍ ଅନୁମତିକୁ କାହିଁକି ପ୍ରତ୍ୟାହାର କରାନଯିବ ଏବଂ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ସେ ନେଇ ବୋର୍ଡ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି।

ଚିଠିରେ ବେଦାନ୍ତ ଆଲୁମିନିୟମକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆହୁରି ନିର୍ଦ୍ଦେଶ ଦେଇଛି ଯେ,
୧୫ ଦିନ ମଧ୍ୟରେ ବର୍ଜ୍ୟ ପରିଚାଳନା ପାଇଁ ଏକ ବିସ୍ତୃତ ଆକ୍ସନ ପ୍ଲାନ୍ ଦାଖଲ କର
ନିର୍ଦ୍ଧାରିତ ସମୟ ମଧ୍ୟରେ ଉତ୍ତର ନ ଆସିଲେ, ଉତ୍ତର ସନ୍ତୋଷଜନକ ନ ହେଲେ କାର୍ଯ୍ୟାନୁଷ୍ଠାନ ହେବ

ବେଦାନ୍ତର ପାଉଁଶ ଡମ୍ପିଂ ବିରୋଧରେ ଏକାଧିକ ଅଭିଯୋଗ ରାଜ୍ୟ ବୋର୍ଡ ନିକଟକୁ ଯାଇଥିଲା। ଏହାଛଡ଼ା ସମ୍ପୃକ୍ତ ଜିଲ୍ଲା ପ୍ରଶାସନଗୁଡ଼ିକ ପକ୍ଷରୁ ମଧ୍ୟ ଅଭିଯୋଗ ଆସିଥିଲା।
ନିୟମ ଅନୁସାରେ ବେଦାନ୍ତ ଆଲୁମିନିୟମକୁ ପ୍ରତି ଟନ ପାଉଁଶ ପିଚ୍ଛା ୧ ହଜାର ଟଙ୍କା ଲେଖାଁଏ କ୍ଷତିପୂରଣ ଦେବାକୁ ପଡିବ ।
ବେଦାନ୍ତ ୩ ଜିଲ୍ଲାରେ ୭ ଲକ୍ଷ ୧୧ ହଜାର ୬୫୩ ଟନ୍ ପାଉଁଶ ଡମ୍ପିଂ କରିଛି
ଆକଳନ ଅନୁସାରେ ବେଦାନ୍ତକୁ ୭୧ କୋଟି ୧୬ ଲକ୍ଷ ୫୩ ହଜାର ୩୨୦ ଟଙ୍କାର ଜରିମାନା ଦେବାକୁ ପଡିବ
ଏ ସଂପର୍କରେ ବେଦାନ୍ତ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ବି ଲିଗାଲ୍ ବିଭାଗ ସହିତ ଆଲୋଚନା ପରେ ପ୍ରତିକ୍ରିୟା ପ୍ରଦାନ କରାଯିବ ବୋଲି କୁହାଯାଇଛି।